ବଣ୍ଡା ଜନଜାତି ଝିଅର ନର୍ସିଂ ପଢାରେ ବାଧକ ସାଜିଛି ଇଣ୍ଟରନେଟ, ଅପେକ୍ଷା ସରକାରୀ ସହାୟତାକୁ

ମାଲକାନଗିରି(କେନ୍ଯୁଜ୍): କୁହାଯାଏ ମାନବ ସେବା ହିଁ ମାଧବ ସେବା । ଏପରି ଏକ ମାନସିକତାକୁ ନେଇ ଆଗେଇ ଆସିଛନ୍ତି ବଣ୍ଡା ଜନଜାତି ଝିଅ । କିନ୍ତୁ ମନରେ ରହିଥିବା ସେବା ଭାବନା ନିମନ୍ତେ ବାଧକ ସାଜିଛି ବ୍ଯବସ୍ଥିତ ନିତି ନିୟମ । ନର୍ସିଂ ପଢି ବଣ୍ଡା ଜନଜାତିର ସେବା କରିବେ ବୋଲି ମନରେ ଇଚ୍ଛା ରଖିଛନ୍ତି । କିନ୍ତୁ ବଣ୍ଡା ଘାଟିରେ ଇଣ୍ଟରନେଟ ବ୍ଯବସ୍ଥା ନଥିବା କାରଣରୁ ସେ ବଞ୍ଚିତ ରହିଛନ୍ତି ନର୍ସିଂ ପଢାରୁ । ପରିବାର ସଦସ୍ୟ କେବେ କଳା ଅକ୍ଷର ଲେଖିପଢି ନଥିବା ବେଳେ ଝିଅର ପାଠପଢାରେ କେବେବି କୈଣସି ପ୍ରକାରର ବାଧା ସୃଷ୍ଟି ହେବାକୁ ଦେଇନାହାନ୍ତି । କିନ୍ତୁ ଅନଲାଇନରେ ନାମ ପଞ୍ଜୀକରଣରେ ବିଫଳ ହେବା ପରେ ଚିନ୍ତାରେ ରହିଛନ୍ତି ପରିବାର ସହ ଆଖପାଖ ଗ୍ରାମର ବଣ୍ଡା ଲୋକେ । ଗୁହାରି କରିଛନ୍ତି ସରକାରଙ୍କୁ ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିରି ଦାନ୍ତିପଡା ବଣ୍ଡା ଗ୍ରାମ । ଏହି ଗ୍ରାମରେ ଗମନା ଗମନ ତଥା ସରକାରି ଶିକ୍ଷା ସ୍ୱାସ୍ଥ୍ୟ ଅପହଞ୍ଚ ଦୂରତାରେ ରହିଛି । ତଥାପି ଏଠି ବାସ କରନ୍ତି ୭୦ ରୁ ଉର୍ଦ୍ଧ ପରିବାର । ଅନୁରୂପ ଭାବରେ ଏହି ସବୁ ମୈଳିକ ସୁବିଧାରୁ ବହୁ ସମୟରେ ବଞ୍ଚିତ ରୁହନ୍ତି ବଣ୍ଡା ଜନଜାତିର ଲୋକେ । ସ୍ୱାସ୍ଥ୍ୟ ସୁବିଧା ଟିକକ ନପାଇବା କାରଣରୁ ବହୁ ସମୟରେ ଅକାଳରେ ମୃତ୍ୟୁ ମୁଖରେ ପଡି ଯାଉଛନ୍ତି ଅନେକ ନିରିହ ଜିବନ । ଶିଶୁ ହୁଅନ୍ତୁ କି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ବାବଦରେ ନକହିବା ଭଲ । ଏହି ସବୁ ସ୍ୱାସ୍ଥ୍ୟ ଗତ ଅସୁବିଧା କାରଣ ଦାନ୍ତିପଡା ଗ୍ରାମର ଆଦିବାରିଙ୍କ ମନକୁ ଆନ୍ଦୋଳିତ କରିଥିଲା । ଫଲରେ +2 ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସେ ମନସ୍ଥ କରିନେଲେ ନିଜ ଜନଜାତି ଲୋକଙ୍କ ନିମନ୍ତେ କିଛି କରିବେ । ମନସ୍ତ କରିନେଲେ ଜି.ଏନ.ଏମ ପାଠ ପଢିବେ । ପାଠ ପଢା ସାରି ଲୋକଙ୍କର ସେବା କରିବେ । କିନ୍ତୁ ବଣ୍ଡା ଘାଟିରେ ଇନ୍ଟରନେଟ ସୁବିଧା ନରହିବା କାରଣରୁ ସେ ଅନଲାଇନ ପଞ୍ଜିକରଣ କରିପାରି ନାହାନ୍ତି । ଫଳରେ ଜି.ଏନ.ଏମ ପଢାରୁ ବଞ୍ଚିତ ରହିଛନ୍ତି । ଗୁହାରି କରିଛନ୍ତି ତାଙ୍କ ପ୍ରତି କିଛି କୋହଳ କଲେ ସେ ନର୍ସିଂ ପଢି ନିଜ ଜନଜାତିର ସେବା କରିବେ ।

ବଣ୍ଡା ଜନଜାତି ନିକଟରେ ଶିକ୍ଷା କହିଲେ ନାମକୁ ମାତ୍ର । ସରକାରି ବିଦ୍ୟଳୟରେ ଅଳ୍ପ କିଛି ପିଲା ପାଠପଢି ନିଜ ଭବିଷ୍ଯତ ନିମନ୍ତେ ଆଶା ବାନ୍ଧି ରହୁଛନ୍ତି । ତଥାପି ପିଲାଙ୍କୁ ପାଠ ପଢିବାକୁ ବଣ୍ଡା ଅଭିଭାବକ ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ପଢିବାକୁ ଛାଡୁଛନ୍ତି । କିନ୍ତୁ ନିଜେ ପାଠ ନ ପଢି ଆନ୍ଧାର ଭିତରେ ରହୁଥିବା ଅଭିଭାବକ ନିଜ ପିଲାଙ୍କ ଭବିଷ୍ଯତ ଗଢିବା ଆଶା ରଖିଛନ୍ତି । ଆଉ ଏହାରି ଭିତରେ ଆଦିବାରିକୁ ପାଠ ପଢାଇବାକୁ ପରିବାର କେତେ ଯେ କଷ୍ଟ କରିଛନ୍ତି ତାହା ସେହି ପରିବାର ହିଁ ଜାଣିଛନ୍ତି । ଆଦିବାରି ପାଠ ପଢିବା ଆଞ୍ଚଳର ଲୋକଙ୍କୁ ସେବା ଯୋଗାଇବେ । ଜି.ଏନ.ଏମ ପଢାରୁ ବଞ୍ଚିତ ରହିବା କାରଣରୁ ଏବେ ଚିନ୍ତିତ ରହିଛନ୍ତି । କିନ୍ତୁ ଆଦିବାରି ପରିବାରଙ୍କ ମନବଳ କେବେବି ଭାଙ୍ଗିବାକୁ ଦେଇ ନାହନ୍ତି । ପରିବାର ଲୋକଙ୍କର ସହାୟତା କରିବା ସହ ନିଜର ଭବିଷ୍ଯତ ଗଢିବା ନିମନ୍ତେ ସେ ସୁଦୃଢ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.