ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ ମୋ ଜୀବନ ଜିଇଁ ନେଲି…’

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ ଭାଉରାଓ ଦାଭାଡକର।

ତେବେ ଦାଭାଡକର ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ସେଠାକୁ ଜଣେ ମହିଳା ନିଜ ୪୦ ବର୍ଷୀୟ ସ୍ୱାମୀଙ୍କୁ ନେଇ ପହଞ୍ଚିଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଭର୍ତ୍ତି କରେଇବାକୁ ମନା କରି ଦେଇଥିଲେ। କାରଣ, ବେଡ୍‌ ଖାଲି ନ ଥିଲା। ସେପଟେ ମହିଳା ଜଣକ ଡାକ୍ତରଙ୍କ ପାଖରେ ନେହୁରା ହୋଇଥିଲେ। ଏହା ଦେଖି ଦାଭାଡକର ନିଜ ବେଡ୍‌ ସେହି ମହିଳାଙ୍କ ସ୍ୱାମୀଙ୍କୁ ଦେଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ଦାଭାଡକର କହିଥିଲେ, ‘ମୁଁ ମୋ ଜୀବନ ଜିଇଁ ନେଲି। ମୋ ବୟସ ଏବେ ୮୫ ବର୍ଷ। ଏହି ମହିଳାଙ୍କ ସ୍ୱାମୀ ଯୁବା ଅଛନ୍ତି। ତାଙ୍କ ଉପରେ ପରିବାରର ଦାୟିତ୍ୱ ଅଛି। ଏଥିପାଇଁ ତାଙ୍କୁ ମୋ ବେଡ୍‌ ଦେଇ ଦିଆଯାଉ’।

ହସ୍ପିଟାଲ ଫେରିବାର ୩ ଦିନ ପରେ ନିଧନ

ଦାଭାଡକରଙ୍କ ଅନୁରୋଧ ରକ୍ଷା କରି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଦ୍ୱାରା ଏକ କାଗଜରେ ଲେଖାଇ ନେଇଥିଲେ ଯେ ‘ମୁଁ ମୋ ବେଡ୍‌କୁ ଦ୍ୱିତୀୟ ରୋଗୀଙ୍କ ପାଇଁ ସ୍ୱଇଚ୍ଛାରେ ଖାଲି କରୁଛି’। ଏହାପରେ ଦାଭାଡକର ଘରକୁ ଫେରି ଆସିଥିଲେ। ହେଲେ ଏଠି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା, ଯାହାଫଳରେ କି, ୩ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦାଭାଡକରଙ୍କୁ କିଛିଦିନ ତଳେ କରୋନା ହୋଇଥିଲା। ତାଙ୍କ ଅକ୍ସିଜେନ ଲେବଲ ୬୦ ପର୍ଯ୍ୟନ୍ତ ଖସି ଆସିଥିଲା। ତାଙ୍କ ଝିଅ ଓ ଜ୍ୱାଇଁ ତାଙ୍କୁ ଇନ୍ଦିରା ଗାନ୍ଧୀ ଶାସକୀୟ ହସ୍ପିଟାଲରେ ନେଇ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କୁ ବହୁ କଷ୍ଟରେ ବେଡ୍‌ ଖଣ୍ଡିଏ ମିଳିଥିଲା।

‘ଚକୋଲେଟ୍‌ ଚାଚା’ ନାଁରେ ଥିଲେ ଜଣାଶୁଣା

ଦାଭାଡକରଙ୍କ ସମ୍ପର୍କୀୟ ଶିବାନୀ ଦାଣୀ-ବଖରେ କହିଛନ୍ତି, ଦାଭାଡକର ଛୋଟ ପିଲାଙ୍କୁ ଚକୋଲେଟ୍‌ ବାଣ୍ଟୁଥିଲେ। ଏଥିପାଇଁ ପିଲାଏ ତାଙ୍କୁ ‘ଚକୋଲେଟ୍‌ ଚାଚା’ ଡାକିଥାଆନ୍ତି।

Leave A Reply

Your email address will not be published.