ସ୍ତ୍ରୀକୁ ଭାଗ ଦେବାକୁ ଚାହୁଁ ନ ଥିଲେ ସ୍ୱାମୀ, ଏଥିପାଇଁ ନିଜର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଘରେ ଲଗାଇ ଦେଲେ ନିଅାଁ, ପାଖରେ ବସି ଦେଖିଲେ ଦୃଶ୍ୟ

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ତାଙ୍କ ଭାଗ ନ ଦେବା ଚକ୍କରରେ ଜଣେ ବ୍ୟକ୍ତି ନିଜର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଘରକୁ ନିଅାଁ ମୁହଁକୁ ଠେଲି ଦେଇଛନ୍ତି। ଖବରରୁ ଜଣାପଡ଼ିଛି, ବ୍ରିଟେନର ୭୫ ବର୍ଷୀୟ ଜନ୍‌ ମ୍ୟାକକୋରୀ କୋର୍ଟଙ୍କ ଆଦେଶରେ ଆଦୌ ସନ୍ତୁଷ୍ଟ ନ ଥିଲେ। କାହିଁକିନା, କୋର୍ଟ ତାଙ୍କ ଘର ବିକ୍ରିରୁ ମିଳିବାକୁ ଥିବା ଟଙ୍କାର ଅଧା ଭାଗ ସ୍ତ୍ରୀଙ୍କୁ ଦେବାକୁ କହିଥିଲେ। ଏଥିଯୋଗୁ ସେ ନିଜ ଘରକୁ ହିଁ ନିଅାଁ ଲଗାଇ ଜାଳି ଦେଇଛନ୍ତି। ଘରର ଦାମ୍‌ ୫୫୦,୦୦୦ ପାଉଣ୍ଡ ଅର୍ଥାତ୍‌ ୫ କୋଟି ୬୬ ଲକ୍ଷ ୪୫ ହଜାର ୨୨୫ ଟଙ୍କା।

ଖବର ଅନୁସାରେ, ଜନ୍‌ ମ୍ୟାକକୋରୀ ଘରକୁ ଜାଳିଦେବା ପରେ ଆରାମରେ ପାଖରେ ବସି ମଦ ପିଇଥିଲେ। ଏପରିକି, ସେ ଦମକଳ ବିଭାଗକୁ ବି ଫୋନ୍‌ କରି ନ ଥିଲେ। ନିଅାଁରେ ହୋଇଥିବା କ୍ଷୟକ୍ଷତି ଯେପରି ଭରଣା ହୋଇ ନ ପାରିବ, ସେଥିପାଇଁ ସ୍ତ୍ରୀଙ୍କୁ ନ କହି ଇନ୍‌ସ୍ୟୁରାନ୍ସର ପ୍ରିମିୟମ ଭରିବା ବି ବନ୍ଦ କରି ଦେଇଥିଲେ। ଏହି ପୂରା ମାମଲାର ଖୁଲାସା ଏକ୍ସେଟର କ୍ରାଉନ କୋର୍ଟରେ ଶୁଣାଣି ସମୟରେ ହୋଇଛି।

ପୋଲିସ ଓ ଦମକଳ ବିଭାଗ କୋର୍ଟଙ୍କୁ କହିଥିଲେ କି, ଏହି ନିଅାଁ ଆକସ୍ମିକ ନୁହେଁ, ବରଂ ଜାଣିଶୁଣି ଲଗାଯାଇଛି। ଏଥିପାଇଁ ଜନ୍‌ ମ୍ୟାକକୋରୀ ହିଁ ଦାୟୀ। ସେ ନିଜ ଘରର ନିଲାମୀକୁ ନେଇ ଖୁସି ନ ଥିଲେ, ଯେଉଁଥିପାଇଁ ନିଲାମୀର ୩ ଦିନ ପୂର୍ବରୁ ହିଁ ଘରେ ନିଅାଁ ଲଗାଇ ଦେଇଥିଲେ, ଯେପରି ସ୍ତ୍ରୀଙ୍କୁ ତାଙ୍କ ଭାଗ ଦେବାକୁ ଆଉ ପଡ଼ିବ ନାହିଁ। ଜନ୍‌ ମ୍ୟାକକୋରୀ ଓ ତାଙ୍କ ସ୍ତ୍ରୀ ଏହି ଘରେ ୨୦ ବର୍ଷ ଧରି ରହି ଆସୁଥିଲେ। ପୋଲିସର କହିବା ହେଲା, ଜନ୍‌ ପ୍ରୋପେନ ଗ୍ୟାସ୍‌ ସିଲିଣ୍ଡରରେ ବ୍ଲୋଟର୍ଚ୍ଚ ସାହାଯ୍ୟରେ ଘରେ ନିଅାଁ ଲଗାଇ ଦେଇଥିଲେ। ନିଅାଁ ଦେଖି ଯେତେବେଳେ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ, ତ ସେ କହିଥିଲେ କି, ମୁଁ ନିଜ ଘରକୁ ଜଳୁଥିବାର ଦେଖୁଛି।

ଯାଞ୍ଚକର୍ତ୍ତା କୋର୍ଟଙ୍କୁ କହିଛନ୍ତି କି, ୧୭ ଜୁନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି, ଯାହାର ଠିକ୍‌ ୩ ଦିନ ପରେ ଏହାକୁ ୫୫୦,୦୦୦ ପାଉଣ୍ଡରେ ବିକ୍ରି କରାଯାଇ ଥାଆନ୍ତା। ତେବେ ଘରେ ଏତେ କ୍ଷୟକ୍ଷତି ହୋଇଥିଲା ଯେ ଏହାକୁ କେବଳ ୩୨୦,୦୦୦ ପାଉଣ୍ଡ ହିଁ ମିଳିପାରିଛି। ଅନ୍ୟପକ୍ଷରେ ଜନ୍‌ ନିଜକୁ ବଞ୍ଚେଇବାକୁ ଯାଇ କୋର୍ଟଙ୍କୁ କହିଛନ୍ତି କି, ଓ୍ଵାର୍କଶପ୍‌ରେ ପିତ୍ତଳ କବାଟର ହ୍ୟାଣ୍ଡେଲକୁ ବ୍ଲୋଟର୍ଚ୍ଚରେ ସଫା କରୁଥିବା ସମୟରେ ଦୁର୍ଘଟଣାବଶତଃ ନିଅାଁ ଲାଗିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.