ମନୋଜ କୁମାରଙ୍କ ଶେଷକୃତ୍ୟରେ ଶ୍ମଶାନରେ ପହଞ୍ଚିଲେ ଅମିତାଭ ବଚ୍ଚନ ଓ ଅନ୍ୟ ଅଭିନେତା

ଶ୍ମଶାନରେ ବଲିଉଡ୍ କଳାକାରଙ୍କ ଭିଡ଼ । ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅରବାଜ ଖାନ୍ ଓ ବାପା ସଲିମ ଖାନ, ଆହୁରି ମଧ୍ୟ ମନୋଜ କୁମାରଙ୍କ ସବୁ ଫିଲ୍ମରେ ଅଭିନୟ କରିଥିବା ପ୍ରେମ ଚୋପ୍ରା ମଧ୍ୟ ଯୋଗ ଦେଇଥିଲେ । ମନୋଜଙ୍କ ପତ୍ନୀ ଶଶି ଗୋସ୍ବାମୀ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ । ଶେଷ ଦର୍ଶନ ସହ ଅନ୍ତିମ ବିଦାୟ ଜଣାଇବାକୁ ଆସିଛନ୍ତି ଭାରତ କୁମାରଙ୍କୁ । ଶନିବାର ଦିନ ୮୭ ବର୍ଷ ବୟସରେ ପରଲୋକ ହୋଇଛି ବଲିଉଡର ‘ଭାରତ’ ଓରଫ ବରିଷ୍ଠ ଅଭିନେତା ମନୋଜ କୁମାରଙ୍କର । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁମ୍ବାଇ ସ୍ଥିତ ଜୁହୁ ଶ୍ମଶାନରେ ଏହି ଦିବଙ୍ଗତ ଅଭିନେତାଙ୍କ ଦାହ ସଂସ୍କାର ହୋଇଛି । ଏହି ଅବସରରେ ତାଙ୍କୁ ଗାର୍ଡ଼ ଅର୍ଫ ଅନର ଦିଆଯାଇଥିଲା ।
ଅନେକ ଦେଶଭକ୍ତି ସିନେମା ନିର୍ମାଣ କରି ସମସ୍ତଙ୍କ ପ୍ରିୟ ପାଲଟି ଯାଇଥିଲେ ମନୋଜ କୁମାର । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସେ । ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେହିଠାରେ ତାଙ୍କ ଦେହାନ୍ତ ହୋଇଥିଲା । କ୍ରାନ୍ତି, ପୁରବ ଔର ପଶ୍ଚିମ, ଉପକାର, ସୋର, ରୋଟି କପଡ଼ା ଔର ମକାନ ଭଳି ହନେକ ସୁପରହିଟ୍ ଫିଲ୍ମ ନିର୍ମାଣ ଓ ଅଭିନୟ କରିଥିଲେ ମନୋଜ କୁମାର । ତାଙ୍କୁ ୨୦୧୯ରେ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା ।
ମନୋଜଙ୍କ ନିଧନରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ଷ୍ଟାରମାନେ ସୋସିଆଲ ମିଡିଆରେ ସେମାନଙ୍କ ଶୋକ ପ୍ରକଟ କରି ମନୋଜ କୁମାର ଜଣେ ମହାନ୍ କଳାକାର ଓ ନିର୍ଦ୍ଦେଶକ ଥିଲେ ବୋଲି ଲେଖିଛନ୍ତି ।
Also Read:ଅନାଥ ହୋଇଗଲା ୪ ବର୍ଷର ଶିଶୁପୁତ୍ର, ଦୁର୍ଘଟଣାରେ ଚାଲିଗଲା ବାପା- ମାଙ୍କ ଜୀବନ