ବାହାଘରରେ ବଳିଗଲା ପ୍ରଚୁର ଖାଦ୍ୟ, ନ ଫିଙ୍ଗି ସେହି ବିଳମ୍ବିତ ରାତିରେ ହିଁ ଷ୍ଟେଶନ ପହଞ୍ଚିଗଲେ ମହିଳା; ଜଣ ଜଣ କରି ସବୁ ଗରିବଙ୍କ ମୁହଁରେ ଦେଲେ ଦାନା

ଏବେ ଚାଲିଛି ବିବାହ ଋତୁ। ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଛି। ବିବାହ ବ୍ୟତୀତ ଅନ୍ୟାନ୍ୟ ସମାରୋହରେ ମଧ୍ୟ ଲୋକେ ଅତିଥିଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରୁଛନ୍ତି। କେହି ବି ନିଜ ଅତିଥିମାନଙ୍କୁ ଖାଲି ପେଟ ଯିବାକୁ ଦେଉ ନାହାନ୍ତି। କିନ୍ତୁ ପ୍ରବଳ ମାତ୍ରାରେ ପ୍ରସ୍ତୁତ ହେଉଥିବା ବିବାହ ଭୋଜିରେ କିଛି କିଛି ଜିନିଷ ବଳକା ରହି ଯାଇଥାଏ। ଆଉ ଏହି ଅବଶିଷ୍ଟ ଖାଦ୍ୟଗୁଡ଼ିକୁ କେଉଁଠି ଫିଙ୍ଗି ଦିଆଯାଇଥାଏ ତ କେଉଁଠି କାହାକୁ ବଣ୍ଟା ଯାଇଥାଏ। ଏମିତିରେ ପଶ୍ଚିମବଙ୍ଗର ଜଣେ ମହିଳା ବିବାହ ଭୋଜିକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ସେ ନିଜ ଭାଇ ବାହାଘରରେ ବଳିଥିବା ଖାଦ୍ୟକୁ ଧରି ଗରିବ ଲୋକଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାହାକୁ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଏହାଦ୍ୱାରା ଖାଦ୍ୟ ନଷ୍ଟ ହେଲା ନାହିଁ ଏବଂ ଗରିବର ପେଟ ମଧ୍ୟ ଭରିଗଲା। ବର୍ତ୍ତମାନ ମହିଳା ଜଣକ ନିଜର ଏହି କାମ ଯୋଗୁ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ହଜାର ହଜାର ଲୋକଙ୍କ ହୃଦୟ ଜିତିଛନ୍ତି ଏହି ମହିଳା।

ଫେସ୍‌ବୁକରେ େଓ୍ଵଡିଙ୍ଗ୍‌ ଫଟୋଗ୍ରାଫର ନିରଞ୍ଜନ ମଣ୍ଡଳ ମହିଳାଙ୍କ ଫଟୋ ସେୟାର କରିଛନ୍ତି, ଯାହାଙ୍କ ନାଁ ପାପିୟା ବୋଲି କୁହାଯାଉଛି। ଫଟୋରେ ଦେଖିବାକୁ ମିଳୁଛି କି, ମହିଳା କୋଲକାତାର ଏକ ରେଲେଓ୍ଵ ଷ୍ଟେଶନରେ ବସି ବିବାହ ଭୋଜିର ବଳକା ଖାଦ୍ୟକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟୁଛନ୍ତି। ବାସ୍ତବରେ, ଏହି ବିବାହ ମହିଳାଙ୍କ ଭାଇଙ୍କର ଥିଲା। ବିବାହ ସମାରୋହରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା, ଯାହାର ମାତ୍ରା ବି ଢେର ଅଧିକ ଥିଲା। ଏମିତିରେ ଅତିଥିମାନେ ଖାଇବା ପରେ ମଧ୍ୟ ଖାଦ୍ୟ ବଳକା ରହି ଯାଇଥିଲା। ଏହି ଘଟଣା ୪ ଡିସେମ୍ବର ବିଳମ୍ବିତ ରାତି ଗୋଟାଏର ବୋଲି କୁହାଯାଉଛି।

ମହିଳା ଜଣକ ଏହି ଖାଦ୍ୟକୁ ନଷ୍ଟ କରିବା ବଦଳରେ ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଣ୍ଣୟ ନେଇଥିଲେ। ସେ ଭାଇ ବାହାଘରରୁ ସିଧା ଉଠି କୋଲକାତାର ଉପନଗରୀୟ ରେଲେଓ୍ଵ ଷ୍ଟେଶନ ରାନାଘାଟ ଜଙ୍କସନରେ ପହଞ୍ଚି ଯାଇଥିଲେ। ଫଟୋରେ ମହିଳାଙ୍କୁ ଶାଢି ଏବଂ ଗହଣା ପିନ୍ଧିଥିବାର ଦେଖାଯାଇ ପାରିବ। ଏହି ପାରମ୍ପରିକ ପରିଧାନରେ ସେ ତଳେ ବସି ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ। ତେବେ ଫଟୋରେ ମହିଳା ଯେଉଁ ଖାଦ୍ୟ ବାଣ୍ଟୁଛନ୍ତି, ସେଥିରେ ଡାଲି, ଭାତ, ରୁଟି ଓ ତରକାରୀ ବ୍ୟତୀତ ଅନ୍ୟାନ୍ୟ ଜିନିଷ ମଧ୍ୟ ରହିଛି। ଷ୍ଟେଶନ ପ୍ଲାଟଫର୍ମରେ ପାପିୟା ଯେମିତି ହିଁ ଖାଦ୍ୟ ବାଣ୍ଟିବା ଆରମ୍ଭ କରି ଦେଇଥିଲେ, ତ କିଛି ହିଁ ମିନିଟ୍‌ ଭିତରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗି ଯାଇଥିଲା। ଷ୍ଟେଶନରେ ଥିବା ବାହାର ଲୋକେ ମଧ୍ୟ ଆସି ତାଙ୍କଠାରୁ ଖାଦ୍ୟ ନେଇଥିଲେ। ଫେସ୍‌ବୁକରେ ପୋଷ୍ଟ ହୋଇଥିବା ଏହି ଫଟୋରେ ଏ ପର୍ଯ୍ୟନ୍ତ ୧୨୦୦ରୁ ଅଧିକ ଲୋକ ଲାଇକ ଏବଂ କମେଣ୍ଟ କରିଛନ୍ତି। ଯଦିଓ କିଛି ଲୋକ ଦାବି କରିଛନ୍ତି ଯେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ପାପିୟା ଘରୁ ଖାଦ୍ୟ ପ୍ରସ୍ତୁତ କରି ଗରିବ ଲୋକଙ୍କୁ ବାଣ୍ଟିଛନ୍ତି। ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.