କୋରାପୁଟ ଜୟପୁରରେ ସୁଟିଂ ହେଲା ତେଲୁଗୁ ଫିଲ୍ମ, ବାହୁବଲି ହିରୋଇନଙ୍କୁ ଦେଖି ଫ୍ୟାନ୍‌ ମତୁଆଲା

କୋରାପୁଟର ଜୟପୁର ସହର । ରାସ୍ତାଘାଟ ଲୋକ ଗହଳିରେ ପରିପୂର୍ଣ୍ଣ । ଯେମିତି କିଛି ମେଳା ମହୋତ୍ସବ ଚାଲିଛି । ସମସ୍ତେ ଯେମିତି କିଛି ଅପେକ୍ଷାରେ ଅଛନ୍ତି । କାହାକୁ ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଫିଲ୍ମ ସୁଟିଂ ପାଇଁ ବ୍ୟବସ୍ଥା ଚାଲିଛି ।

କୋରାପୁଟ (କେନ୍ୟୁଜ) : କୋରାପୁଟର ଜୟପୁର ସହର । ରାସ୍ତାଘାଟ ଲୋକ ଗହଳିରେ ପରିପୂର୍ଣ୍ଣ । ଯେମିତି କିଛି ମେଳା ମହୋତ୍ସବ ଚାଲିଛି । ସମସ୍ତେ ଯେମିତି କିଛି ଅପେକ୍ଷାରେ ଅଛନ୍ତି । କାହାକୁ ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଫିଲ୍ମ ସୁଟିଂ ପାଇଁ ବ୍ୟବସ୍ଥା ଚାଲିଛି । କ୍ୟାମେରା ଠୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ ବୁହା ହେଉଛି । ଦିନ ରାତି ଚାଲିଛି ସୁଟିଂ । ଠିକ୍‌ ସେମିତି ଦିନରେ ହେଉ କି ରାତିରେ ଲୋକ କିନ୍ତୁ ସୁଟିଂ ଦେଖିବାକୁ ବ୍ୟଗ୍ର । କାରଣ ଫିଲ୍ମର ହିରୋଇନ୍‌ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ‘ବାହୁବଲି’ର ନାୟିକା ଦେବସେନା । ଏକ ତେଲୁଜୁ ଫିଲ୍ମର ସୁଟିଂ ପାଇଁ ପୂରା ୟୁନିଟ୍‌ ସହ ଜୟପୁର ଆସିଛନ୍ତି । କୋରାପୁଟ ସହରର କୋଲାବ, ପାତ୍ରପୁଟ, ଦେଓମାଳି ଭଳି ଅନେକ ସ୍ଥାନରେ ସୁଟିଂ ହୋଇଛି ।

ପାଞ୍ଚ ଦିନ ଧରି ଚାଲିଥିଲା ଫିଲ୍ମର ସୁଟିଂ । କେବଳ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନୁହନ୍ତି ତାଙ୍କ ସହିତ ରାମ୍ୟା କ୍ରିଷ୍ଣନ୍‌ ମଧ୍ୟ ଆସିଥିଲେ । ରାମ୍ୟା ବାହୁବଲିରେ ମା’ ଭୂମିକାରେ ନଜର ଆସିଥିଲେ । ଅଭିନେତା ଓ ଅଭିନେତ୍ରୀ ଜୟପୁରର ଏକ ହୋଟେଲରେ ରହିଥିଲେ । ଅନୁଷ୍କା ଓ ରାମ୍ୟାଙ୍କ ଟିକିଏ ଝଲକ ପାଇବାକୁ ବ୍ୟାକୁଳ ଥିଲେ ଲୋକେ । ତେଣୁ ସବୁଠି ପ୍ରବଳ ଭିଡ଼ ଜମିଥିଲା । ତେବେ ସୁଟିଂ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ କାହାକୁ ବି ଅନୁମତି ମିଳିନଥିଲା । ଏମିତିକି ଗଣମାଧ୍ୟମକୁ ମଧ୍ୟ ବାରଣ କରାଯାଇଥିଲା । ସୁନ୍ଦରୀ ଅନୁଷ୍କା ସେଟ୍ଟୀଙ୍କୁ ଦେଖିବା ପାଇଁ ପିଲା ଠୁ ବୁଢ଼ା ସମସ୍ତ ଭିତରେ ଥିଲା ଅତ୍ୟନ୍ତ ଉତ୍କଣ୍ଠା । ତେବେ ଅନୁଷ୍କା ଯେତେବେଳେ ସୁଟିଂ ପାଇଁ ନିଜ ଗାଡ଼ିରୁ ବାହାରିଲେ ତାଙ୍କ ମୁହଁରେ ମାସ୍କ ଥିଲା । ପୁଣି ତାଙ୍କୁ ଘେରି ରହିଥିଲେ ବଡିଗାର୍ଡ଼ । ତେଣୁ ଦର୍ଶକମାନେ ନିରାଶ ହୋଇଥିଲେ । ଭଲ ଭାବେ ଅନୁଷ୍କାଙ୍କ ଚେହେରା ଦେଖଇ ପାରିନଥିଲେ । ସମସ୍ତଙ୍କର ଇଚ୍ଛା ଥିଲା ତାଙ୍କର ଅଟୋଗ୍ରାଫ ନେବାକୁ, ସେଲଫି ଉଠାଇବାକୁ । ହେଲେ ସେ ଆଶା କେବଳ ଆଶାରେ ରହିଗଲା । ଅବଶ୍ୟ କୋରାପୁଟର ପ୍ରାକୃତିକ ସୋନ୍ଦର୍ଯ୍ୟ ପୂରା ସିନେମା ୟୁନିଟ୍‌ ସହିତ ଅନୁଷ୍କା ଓ ଅନ୍ୟ ଅଭିନେତା ଅଭିନେତ୍ରୀଙ୍କୁ ଆକର୍ଷଣ କରିଥିଲା । ସେମାନେ ଖୁବ୍‌ ପ୍ରଶଂସା କରିଥିଲେ ଏହି ସ୍ଥାନର । ଭବିଷ୍ୟତରେ ମଧ୍ୟ ଏଠାକୁ ଆସି ଫିଲ୍ମ ସୁଟିଂ କରିବେ ବୋଲି କହିଛନ୍ତି । ଏହା ସହିତ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପୁଣି ସହଯୋଗ ପାଇଁ ପୋଲିସ ଓ ପ୍ରଶାସନକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।