କାଶ୍ମୀରର ପାଞ୍ଚ ହଜାର ବର୍ଷ ପୁରୁଣା ଦେବୀ ସରସ୍ୱତୀଙ୍କ ମନ୍ଦିର, ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ୱ

ଧାର୍ମିକ ମାନ୍ୟତା ଅନୁଯାୟୀ ମା’ ସରସ୍ୱତୀଙ୍କ ସୃଷ୍ଟି ବସନ୍ତ ପଞ୍ଚମୀ ଦିନ ବ୍ରହ୍ମାଜୀ କରିଥିଲେ । ସନାତନ ଧର୍ମ ରେ ମାତା ସରସ୍ୱତୀଙ୍କୁ ବିଦ୍ୟା ଦେବୀ ବୋଲି କୁହାଯାଏ ।କାଳିଦାସ, ବରଦରାଜାଚାର୍ଯ୍ୟ ଏବଂ ୟୋପଦେବ ମାତା ସରସ୍ୱତୀଙ୍କ ଏପରି ୩ ଭକ୍ତ ଯାହାଙ୍କୁ ମାତାଙ୍କ ବରଦାନ ମିଳିଛି । ଏହି ୩ ଭକ୍ତ ଅଳ୍ପ ବୁଦ୍ଧିଯୁକ୍ତ ହୋଇ ବି ମହାନ ପଣ୍ଡିତ ହୋଇପାରିଥିଲେ । ଭାରତରେ ଦେବୀ ସରସ୍ୱତୀଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି। ଏହିଭଳି ଏକ ମନ୍ଦିର ରହିଛି କାଶ୍ମୀରରେ । ଏହା କାଶ୍ମୀରର କୁପଓ୍ଵାଡାରୁ ୨୨ କିଲୋମିଟର ଦୂରରେ ଅବସ୍ଥିତ। ଏହା ଶାରଦା ପୀଠ ନାମରେ ପ୍ରସିଦ୍ଧ।
ଇତିହାସରୁ ଜଣାଯାଏ, ଏହି ମନ୍ଦିର ହିନ୍ଦୁ ମାନଙ୍କର ୫୦୦୦ ବର୍ଷର ପୁରାତନ ଧର୍ମସ୍ଥଳୀ। ନିଲମ ନଦୀ କୂଳରେ ଥିବା ଶାରଦା ଗ୍ରାମରେ ସରସ୍ୱତୀ ଦେବୀଙ୍କ ମନ୍ଦିର ରହିଛି। ଖ୍ରୀ.ପୂ ୨୩୭ରେ ମହାରାଜା ଅଶୋକ ଶାରଦା ପୀଠର ପୁନଃନିର୍ମାଣ କରିଥିଲେ। ୧୯୪୭ ପୂର୍ବରୁ ତୀର୍ଥଯାତ୍ରୀ ମାନେ ତୀର୍ଥ ଭ୍ରମଣରେ ଯିବାବେଳେ ଏହି ମନ୍ଦିର ଦର୍ଶନ କରିକି ତୀର୍ଥଯାତ୍ରା କରିଥାନ୍ତି । ଏହି ସ୍ଥାନ ଆଗରୁ ଶିକ୍ଷାର ପ୍ରମୁଖ କେନ୍ଦ୍ର ଥିଲା। ଅନେକ ବର୍ଷ ପୂର୍ବରୁ ବୈଶାଖୀ ସମୟରେ କାଶ୍ମୀରର ପଣ୍ଡିତଙ୍କ ସହ ଭାରତର ଅନେକ ଲୋକ ତୀର୍ଥ ଭ୍ରମଣ କରିବା ପାଇଁ ଶାରଦା ପୀଠ ଆସୁଥିଲେ।
ଶ୍ରୀନଗରରୁ ୧୩୦ କିଲୋମିଟର ଦୂରରେ ଥିବା ଶାରଦା ଦେବୀ ପୀଠ ଭାରତର ୧୮ଟି ମହାଶକ୍ତି ପୀଠରୁ ଅନ୍ୟତମ। ଏହି ପୀଠରେ ଦେବୀ ସରସ୍ୱତୀଙ୍କର ଆରାଧନା କରାଯାଏ। ସତୀ ଦେବୀଙ୍କର ଡାହାଣ ହାତ ଏହି ସ୍ଥାନରେ ପଡିଥିଲା ବୋଲି ହିନ୍ଦୁଧର୍ମର ବିଶ୍ୱାସ ରହିଛି । ଋଷି କଶ୍ୟପଙ୍କ ନାମ ଅନୁସାରେ ଏହି ମନ୍ଦିରକୁ କକଶ୍ୟପପୁର କୁହାଯାଏ। ଏହି ସ୍ଥାନ ଶ୍ରୀ ବିଦ୍ୟା ସାଧନା କରିବାର ମହତ୍ତ୍ୱ ପୂର୍ଣ୍ଣ କେନ୍ଦ୍ର ଥିଲା। ବୈଦିକ ଯୁଗରେ ଏହି ପୀଠକୁ ଶିକ୍ଷାର କେନ୍ଦ୍ରସ୍ଥଳୀ କୁହାଯାଏ। ମାନ୍ୟତା ଅଛିଯେ ଏହି ସ୍ଥାନରେ ଋଷି ପାଣୀନି ନିଜର ଅଷ୍ଟାଧ୍ୟାୟୀ ରଚନା କରିଥିଲେ। ଶୈବ ସମ୍ପ୍ରଦାୟର ସୃଷ୍ଟି କର୍ତ୍ତା ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ରାମାନୁଜାଚାର୍ଯ୍ୟ ଏହି ସ୍ଥାନରୁ ମହତ୍ତ୍ୱ ପୂର୍ଣ୍ଣ ସଫଳତା ହାସଲ କରିଥିଲେ। ଯେତେବେଳେ ଶଙ୍କରାଚାର୍ଯ୍ୟ ଏହି ସର୍ବଜ୍ଞପୀଠରେ ବସିଥିଲେ, ରାମାନୁଜାଚାର୍ଯ୍ୟ ଏଠୋର ବ୍ରହ୍ମସୂତ୍ରଉପରେ ନିଜର ସମୀକ୍ଷା ଲେଖିଥିଲେ।
୨୦୨୧ ଡିସେମ୍ବରରୁ ହିନ୍ଦୁ ମାନଙ୍କର ପବିତ୍ର ସ୍ଥଳୀ କାଶ୍ମୀରର ପଣ୍ଡିତ ଶାରଦା ପୀଠର ପୁନଃନିର୍ମାଣ ଆରମ୍ଭ କରିଛନ୍ତି। ଶାରଦା ସେବା ସମିତିର ସଭ୍ୟ ମାନେ ମନ୍ଦିରର ମରାମତି ସହ ଏକ ଧର୍ମଶାଳା ନିର୍ମାଣ କରୁଛନ୍ତି। କେନ୍ଦ୍ରୀୟ ମନ୍ତ୍ରାଳୟ ବିକାଶ ସମିତିର ସଭାପତି ମନ୍ଦିରର ମୂଳଦୁଆ ପକାଇଛନ୍ତି।