ପ୍ରକୃତି ରାଣୀର ପରସ ଛୁଆଁରେ ସଜେଇ ହୋଇଛି ଧରଣୀ ରାଣୀ, ମନ ମୋହୁଛି ଫୁଲୁ ଫୁଲିଆ ଘାସ

କାକଟପୁର: ପ୍ରକୃତି ରାଣୀର ପରସ ଛୁଆଁରେ ସଜେଇ ହୋଇଛି ଧରଣୀ ରାଣୀ । ରଙ୍ଗବେରଙ୍ଗର ଫୁଲ ଫଳ ସହିତ ଜାତି ଜାତିକା ଗଛ ଲତା ସୁନ୍ଦର କରିଛି ପରିବେଶକୁ । କର୍ମମୟ ଜୀବନର ଧାଁ ଦୌଡ ଭିତରୁ ସମୟ ବାହାର କରି, ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ମନ ଭରି ଉପଭୋଗ କରିବା ପାଇଁ ଲୋକମାନେ ଚାଲିଯାନ୍ତି ନିଜର ପସନ୍ଦର ନିରୋଳା ମନୋରମ ସ୍ଥାନକୁ । ସେହି ଭଳି ଏକ ମନୋରମ ସ୍ଥାନ ହେଉଛି ପୁରୀ ଜିଲ୍ଲାର ଅସ୍ତରଙ୍ଗର ଉପକୂଳ ଅଞ୍ଚଳ । ଅସ୍ତରଙ୍ଗର ପିର ଜାହାନିଆ ପର୍ଯ୍ୟଟନ ସ୍ଥାନ ହେଉ କିମ୍ବା ଗଙ୍ଗାଦେବୀ ପୀଠର ମ୍ୟାଙ୍ଗରୋଭ ରୀଟ୍ରେଟ ଅବା ନଦୀ ମୁହାଣର ହେନ୍ତାଳ ଜଙ୍ଗଲ ମଧ୍ୟରେ ବୋଟିଙ୍ଗ କରିବା ହେଉ । ଏଠାକାର ଶାନ୍ତ ସରଳ ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥାଏ ।

ଏହାରି ଭିତରେ ଗଙ୍ଗାଦେବୀ ପୀଠ ନିକଟ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଘାସ ଗଛ ଆଡକୁ ଟାଣିହୋଇ ଯାଉଛି ସମସ୍ତଙ୍କ ନଜର । ସ୍ଥାନୀୟ ଭାଷାରେ ଏହି ଗଛକୁ ଫୁଲ ଫୁଲିଆ ଗଛ ବୋଲି ସ୍ଥାନୀୟ ଲୋକମାନେ କହୁଥିବା ବେଳେ ଏହି ଫୁଲ ଫୁଲିଆ ଗଛ ପ୍ରକୃତି ରାଣୀକୁ ଏବେ ଆହୁରୀ ସୁନ୍ଦର କରିଦେଇଛି । ଅସ୍ତରଙ୍ଗ ଭଳି ଏକ ଉଷ୍ମ ଜଳବାୟୁର ପରିବେଶ ଭିତରେ ଏହି ଘାଷ ଗଛଟି ମାଟିର କଠିନ ଶଯ୍ୟାରେ ବରଫର ଚିତ୍ର ଅଙ୍କନ କରୁଛି । ଯାହା ଦେଖଣାହାରୀଙ୍କୁ ଏହି ଗଛଟି ତା ନିଜ ଆଡକୁ ଆକର୍ଷିତ କରୁଛି । ସକାଳୁ ସକାଳୁ ସତେ ଅବା ମାଟି ଉପରେ ଢାଳିଦେଉଛି ମେଞ୍ଚା ମେଞ୍ଚା ବରଫର ମରିଚିକା । ଏହାକୁ ବରଫ ଭାବି ସ୍ପର୍ଶ କଲେ ହାତରେ ବାରିହୋଇ ଯାଉଛି ଶୀତଳ କାକରର ଝାପସା ଝାପସା ଜଳ ବିନ୍ଦୁ ।

ସାଧାରଣ ଭାବରେ ଅଦରକାରୀ ଗୋଟେ ଘାସ ଗଛ ଦେହରେ ରଜନୀର ଶିଶିର ବୋଳି ହୋଇଗଲେ ସେ ପାଲଟି ଯାଉଛି ହିମଗିରିର ସଫେଦ ବରଫର ଛୋଟ ଛୋଟ କଣିକା ସଦୃଶ୍ୟ । ହେଲେ ବାସ୍ତବରେ ତାହା କୌଣସି ବରଫ କଣିକା ନ ହୋଇଥିଲେ ମଧ୍ୟ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ନଜର କୁ ଟାଣି ନେଉଛି ନିଜ ଆଡକୁ । ଚଉଁରି ସଦୃଶ୍ୟ ଛୋଟ ଛୋଟ ଫୁଲ ଦେହରେ ଶିଶିର କଣିକା ବୋଳି ହୋଇଗଲେ ଘାସ ଫୁଲଟି ବେଶ ଫୁଲେଇ ହୋଇ ନିଜକୁ ସୁନ୍ଦରୀ ଭାବରେ ଦେଖେଇ ହେଉଛି, ଆଉ ତାର ସୌନ୍ଦର୍ଯ୍ୟର ମୋହରେ ପଡି ତାକୁ ଭଲପାଇ ବସୁଛି ଆଧୁନିକର ଚାକଚକ୍ୟ ଭିତରେ ବୁଡି ରହୁଥିବା ମଣିଷ ।

baraf

ଫୁଲୁ ଫୁଲିଆ ଗଛର ଫୁଲ ଦେହରେ ରହିଥିବା ଛୋଟ ଛୋଟ ଛୁଞ୍ଚି ଭଳି ପାଖୁଡା ଦେହରେ ଶିଶିର ବିନ୍ଦୁ ଲାଗିଗଲା ପରେ ତାହା ବେଶ ମନୋହର ଦେଖା ଯାଉଥିବା ବେଳେ ବିସ୍ତିର୍ଣ୍ଣ ଜଙ୍ଗଲ ଅଞ୍ଚଳରେ ରହିଥିବା ପଡିଆ ସଫେଦ ବରଫର ଆସ୍ତରଣ ଭଳି ଦେଖାଯାଉଛି, ଯାହା ପ୍ରକୃତି ରାଣୀର ଏକ ନିଆରା ରୂପ ଭାବରେ ପରିବେଶବିତ ମାନଙ୍କୁ ବିମୋହିତ କରୁଛି ।

ଅସ୍ତରଙ୍ଗ ନିକଟ ଗଙ୍ଗାଦେବୀଙ୍କ ପୀଠ ନିକଟରେ ରହିଥିବା ଏହି ଅଞ୍ଚଳଟି ଝାଉଁ ଜଙ୍ଗଲ ଘେରା ଅଞ୍ଚଳ ଅଟେ, କିନ୍ତୁ ଗତ କିଛି ଦିନ ତଳେ ବନ ବିଭାଗ ପକ୍ଷରୁ ଏଠାରୁ ଜଙ୍ଗଲ କଟାଯାଇ ଏଠାରୁ ପୁରୀର ସ୍ଵର୍ଗଦ୍ଵାର ଏବଂ ଶ୍ରୀମନ୍ଦିରକୁ କାଠ ଯୋଗାଇଦିଆଯାଇଛି ଏବଂ ସେଠାରେ ନୂତନ ଝାଉଁ ଚାରା ରୋପଣ କରାଯାଇଛି । ଏହି ଫାଙ୍କା ଜଙ୍ଗଲ ପଡିଆ ମଧ୍ୟରେ ଫୁଲୁ ଫୁଲିଆ ଘାସ ଗଛର କମନୀୟ ସୁନ୍ଦର ଚିତ୍ର ଆମ କ୍ୟାମେରାରେ କୟଏ ହୋଇଛି । ଜଙ୍ଗଲ ମଧ୍ୟରେ ଏହି ଘାଷ ଗଛ ଲୁଚି ରହି ଯାଉଥିବା ବେଳେ ବର୍ତ୍ତ ମାନ ଫାଙ୍କା ପଡିଆ ମଧ୍ୟରେ ଏହାର ଚିତ୍ର ଦେଖିବାକୁ ମିଳିଛି । ଯାହା ପ୍ରକୃତି ରାଣୀର ଏକ ନୂଆ ଠିକଣା ଦେଖିବାକୁ ମିଳିପାରୁଛି ।

ଶିଶିର ବିନ୍ଦୁ ଏହି ଘାସ ଗଛ ଦେହରେ ପଡି ସୁନ୍ଦର ଦେଖା ଯାଉଥିବା ସହିତ ଝାଉଁ ଚାରାର ସରୁ ସରୁ ପତ୍ରରେ ଶିଶିର ବିନ୍ଦୁ ଲାଗି ଏକ ସୁନ୍ଦର ପ୍ରକୃତିକ ସୌଦର୍ଯ୍ୟରେ ସଜେଇ ହୋଇଛି । ଏହି ସୁନ୍ଦର ପ୍ରକୃତିକ ଦୃଶ୍ୟ ସକାଳ ସମୟରେ ଦେଖିବାକୁ ମିଳୁଥିବା ବେଳେ ସୂର୍ଯ୍ୟ ଉଦୟ ହେଲେ ଏହା ଆପେ ଆପେ ଲିଭିଯାଉଛି । ସତରେ ଶ୍ରଷ୍ଟାଙ୍କର ସୁନ୍ଦର ସୃଷ୍ଟରେ ଏହି ଶିଶିର ବିନ୍ଦୁର ଲୁଚକାଳି ଖେଳ ପ୍ରକୃତିକୁ ଆନନ୍ଦ ଦେଇ ଚାଲିଛି ।