ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ, ସଫା ନରଖିଲେ ଲୋକଙ୍କୁ ମିଳେ ନାହିଁ ଖାଦ୍ୟ

ଭାରତର ମେଘାଳୟରେ ଥିବା ଏକ ଛୋଟ ଗାଁ ନିଜର ସୁନ୍ଦରତା ପାଇଁ ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି । ଏହି ଗାଁ ମେଘାଳୟର ରାଜଧାନୀ ସିଲଙ୍ଗ ଠାରୁ ୯୦ କିମି ଦୂରରେ ଥିବା ଭାରତ- ବାଂଲାଦେଶ ସୀମାରେ ଅବସ୍ଥିତ । ଏହି ଗାଁର ନାମ ମଲିନଙ୍ଗ ।

(କେନ୍ୟୁଜ ବ୍ୟୁରୋ): ବିଶ୍ୱର ପ୍ରତ୍ୟେକ ସ୍ଥାନ କିପରି ସଫା ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ଉପାୟ ଅନୁସରଣ କରାଯାଉଛି । ଆଜି ଆମେ ଆପଣଙ୍କୁ ଏସିଆର ଏକ ସୁନ୍ଦର ଗାଁ ବିଷୟରେ କହିବାକୁ ଯାଉଛୁ । ଯେଉଁ ଗାଁ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ଜଣା, କିନ୍ତୁ ଏହା ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ କିପରି ହେଲା ତାହା ହୁଏତ ଆପଣ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

ଦେଶରେ ବଢୁଥିବା ସମୟ ସହିତ ପରିବେଶରେ ପ୍ରଦୁଷଣ ସମସ୍ୟା ବଢି ବଢି ଚାଲିଛି । ସମଗ୍ର ଦୁନିଆ ଏହି ସମସ୍ୟା ପାଇଁ ଚିନ୍ତାରେ ରହିଛି । କିନ୍ତୁ ଭାରତର ମେଘାଳୟରେ ଥିବା ଏକ ଛୋଟ ଗାଁ ନିଜର ସୁନ୍ଦରତା ପାଇଁ ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି । ଏହି ଗାଁ ମେଘାଳୟର ରାଜଧାନୀ ସିଲଙ୍ଗ ଠାରୁ ୯୦ କିମି ଦୂରରେ ଥିବା ଭାରତ- ବାଂଲାଦେଶ ସୀମାରେ ଅବସ୍ଥିତ । ଏହି ଗାଁର ନାମ ମଲିନଙ୍ଗ । ଲୋକେ ଏହାକୁ ମିନି ସୁଇଜରଲ୍ୟାଣ୍ଡ ମଧ୍ୟ କହିଥାନ୍ତି । ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ର ମାନ୍ୟତା ହାସଲ କରିଛି ଏହି ଗାଁ । ୨୦୨୩ ମସିହାରେ ଡିସକଭର ଇଣ୍ଡିଆ ମାଗାଜିନରେ ମଲିନଙ୍ଗ ଗାଁ କୁ ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ଚିହ୍ନିତ କରାଯାଇଛି ।

୧୯୮୮ ମସିହାରେ ମଲିନଙ୍ଗ ଗାଁରେ ମହାମାରୀ ବ୍ୟାପି ଥିଲା । ପ୍ରତ୍ୟେକ ସମୟରେ ଏଠାରେ ରୋଗ ବ୍ୟାପୁଥିଲା, ଏବଂ ଶିଶୁମାନେ ଅଧିକ ଏହି ରୋଗର ଶିକାର ହେଉଥିଲେ । ପରିସ୍ଥିତି ଗମ୍ଭୀର ହେବା ପରେ, ଏଠାରେ ପାଠ ପଢ଼ାଉଥିବା ଜଣେ ଶିକ୍ଷକ ମହାମାରୀ ବିରୋଧରେ ଲଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଏବଂ ଗାଁର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏଥି ପାଇଁ ଏକ ସମିତି ଗଠନ କରାଯାଇଥିଲା ।

ରାସ୍ତାରେ ଅଳିଆ ଆବର୍ଜନା ନପକାଇବା, ଘରେ ଘରେ ଶୌଚାଳୟ ନିର୍ମାଣ କରିବା ଏବଂ ଆବର୍ଜନାକୁ ରିସାଇକେଲ କରିବା ଭଳି ନିୟମ ସମିତିର କର୍ମକର୍ତ୍ତାମାନେ କରିଥିଲେ । ଏହା ବ୍ୟତୀତ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଧୂମପାନ ନକରିବା, ଏପରିକି ଛେପ ପକାଇବା ଉପରେ ମଧ୍ୟ ରୋକ ଲଗା ଯାଇଥିଲା । ମଲିନଙ୍ଗର ଲୋକମାନେ ଏହାକୁ ଗମ୍ଭୀରତାର ସହ ନେଇ ଏହାକୁ ମାନିଥିଲେ । ଏହାର ପରିଣାମ ସ୍ୱରୂପ ମଲିନଙ୍ଗ ଗାଁ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ମାନ୍ୟତା ପାଇଛି ।

ଏହି ଗାଁର ଲୋକମାନଙ୍କ ମଧ୍ୟରୁ ଯଦି ଏହି ନିୟମକୁ କେହି ନମାନନ୍ତି ତେବେ ସେମାନଙ୍କୁ ଖାଦ୍ୟ ଦିଆଯାଏ ନାହିଁ । ଏଠାରେ ଥିବା ନଦୀର ପାଣି ମଧ୍ୟ ସ୍ୱଚ୍ଛ । ଏହି ନଦୀର ନାମ ଡୌକି । ଦୁନିଆରେ ଥିବା ଅନେକ ସ୍ୱଚ୍ଛ ନଦୀ ମଧ୍ୟରେ ଏଠାରେ ଥିବା ନଦୀକୁ ମଧ୍ୟ ଗଣା ଯାଇଥାଏ । ଗାଁର ଏପରି ସ୍ୱଚ୍ଛତାକୁ ନେଇ ଏହାକୁ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ବିଚାର କରାଯାଇଛି ।

Leave A Reply

Your email address will not be published.