ଆଳୁ ତରକାରୀରେ ଲୁଚିଛି ସାପ ମୁଣ୍ଡ! ଦେଖୁ ଦେଖୁ ଚିତ୍କାର କଲେ ଏୟାର ହୋଷ୍ଟେସ୍‌…ଦେଖନ୍ତୁ ଭିଡିଓ

ତୁର୍କୀର ଏକ ବିମାନରେ ନିକଟରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ପରସା ଯାଇଥିବା ଇନ୍‌-ଫ୍ଲାଇଟ୍‌ ମିଲ୍‌ରେ ସାପର କଟା ମୁଣ୍ଡ ମିଳିଥିଲା, ଯାହାକୁ ଦେଖି ବିମାନ ଯାତ୍ରୀ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରିପୋର୍ଟ ମୁତାବକ, ଏହି ଘଟଣା ୨୧ ଜୁଲାଇର। ତୁର୍କୀର ଅଙ୍କାରାରୁ ଜର୍ମାନୀର ଡସେଲଡୋର୍ଫ ପାଇଁ ଉଡ଼ାଣ ଭରୁଥିବା ସନ୍‌ଏକ୍ସପ୍ରେସ ବିମାନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।

କ୍ୟାବିନ୍‌ର କ୍ରୁ ସଦସ୍ୟ ଦାବି କରିଛନ୍ତି ଯେ ସେ ଯେତେବେଳେ ଖାଦ୍ୟ ଖାଇବାକୁ ଯାଉଥିଲେ, ତ ଇନ୍‌-ଫ୍ଲାଇଟ୍‌ ମିଲ୍‌ରେ ଏକ ସାପ ମୁଣ୍ଡ ଆଳୁ ତରକାରୀ ଭିତରେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ଟ୍ଵିଟରରେ ସେୟାର କରାଯାଇଥିବା ଏହାର ଏକ ଭିଡିଓରେ କଟା ସାପ ମୁଣ୍ଡ ଖାଦ୍ୟ ଟ୍ରେ ମଝିରେ ପଡ଼ିଥିବାର ଦେଖାଯାଉଛି।

ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଯେମିତି ହିଁ ଲୋକଙ୍କ ସାମ୍ନାକୁ ଆସିଥିଲା, ତ ଏୟାରଲାଇନ କମ୍ପାନୀ ତୁରନ୍ତ ଏ ନେଇ ପ୍ରତିକ୍ରିୟା ରଖିଥିଲା। ସନ୍‌ଏକ୍ସପ୍ରେସ୍‌ର ଜଣେ ପ୍ରତିନିଧି ତୁର୍କୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣା ବିଲ୍‌କୁଲ ଅସ୍ୱୀକାର୍ଯ୍ୟ। ଏୟାରଲାଇନ ଫୁଡ୍‌ ସପ୍ଲାୟର ସହିତ ନିଜର ଚୁକ୍ତି ରଦ୍ଦ କରି ଦେଇଛି ଏବଂ ଘଟଣାର ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଛି।

ଏୟାରଲାଇନ କହିଛି, ‘ଆଭିଏସନ ଇଣ୍ଡଷ୍ଟ୍ରୀରେ ଆମର ୩୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ଆମେ ନିଜ ବିମାନରେ ଅତିଥିମାନଙ୍କୁ ଯେଉଁ ସେବା ପ୍ରଦାନ କରୁଛି, ତାହା ଯେପରି ଉଚ୍ଚ ଗୁଣବତ୍ତାର ହୋଇଥିବ, ଏହା ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି। ସେହିପରି ଅତିଥି ଏବଂ କର୍ମଚାରୀ ଉଭୟଙ୍କୁ ଯେପରି ଏକ ଆରାମଦାୟକ ତଥା ସୁରକ୍ଷିତ ଉଡ଼ାଣର ଅନୁଭବ ହେବ, ତାହା ଉପରେ ଯଥାସମ୍ଭବ ଧ୍ୟାନ ରଖୁଛୁ’।

ଏୟାରଲାଇନ କମ୍ପାନୀର କହିବା ହେଲା, ଇନ୍‌-ଫ୍ଲାଇଟ୍‌ ଫୁଡ୍‌ ସର୍ଭିସ୍‌ ସମ୍ବନ୍ଧରେ ଲଗାଯାଇଥିବା ଅଭିଯୋଗ ଅସ୍ୱୀକାର୍ଯ୍ୟ। ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ଏହି ବିଷୟ ଉପରେ ବିସ୍ତତ ଯାଞ୍ଚ ଆରମ୍ଭ କରି ଦିଆଯାଇଛି। ସେପଟେ ବିମାନରେ ଭୋଜନ ଯୋଗାଣ କରୁଥିବା କମ୍ପାନୀ ଦାବି କରିଛି ଯେ ଏଠାରେ ସେମାନଙ୍କ ଖାଦ୍ୟକୁ ୨୮୦ ଡିଗ୍ରୀ ସେଲ୍‌ସିୟସ୍‌ରେ ରନ୍ଧା ଯାଇଥାଏ। ଯେତେବେଳେ କି, ସାପର କଟା ମୁଣ୍ଡ ସେଭଳି ସ୍ଥିତିରେ ନାହିଁ। ଏହାକୁ ଟ୍ରେରେ ପରେ ରଖାଯାଇଛି।

କ୍ୟାଟରିଙ୍ଗ୍‌ କମ୍ପାନୀ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଏହା ସମ୍ପୂର୍ଣ୍ଣ ମନଗଢ଼ା, କେହି ଜାଣିଶୁଣି ଏପରି କରିଛି ବୋଲି କମ୍ପାନୀ ଜବାବ ରଖିଛି। ତେବେ ଘଟଣା ଲୋକଲୋଚନକୁ ଆସିବା ପରେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.