ବଦଳି ଯାଇଛି ଘଞ୍ଚଜଙ୍ଗଲ, ପାହାଡ଼ ଭିତରେ ଲାଲ ଗର୍ଜନ ଶୁଭୁଥିବା କୋରାପୁଟର ଚିତ୍ର

ଜୟପୁର: ବଣ ପାହାଡ, ଅଣ ଓସାରିଆ ରାସ୍ତା, ଘଞ୍ଚ ଜଙ୍ଗଲ । ମଝି ମଝିରେ ଆକାଶ ଆଉ ପାହାଡ଼ର ମିଳନ ସହ ଝରଣାର କୁଳୁକୁଳୁ ଶବ୍ଦ । ତା ସାଙ୍ଗକୁ ସୌନ୍ଦର୍ଯ୍ୟରେ ପରିପୂର୍ଣ ଆଦିବାସୀ ବହୁଳ କୋରାପୁଟ । ସେଦିନ ଏଇ ପାହାଡ ଥିଲା ନକ୍ସଲଙ୍କ ଗଡ଼ । ଯେଉଁଠି ଚାଲିଥିଲା ମାଓବାଦୀଙ୍କ ରାଜ୍ । ଶୁଭୁଥିଲା ଗୁଳିର ଗର୍ଜନ । ଜମୁଥିଲା ଲାଲ ଆତଙ୍କ । ସେଦିନର ସୁନଶାନ ରାସ୍ତା ସବୁ ଏବେ ଚଳଚଞ୍ଚଳ । ଲୋକଙ୍କ ଭୟଭିତ ଜୀବନ ଏବେ ଉନ୍ମୁକ୍ତ । ୧୦ ବର୍ଷ ତଳେ ଜନତାଙ୍କ ଠୁ ନେତା ସମସ୍ତଙ୍କ ପାଇଁ ମନା ଥିଲା ଏହି ରାସ୍ତା । କାରଣ ଏହା ଥିଲା AOB କରିଡର ଆନ୍ଧ୍ର–ଓଡିଶା ବର୍ଡର ସେଣ୍ଟାଲ ଡିଭିଜିନାଲ କମିଟିର ଜୋନ୍ । ଯେଉଁଠି ସଂପୂର୍ଣ୍ଣ ଭାବେ ସ୍ଥିତି ଜାହିର କରିଥିଲେ ଲାଲ ବାହିନୀ ।

ଘଟଣାକ୍ରମ ଦେଖିଲେ ବିଶେତଃ ଜିଲ୍ଲାର ପଟାଙ୍ଗି ଓ ସେମିଳିଗୁଡା ଅଞ୍ଚଳ ତଥା ଆଖପାଖରେ ଘଟିଛି ଅନେକ ଅଘଟଣ ଯେଉଁଥିରେ ଯାଇଛି ଅନେକ ଜୀବନ । ନଜର ପକାନ୍ତୁ ଥରେ ଏହି ଚର୍ଚ୍ଚିତ ଅଘଟଣ ଉପରେ । ୨୦୦୪/୨୦୦୬ ପୋଲିସ୍ ମୁଖ୍ୟାଳୟ ଆକ୍ରମଣ ସହ ମାଓବାଦୀଙ୍କ କୋରାପୁଟ ଅସ୍ତ୍ରାଗାର ଲୁଟ୍ । ୨୦୧୬ ନଭେମ୍ବର ୧୯ ଅପହରଣ,ହତ୍ୟା ଓ ମେସିନ ଜଳାପୋଡା ଘଟଣା । ୨୦୧୭ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଗଡିଥିଲା ୮ ପୋଲିସଙ୍କ ମୁଣ୍ଡ । ପୁଣି ୨୦୧୭ରେ ଗୁଳି ବିନିମୟ । ୨୦୧୮ ମାର୍ଚ୍ଚରେ ଗୁଳି ବିନିମୟରେ ଗଡିଥିଲା ୪ ମାଓବାଦୀଙ୍କ ମୁଣ୍ଡ । ଅନେକ ପୋଲିସ, ଯବାନ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ସୁରକ୍ଷା ବାହିନୀ ମୁତୟନ ଓ ବଳିଦାନ ପରେ ଏବେ ବଦଳିଛି ଚିତ୍ର । ମାଓ ଭୟରୁ ମୁକ୍ତ କୋରାପୁଟ । ମାଓଗଡ ଭାବେ ପରିଚିତ ବୋରାପୁଟ ଜିଲ୍ଲା ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ଯାହା ସମଗ୍ରିକ ବିକାଶ ର ମାଧ୍ୟମ ହୋଇପାରେ । ସମୟ ସହ ବଦଳି ଯାଇଛି ଏଇ ମାଳ ଅଞ୍ଚଳର ରୂପରେଖ ।

ଲାଲଗଡ଼ କୋରାପୁଟ ଏବେ ସାଜୁଛି ଫିଲ୍ମଗଡ଼ । କାରଣ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ଆଉ ଚାଲିଛି ମୁଭି କ୍ରେଜ୍ । ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରି ଏବେ କୋରାପୁଟ ମୁହାଁ । ମାସ ମାସ ଧରି ନାମିଦାମୀ କଳାକାର କୋରାପୁଟରେ ଡେରା ପକେଇ ପ୍ରାକୃତିକ ସୋନ୍ଦର୍ଯ୍ୟକୁ ଚଳଚିତ୍ରରେ ସ୍ଥାନ ଦେଇଛନ୍ତି ଯାହା ଜିଲ୍ଲାର ଆର୍ଥିକ ମାନଚିତ୍ରକୁ ବଦଳାଇବାର ସମ୍ଭାବନା ସୃଷ୍ଟି କରିବ ବୋଲି କହିଛନ୍ତି ଲୋକେ । ସେପଟେ ଦେଓମାଳୀ ତଲମାଲି ଭଳି ସ୍ଥାନକୁ ପ୍ରଶାସନ ମ୍ୟାରେଜ ଡେଷ୍ଟିନେସନ ଘୋଷଣା କରିବା ପରେ ଏହି ସ୍ଥାନ ସ୍ୱତନ୍ତ୍ରତା ଆହୁରି ବଢ଼ିଛି । ଏସବୁ ସ୍ଥାନରେ ପ୍ରଶାସନ ଅଧିକ ପୁଞ୍ଜି ବିନିଯୋଗ କଲେ ଆହୁରି ଆକର୍ଷଣୀୟ ଓ ବ୍ୟବସୟୀ କରଣ ହୋଇପାରିବ ବୋଲି କହନ୍ତି ଯୁବ ଗୋଷ୍ଠୀ ।

ବର୍ତମାନ ପର୍ଯ୍ୟଟନ ସହ ଫିଲ୍ମ ପର୍ଯ୍ୟଟନକୁ ଯୋଡୁଛି କୋରାପୁଟ । ପ୍ରାକୃତିକ ସୁସ୍ଥ ଓ ସୋହାର୍ଯ୍ୟପୂର୍ଣ୍ଣ ବାତାବରଣ ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଥିବା ବେଳେ ଏଇ ମାଳ ଅଞ୍ଚଳ ଏବେ ଟଲିଉଡ, ଓଲିଉଡ ଓ ବଲିଉଡକୁ ଆକର୍ଷିତ କରୁଛି । ଦମନ,ପୁଷ୍ପା-୨, ଭଳି ଚଳଚ୍ଚିତ୍ର ସୁଟିଂ ପରେ ବ୍ଲକ୍ ବଷ୍ଟର ଡାଇରେକ୍ଟର ରାଜା ମଉଲିଙ୍କ ଆଗାମୀ ଚଳଚିତ୍ର ସୁଟିଂ କୋରାପୁଟ ରେ ଚାଲିବା ଅଞ୍ଚଳ ପାଇଁ ଏକ ନୁଆ ସମ୍ବାବନା ସୃଷ୍ଟି କରିଛି । ପୂର୍ବ ପରି ସୁରକ୍ଷା ଦିଗରେ କୌଣସି କଟକଣା ନଥିବା ସାଙ୍ଗକୁ ଭରପୁର ପ୍ରାକୃତିକ ପରିବେଶ ପାଇଁ ଗତ କିଛି ବର୍ଷ ଧରି କୋରାପୁଟ କୁ ଛୁଟୁଛି ଫିଲ୍ମ ନିର୍ଦ୍ଦେଶକଙ୍କ ସୁଅ ।

ତେବେ ହାଇପ୍ରୋଫାଇଲ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତା ଅଭିନେତ୍ରୀଙ୍କ ପରେ ସାଉଥ ଓ ବଲିଉଡ ଆକ୍ଟର ଆଲୁ ଅର୍ଜୁନ,ଅନୁଷ୍କା ସେଟ୍ଟି, ଦେଶୀ ଗାର୍ଲ ପ୍ରିୟଙ୍କା, ଆକ୍ଟର ମହେଶ ବାବୁ ଙ୍କ ଭଳି ଅଭିନେତା ଅଭିନେତ୍ରୀଙ୍କୁ ପାଇ ଲୋକଙ୍କ ଉତ୍ସାହ ଆକାଶଛୁଆଁ । ହୋଟେଲ ବ୍ୟବସାୟ ଠୁ ଆରମ୍ଭ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେଉଛନ୍ତି ସ୍ଥାନୀୟ ଲୋକେ । ବ୍ୟବସାୟୀ କହନ୍ତି ଆଗକୁ ଜିଲ୍ଲାର ଆର୍ଥିକ ବିକାଶ ହେବାର ଏକ ନୂଆ ରାସ୍ତା ସୃଷ୍ଟି ହେଉଛି ସେପଟେ ବୁଦ୍ଧିଜୀବୀଙ୍କ ମତ ଅଞ୍ଚଳଗୁଡିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଉନ୍ନତିକରଣ କରାଗଲେ ଆକର୍ଷଣର କେନ୍ଦ୍ରବିନ୍ଦୁ ସହ କଳାକାରଙ୍କ ପାଇଁ ସୁଯୋଗ ଓ ଫିଲ୍ମ ଟୁରିଜିୟମ ରାସ୍ତା ପ୍ରଶସ୍ଥ କରିବ ଏଥିରେ ସନ୍ଦେହ ନାହିଁ ।

ଆହୁରି ପଢନ୍ତୁ: ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ, ଘୋଷଣା କରିବ OERC