କନ୍ଧମାଳ ଜିଲ୍ଲାର ବିଭିନ୍ନ ପାରମ୍ପରିକ ଯାତ୍ରା ମଧ୍ୟରେ କାନ୍ଦୁଲ ଭଜା ଯାତ୍ରା ଅନ୍ୟତମ

କନ୍ଧମାଳ ଜିଲ୍ଲାର ବିଭିନ୍ନ ପାରମ୍ପରିକ ଯାତ୍ରା ମଧ୍ୟରେ କାନ୍ଦୁଲ ଭଜା ଯାତ୍ରା ଅନ୍ୟତମ l ଯାହା ପାରମ୍ପରିକ କୃଷି ଭିତ୍ତିକ ପର୍ବ ରୂପେ ହଜାର ହଜାର ବର୍ଷ ହେଲା ପିଢ଼ି ପରେ ପିଢ଼ି ଦ୍ୱାରା ପାଳନ ହୋଇ ଆସୁଛି l କନ୍ଧମାଳ ଜିଲ୍ଲା ଇଂରେଜଙ୍କ ଆଗମନ ପୂର୍ବରୁ ଅର୍ଥାତ ୧୮୩୬ ମସିହା ପୂର୍ବରୁ ଘୁମୁସର ଓ ସାନ ଖେମୁଣ୍ଡି ରାଜ୍ୟ ଅଧିନସ୍ତ ରହିଥିଲା l ଏହି କନ୍ଧମାଳ ଜିଲ୍ଲାରେ ପର୍ବତ ପାହାଡ଼, ବୃକ୍ଷ, ନଦୀ, ଝରଣା ଓ ଧରଣୀ ଦେବତା ତଥା ପ୍ରକୃତି ଉପରେ ଆଦିମ ଜାତିଙ୍କ ଧର୍ମ ବିଶ୍ୱାସ ରହିଥିଲା l ପ୍ରକୃତି ଉପରେ ଆଦିମ ଅଧିବାସୀଙ୍କ ବିଶ୍ୱାସ ରହିଥିଲେ ବି ଏଠାରେ ଶକ୍ତି ଉପାସନା ଅତି ପ୍ରାଚୀନ ମାନବ ସଭ୍ୟତା ଗଢି ଉଠିବା ଦିନଠାରୁ ପ୍ରକୃତି ଉପାସନା ସହିତ ଆଦିଶକ୍ତି ପୂଜା ଚାଲି ଆସିଛି l କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳର ଆରାଧ୍ୟ ଦେବୀ ମା ପାଟଖଣ୍ଡା ଆଦିଶକ୍ତି ଉପାସନାର ଅନ୍ୟତମ ପ୍ରତୀକ ଭାବେ ଅନେକ ଦିନରୁ ପୂଜା ପାଇ ଆସୁଛନ୍ତି l ଆରାଧ୍ୟ ଦେବୀ ମା ପାଟଖଣ୍ଡାଙ୍କ ପୀଠରେ ପାଳିତ ଅନେକ ପର୍ବ ଓ ଯାତ୍ରା ମଧ୍ୟରେ କାନ୍ଦୁଲ ଭଜା ଯାତ୍ରା ଅନ୍ୟତମ l ପୂର୍ବଜଙ୍କ କଥିତ କଥା ଅନୁଯାୟୀ ଏହି ଯାତ୍ରାର ଵିଧି ବିଧାନ ପିଢ଼ି ପରେ ପିଢ଼ି ପାଳନ କରି ଆସୁଛନ୍ତି l କିମ୍ବଦନ୍ତୀ ଅନୁସାରେ ଏକ ହଜାର ବର୍ଷରୁ ଉର୍ଦ୍ଧ ହେବ ବଲାଙ୍ଗୀର ଜିଲ୍ଲା ଝରା ସିଙ୍ଗରୁ ମା ପାଟଖଣ୍ଡାଙ୍କ ଆଗମନ ପରେ ପଶ୍ଚିମ ଓଡିଶାର ନୂଆଖାଇ ପର୍ବ ପରି ଏହି କାନ୍ଦୁଲ ଭଜା ଯାତ୍ରା ପାଳନ ହୋଇ ଆସୁଛି l ବାଲିଗୁଡା ଅଂଚଳର ମହାସିଙ୍ଗ ଗଡ଼ ହେଉଛି ମା ପାଟଖଣ୍ଡାଙ୍କ ଆଦି ପୀଠ l ତେଣୁ ଏହି ମହାସିଙ୍ଗରେ ସର୍ବ ପ୍ରଥମେ କାନ୍ଦୁଲ ଯାତ୍ରା ପାଳନ ପରେ ବାଲିଗୁଡା, ବାରଖମା, ପୁସାଙ୍ଗିଆ, ସାରଙ୍ଗଡ଼ ଆଦି ଅଠର ଗୋଟି ମୁଠା ଅଞ୍ଚଳରେ ଏହି କାନ୍ଦୁଲ ଭଜା ଯାତ୍ରା ପାଳନ ହୁଏ l ମା ପାଟଖଣ୍ଡା ଦେବୀଙ୍କୁ ଏକ ପ୍ରସ୍ତର ଖଣ୍ଡ ବା ଶିଳରେ ସିନ୍ଦୁର ଲେପନ କରି ବୃକ୍ଷ ମୂଳରେ ପୂଜା କରାଯାଏ l ମା ଙ୍କ ପୀଠରେ ନୂଆ କାନ୍ଦୁଲ, ଝୋଟା ମଞ୍ଜି, ମହୁଲ ଫୁଲ, ପଳାସ ଫୁଲ, ଆମ୍ବ କସିକୁ ଅର୍ପଣ କରାଯାଏ l ମା ଙ୍କୁ ଅର୍ପଣ ପରେ ଏହି ନୂଆ ଫଳକୁ ସମସ୍ତେ ଖାଇଥାନ୍ତି ଯାହା କାନ୍ଦୁଲ ଭଜା ଯାତ୍ରା ନାମ ରେ ପରିଚିତ l ଏହି କାନ୍ଦୁଲ ଯାତ୍ରା ପାଳନ କଲେ ମାଟି ମା ଶାନ୍ତି ହେବା ସହିତ ଗାଁ ର ସୁଖ, ଶାନ୍ତି, ସମୃଦ୍ଧି, ରୋଗବ୍ୟାଧି ଦୂର ହେବା ସହିତ ଅଂଚଳର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି l ଧରଣୀ ପେନୁ ବା ମାଟି ଦେବତା ଶାନ୍ତ ହେଲେ ଚାଷ କାର୍ଯ୍ୟ ଭଲ ହେବା ସହ ଭଲ ଫସଲ ଉତ୍ପାଦନ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି l

କାନ୍ଦୁଲ ଯାତ୍ରା ନିମନ୍ତେ ପ୍ରଥମ ଦିନ ଗାଁ ର ରାଜାଙ୍କ ଘରେ କାନ୍ଦୁଲକୁ ସିଝାଇ ରଖାଯାଏ l ପ୍ରତି ଘରେ ଘରେ ଲିଆ ମୁଆଁ ପ୍ରସ୍ତୁତ କରାଯାଏ l ପରଦିନ ରାଜାଙ୍କ ଘରୁ କାନ୍ଦୁଲ ସହ ଖଣ୍ଡା ବାହାରି ମନ୍ଦିରକୁ ଯାଇଥାଏ l ଏଥିରେ ରାଜାଙ୍କ ସହ ଗ୍ରାମବାସୀ ନଡ଼ିଆ ସିନ୍ଦୂର ଧୂପ ଧରି ଶୋଭାଯାତ୍ରାରେ ବାଦ୍ୟଯନ୍ତ୍ର ବଜାଇ ମା ପାଟଖଣ୍ଡା ପୀଠରେ ପହଞ୍ଚି ପୂଜାର୍ଚନା କରି, ମା ଙ୍କୁ ପ୍ରଥମ କରି ହୋଇଥିବା ନୂଆ କାନ୍ଦୁଲ, ଝୋଟା ଆଦିକୁ ଅର୍ପଣ କରିଥାନ୍ତି l ପରେ ସମସ୍ତେ ଏହାକୁ ସେବନ କରିଥାନ୍ତି l ଯାହାକି ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ନାମରେ ପ୍ରସିଦ୍ଧ ଲାଭ କରିଛି l ମା ଙ୍କ ଠାରେ କାନ୍ଦୁଲ ନ ଲାଗିବା ପୂର୍ବରୁ ସେବନ କଲେ ଗ୍ରାମକୁ ବିପଦ ମାଡି ଆସେ ବୋଲି ବିଶ୍ୱାସ ରହିଛି l ତେବେ ଏହି ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା କାହିଁ ଆବାହନ କାଳରୁ ଚାଲି ଆସିଥିବା ବେଳେ ଏହାକୁ ଉଦ୍ଜୀବିତ ରଖିବା ପାଇଁ ପ୍ରତି ବର୍ଷ ସମସ୍ତ ମୁଠା ଅଂଚଳ ରେ ମହା ଆଡମ୍ବର ସହ ରୀତିନୀତି ଅନୁଯାଇ ପାଳନ କରାଯାଉଛି l ଏହି ପ୍ରଥା ଆଧୁନିକତା ର ଛାପରେ ଦୁରେଇ ନ ଯାଇ କିପରି ପିଢ଼ି ପରେ ପିଢ଼ି ମଧ୍ୟ ନିଜ ସଂସ୍କୃତି ପରମ୍ପରା କୁ ବଜାୟ ରଖି ପାରିବେ ସେ ନେଇ ପ୍ରୟାସ ଜାରି ରହିଛି l

କନ୍ଧମାଳ ଜିଲ୍ଲାର ଅନେକ ପରମ୍ପରା ମଧ୍ୟରେ ନିଆରା ଏକ ପାରମ୍ପରିକ ଯାତ୍ରା ଏହି କାନ୍ଦୁଲ ଭଜା ଯାତ୍ରା l ଆଧୁନିକତାର ଛାପ ମଧ୍ୟରେ ଆଜି ବି ଉଦ୍ଜୀବିତ ରହିଛି ହଜାର ବର୍ଷ ପୂର୍ବର ଏହି ସଂସ୍କୃତି ଓ ପରମ୍ପରା l ସେଥିପାଇଁ ତ ଏହି କୃଷି ଭିତ୍ତିକ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରାରେ ରହିଛି ଅନେକ ସ୍ୱତନ୍ତ୍ରତା l