ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସାପୁଆର ଘଞ୍ଚ ଜଙ୍ଗଲ ସହ ଜଳରାଶି

ନୂଆବର୍ଷ ଯେତିକି ପାଖେଇ ଆସୁଛି ପର୍ଯ୍ୟଟନ ସ୍ଥଳରେ ଲୋକ ମାନଙ୍କ ସେତିକି ଭିଡ଼ ଜମୁଛି । ଆଉ ବଣଭୋଜି ର ଆସର ତା ମଧ୍ୟରେ ନିଆରା । ଶୀତ ଋତୁ ଆସିଲେ ଶୀତୁଆ ସକାଳର ମଜା ନବାକୁ ଭାରି ଭଲ ଲାଗେ । ଆଉ ଏହି ସମୟରେ ପିକନିକ କଥା ଆସିଲେ ସମସ୍ତଙ୍କର ପାହାଡ଼ ଝରଣା କଥା ମନକୁ ଆସେ ।  ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜିର ମଜା ଉଠାନ୍ତି ପର୍ଯ୍ୟଟକ । ତେବେ ପିକନିକ ଋତୁରେ ପର୍ଯ୍ୟଟକଙ୍କ ମନମୋହୁଛି ସାପୁଆ ଡ୍ୟାମ୍ ।

ହିନ୍ଦୋଳ ସବଡିଭିଜନ ର ତେଲିଭୁଇଁ ଛକଠାରୁ ୬ କିଲୋମିଟର ଦୂରରେ ରହିଛି ସାପୁଆ ଡ୍ୟାମ । ଏଠାକାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନଲୋଭା । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର ଘଞ୍ଚ ଜଙ୍ଗଲ ସହ ଜଳରାଶିର ଆକର୍ଷଣ ଅନେକଙ୍କୁ ଏଠାକୁ ଟାଣି ଆଣିଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଡିସେମ୍ବର ଠାରୁ ଜାନୁୟାରୀ ଦୁଇ ମାସ ଏଠାରେ ଦଳଦଳ ଲୋକ ଓ ଅନୁଷ୍ଠାନ ଭିଡ ଜମାଇଥାନ୍ତି । ଏଠାରେ ଛୁଆଙ୍କ ଠାରୁ ବୟସ୍କମାନଙ୍କ ଆଗମନ ବେଶ୍ ମନଛୁଆଁ ହୋଇଥାଏ ।

ରାଜ୍ୟସରକାରଙ୍କ ପକ୍ଷରୁ ଏବେ ପର୍ଯ୍ୟଟନ ବିଭାଗ ହାତକୁ ନେଇଥିବା ବେଳେ ଅନେକ କିଛି ପରିବର୍ତ୍ତନ ହୋଇଛି । ହେଲେ ଏଠାରେ ପାର୍କ, ଲାଇଟ୍ ଆଦି ହୋଇପାରି ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ହେଉଛନ୍ତି । ଏଠାରେ ଥିବା ସାପୁଆ ନଦୀରେ ବନ୍ଧ ତିଆରି ହୋଇ ଜଳଭଣ୍ଡାରରେ ଜଳ ଗଚ୍ଛିତ ରହୁଥିଲେ ମଧ୍ୟ ବୋଟିଂର ସୁବିଧା, ପିଇବା ପାଣି ସହ ଛୋଟଛୋଟ ପିଲାଙ୍କ ପାଇଁ ଶିଶୁଉଦ୍ୟାନ ଦୋଳିର ବ୍ୟବସ୍ଥା ହେଲେ ଅଧିକ ଆକର୍ଷଣ ହୋଇପାରନ୍ତା । ଏହି ପର୍ଯ୍ୟଟନ ସ୍ଥଳରେ ଆଖପାଖ ଅଞ୍ଚଳର ଲୋକେ ଜନ୍ମଦିନ ବିବାହ ବାର୍ଷିକ ପାଳନ କରିବା ପାଇଁ ଏଠାକୁ ଆସିଥାନ୍ତି । ପାହାଡ, ଝରଣା ପାଣି, କାଠ ଚୁଲିର ବଣଭୋଜି ସହ ଏଠାକାର ପରିବେଶ ତ ଅଧିକାଂଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତ ହେଲେ ଏହି ସାପୁଆର ବିକାଶ କେବେ ହେଉଛି ତାହା ଦେଖିବାକୁ ହିଁ ସମସ୍ତଙ୍କ ଅପେକ୍ଷା ।

ଏଠାରେ ଭିଡିଓ ଦେଖନ୍ତୁ …