ଆହତ ଅବସ୍ଥାରେ ବହୁ କଷ୍ଟରେ ମାଟ୍ରିକ ପରୀକ୍ଷା ଦେଲେ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀ

ରାଜନଗର : ଆଜିଠୁ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଥିଲା । ସକାଳ ୯ ଟାରୁ ଆରମ୍ଭ ହୋଇଥାନ୍ତା ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାର ନିୟମ ରହିଛି । ତେଣୁ ସକାଳୁ ସକାଳୁ ନିତ୍ୟକର୍ମ ସାରି ଏକ ଏକ ବୋଲେରୋ ଗାଡିରେ ବସି ପିଲେ ବାହାରି ପଡିଥିଲେ ପରୀକ୍ଷା କେନ୍ଦ୍ର ଅଭିମୁଖେ । ମନରେ କେତେ ଆଶା ଆଶଙ୍କା । ସ୍କୁଲ୍ ସ୍ତରର ସବୁଠାରୁ ବଡ ସୋପାନ । ତେଣୁ ମନରେ ଭୟ ତ ରହିଥାଏ ।

ଏପଟେ ପରୀକ୍ଷାରେ କଣ ପ୍ରଶ୍ନ ଆସିବ? କେମିତି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଲେଖିବେ ସେନେଇ ଚାଲିଥାଏ ଛାତ୍ରଛାତ୍ରୀ ଭିତରେ ଆଲୋଚନା । ହେଲେ କିଏ ଜାଣିଥିଲା ଅଧା ବାଟରେ ଘଟିଯିବ ଏମିତି ଅଘଟଣ । ତେବେ କଥାରେ ଅଛି କେତେବେଳେ କେଉଁ ମୁହୂର୍ତ୍ତରେ କାହା ଜୀବନରେ ବିପଦ ଆସିବ ତାହା କେହି କହି ପାରିବେ ନାହିଁ । ଠିକ୍ ଏମିତି ବିପଦ ମାଡି ଆସିଥିଲା ଏହି ପିଲା ମାନଙ୍କ ପାଇଁ । ହଠାତ୍ ନାଳକୁ ଓଲଟି ପଡିଲା ପିଲାମାନେ ଯାଉଥିବା ବୋଲେରୋ ଗାଡିଟି । ଆଉ ଦେଖୁ ଦେଖୁ ଆଖି ସାମ୍ନାରେ ଖେଳିଗଲା ଅନ୍ଧକାର । ଭୟରେ ପିଲାମାନେ ଚିତ୍କାର କରିବାକୁ ଲାଗିଲେ । କାହାର ହାତ ତ କାହା ଅଣ୍ଟା ଗଭିର ଭାବେ ଆଘାତ ଲାଗିଥିଲେ ସୁଦ୍ଧା, କଣ କରିବେ? କେମିତି ପରୀକ୍ଷା କେନ୍ଦ୍ରରେ ପହଁଚିବେ ? ସେଇ ଚିନ୍ତା ଘାରିଥିଲା ପିଲାମାନଙ୍କୁ ।

ହଁ ଆଜ୍ଞା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ନାଳକୁ ଓଲଟିଲା ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ । ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରୀର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲେରୋରେ ଯିବା ସମୟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାହା ସୂଚନା ମିଳିଛି କି, ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ଦୁର୍ଘଟଣା ପରେ ଛାତ୍ରଛାତ୍ରୀମାନେ ମାଟି କାଦୁଅରେ ପଶି ଖଣ୍ଡିଆ ଖାବରା ହୋଇଥିଲେ । ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଇଥିବା ସୂଚନା ମିଳିଛି । ଏପଟେ ସବୁଠାରୁ ଦୁଃଖର କଥା ଏହି ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷା ଥିବାରୁ ସବୁ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରରେ ପହଁଚିବା ସହ ଆହତ ଅବସ୍ଥାରେ ବହୁ କଷ୍ଟରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିବା ସତ୍ୱେ ମନବଳକୁ ଦୃଢ କରି ପରୀକ୍ଷା ଦେଇଥିବାକୁ ସଭିଏଁ ଆହତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏପଟେ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିବା ସହିତ ଡ୍ରାଇଭରକୁ ପଚରାଉଚରା ଜାରି ରହିଛି । ଏପଟେ ସାଇକେଲ ଆରୋହୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଦୁଃଖ ଦେଇଛି । ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟୁ ଛି ଗାଁ ଦାଣ୍ଡ । ବୋଲେରୋ ଡ୍ରାଇଭରର ବେପରୁଆ ଗାଡି ଚାଳନା ପାଇଁ ଆଜି ଅକାରଣରେ ଚାଲିଗଲା ଜଣଙ୍କ ଜୀବନ ।