ଆଜି ଚାରିଆଡେ ଗୁଞ୍ଜରି ଉଠୁଛି ସ୍ବାଧୀନତାର ସ୍ବର: ହେଲେ ନୁଆଁଣିଆ ଛପର ଘରେ ଗୁମୁରି କାନ୍ଦୁଛନ୍ତି ସଗ୍ରାଂମୀ ହୋଇ ବି ପରିଚୟ ପାଇନଥିବା ଗଜେନ୍ଦ୍ର

ଜଳେଶ୍ବର (କେନ୍ୟୁଜ୍‌) : ଆଜି ସାରା ଦେଶ ପାଳୁଛି ୭୪ ତମ ସ୍ୱାଧୀନତା ଦିବସ । ଚାରିଆଡେ ଗୁଞ୍ଜରି ଉଠୁଛି ସ୍ବାଧୀନତାର ସ୍ବର। ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନ ତଥା ସଂଗ୍ରାମୀମାନଙ୍କୁ ମନେ ପକାଉଛନ୍ତି ଦେଶବାସୀ । ହେଲେ ଏହି ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଛନ୍ତି ବୟୋବୃଦ୍ଧ ଗଜେନ୍ଦ୍ର ବେହେରା। ବୟସ ୧୦୮ ବର୍ଷ ହେଲାଣି । ଆଖିକୁ ଭଲ ଭାବେ ଦିଶୁନି କି ଚାଲିବାକୁ ଗୋଡ଼ରେ ବଳ ନାହିଁ । ଏ ବୟସରେ ବିତାଉଛନ୍ତି ଅତ୍ୟନ୍ତ ଦୟନୀୟ ଜୀବନ। ଆସନ୍ତୁ ଜଳେଶ୍ବରରୁ ଦେଖିବା ଏହି ସ୍ବାଧୀନତା ସଂଗ୍ରାମୀଙ୍କ ଦୁର୍ଦ୍ଦଶାର କାହାଣୀ ।

sanramiବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାୟାରାମଚନ୍ଦ୍ରପୁର ଗ୍ରାମର ବାସିନ୍ଦା ହେଉଛନ୍ତି ଗଜେନ୍ଦ୍ର ବେହେରା । ୧୯୧୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଆମ ଦେଶକୁ ଇଂରେଜମାନେ ଶାସନ କରୁଥାନ୍ତି । ଦେଶକୁ ସ୍ୱାଧୀନ କରିବା ପାଇଁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୩୨ରୁ ୧୯୪୩ ମସିହା ମଧ୍ୟରେ ବିଭିନ୍ନ ସମୟରେ ଭାରତ ଛାଡ, ଲବଣ ସତ୍ୟାଗ୍ରହ ଆଦି ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜଙ୍କ ଆକ୍ରୋଶର ଶିକାର ହୋଇ ଜେଲଦଣ୍ତ ମଧ୍ୟ ଭୋଗିଥିଲେ। ତେବେ ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ସିନା ସ୍ୱାଧୀନ ହେଲା ମାତ୍ର ଏବେ ସୁଦ୍ଧା ପରାଧୀନ ଭଳି ଜୀବନ ବିତାଉଛନ୍ତି ଏହି ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ। ନା ମିଳିଛି ସଂଗ୍ରାମୀ ମାନ୍ୟତା, ନା ପାଉଛନ୍ତି ସଂଗ୍ରାମୀ ଭତ୍ତା। ଏ ନେଇ ବାରମ୍ବାର ପ୍ରଶାସନ ଠୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିମାନଙ୍କୁ ଗୁହାରୀ କରିଛନ୍ତି । ହେଲେ କିଛି ବି ଲାଭ ହୋଇନାହିଁ । ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି ୧୦୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣକ।

sangramiiଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ବର୍ଷ ହେଲାଣି ଏହି ଚାଳ ଛପର ନୁଆଁଣିଆ ଘରେ ରହୁଛନ୍ତି । ଛପର ଘରର ଚାଳ କଣା ହୋଇଯାଇଛି । ତେଣୁ ଖରା, ବର୍ଷାକୁ ଅଟକାଇବା ଲାଗି ଛିଣ୍ଡା ପଲିଥିନ୍ ଢଙ୍କା ଯାଇଛି ଛପର ଉପରେ । କେତେବେଳେ ଘର ଭିତରକୁ ସାପ ପଶି ଆସୁଛି ତ, କେତେବେଳେ ବର୍ଷା ହେଲେ ଫୁଟା ପଲିଥିନରୁ ପାଣି ଗଳୁଛି। ଗୁହାଳ ଘରଠୁ ବି ଜରାଜୀର୍ଣ୍ଣ ଏହି ଘରେ ବର୍ଷ ବର୍ଷ ହେବ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଗଜେନ୍ଦ୍ର । ହେଲେ ପ୍ରଶାସନ ଯେମିତି ଅନ୍ଧ ପାଲଟିଛି ତାଙ୍କ ପାଇଁ ।

gajendraଓଳିଏ ଖାଇଲେ ଆରଓଳିକୁ ପେଟରେ ଓଦା କନା ପକାଇ ଲୁହକୁ ପିଇ ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରି ରହିଛନ୍ତି ଏହି ଦୁଇ ପ୍ରାଣୀ। ତେବେ ବେସାହାରା ଗଜେନ୍ଦ୍ରଙ୍କ ପାଖରେ କେବେ ପହଁଚୁଛି ପ୍ରଶାସନ ଆଉ କେବେ ମିଳୁଛି ସରକାରୀ ସହାୟତା। ଆଶା କରୁଛୁ ଜୀବନର ଶେଷ ଭାଗରେ ସରକାର ତୁରନ୍ତ ଗଜେନ୍ଦ୍ରଙ୍କ ଦୁଃଖ ଶୁଣିବେ, ଆଉ ତାଙ୍କୁ ସହାୟତା ଯୋଗାଇ ଦେବେ। ଅନ୍ତତଃ ଆମେ ଆମର ଭୁଲ ସୁଧାରି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାମାନ୍ୟ ଟିକେ ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରି ପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.