ଶୀତ କାକରରେ କଟୁଛି ସଫେଇ କର୍ମଚାରୀଙ୍କ ଜୀବନ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ
ପଟ୍ଟାମୁଣ୍ଡେଇ: ଛିଣ୍ଡା ପଲିଥିନ୍ କୁ ଗୋଡ ଲୁଚୁନଥିବା ଖଣ୍ଡିଏ ଚାଦର । ଶୀତ କାକରରେ ଥର ଥର ହୋଇ କଟୁଛି ରାତି । ଏଭଳି ଦୟନୀୟ ଅବସ୍ଥାକୁ ନିଜେ ଆଖିରେ ନଦେଖିଲେ ଅନୁଭବ କରି ପାରିବେନି । ଆମ ବ୍ୟବସ୍ଥା ଏବଂ ଯୋଜନା ଆଜି ବି ଅନେକଙ୍କ ପାଇଁ ପ୍ରହସନ । କାରଣ ଆଜି ବି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପରିବାର ସଦସ୍ୟ କାଟୁଛନ୍ତି ଦୁର୍ବିସହ ଜୀବନ । ଆଉ ଗରିବିର ତାଡନାରେ ଜର୍ଜରିତ ହେଉଛନ୍ତି ଅନେକ ପରିବାର ।
ଏହି ଦୃଶ୍ୟ ବୟାନ କରୁଛି ସରକାରୀ ଯୋଜନାର ବାସ୍ତବ ଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ମିଟର ଦୁରରେ ଅବସ୍ଥିତ ଏହି ସଫେଇ କର୍ମଚାରୀଙ୍କ ଗାଁ ଚଉଁରୀ ବ୍ରହ୍ମପୁର ବା ସ୍ୱିପର କଲୋନୀର ଅଧିବାସୀମାନେ । ଏହି ୧୫ଡିଗ୍ରୀରୁ କମ୍ ତାପମାତ୍ରାରେ ଶୋଇ ରହୁଛନ୍ତି ଖୋଲା ଆକାଶ ତଳେ । ଏହିଭଳି ଅବସ୍ଥା ଏହି ସ୍ୱିପର ମାନଙ୍କର । ଦୀର୍ଘଦିନ ଧରି ଏମାନେ ଭୋଗି ଆସୁଛନ୍ତି । ଏହି କଲୋନୀରେ ୨୦୦ରୁ ଅଧିକ ପରିବାରର ପ୍ରାୟ ୮୦୦ରୁ ଅଧିକ ପୁରୁଷ ମହିଳା ରହିଆସୁଛନ୍ତି । ବା କହିଛନ୍ତି ସ୍ୱିପର ସଙ୍ଘ ସଭାପତି।
କେବଳ ସେତିକି ନୁହେଁ,ଏମାନେ ରହୁଥିବା କଲୋନୀର ପଟ୍ଟା ଖଣ୍ଡକ ପାଇଁ ଏମାନେ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ମ୍ୟୁନିସିପାଲିଟି ପ୍ରତିଷ୍ଠା ଦିନରୁ ସ୍ୱିପର ମାନଙ୍କୁ ପୋୖର ପରିଷଦ ଅଧିନ ୧୩ନଂ ୱାର୍ଡରେ ମାତ୍ର ୩୦ଜଣଙ୍କୁ ଅବସ୍ଥାପିତ କରାଯାଇଥିଲା । କାଳକ୍ରମେ ପରିବାର ସଂଖ୍ୟା ଓ ଲୋକସଂଖ୍ୟ ବୃଦ୍ଧି ପାଇ ଏବେ ତାହା ଏକ ହଜାର ଛୁଇଁବାକୁ ବସିବାକୁ ଥିବାବେଳେ ମୁଣ୍ଡ ଉପରେ ଛାତ ଖଣ୍ଡିଏ ନଥିବାରୁ ଏମାନଙ୍କୁ ବର୍ଷର ୩୬୫ଦିନ ସିନେମା ହଲ୍ କାନ୍ଥ ,ଗାଁ ରାସ୍ତା ଓ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ।
ଏହି ସ୍ୱିପର କଲୋନୀର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଯେତେ ଜଣାଇଲେ ମଧ୍ୟ ଏହାକୁ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍ୱିପର ସଙ୍ଘ ନେତା । ମ୍ୟୁନିସିପାଲିଟିର ୨୧ଟି ୱାର୍ଡ ମଧ୍ୟରୁ ସମସ୍ତ ୱାର୍ଡକୁ ଦୁଇ-ଚତୁର୍ଥାଂଶ ଜମି ପଟ୍ଟା ଓ ସରକାରୀ ଆବାସ ମିଳିସାରିଥିବାବେଳେ ଏହି ଯୋଜନା ଗୁଡିକ ସ୍ୱିପର କଲୋନୀ ବାସିନ୍ଦାଙ୍କ ପାଇଁ ସାତ ସପନ ପାଲଟିଛି ।
ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ହୋଇ ସଙ୍ଗେସଙ୍ଗେ ଅଧିକାରୀ ମାନଙ୍କୁ ପଠାଇ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବେ ଓ ଯାହା ସରକାରୀ ଯୋଜନା ଆସୁଛି ସେଥିରୁ ଏମାନେ କିପରି ବଞ୍ଚିତ ହେଉଛନ୍ତି ତାହାକୁ ତର୍ଜ୍ଜମା କରିବେ ଏବଂ ଖୁବଶୀଘ୍ର ସ୍ୱିପର କଲୋନୀ ବାସିନ୍ଦାଙ୍କର ଥିବା ଦୁଃଖକୁ ଲାଘବ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଚଳିତ ମାସ ୮ ତାରିଖରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବସ୍ତି ପରିଦର୍ଶନ କରି ଖୁବ ଶୀଘ୍ର ସେମାନଙ୍କୁ ଥଇଥାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।
୧୫୫ବର୍ଷର ମ୍ୟୁନିସିପାଲିଟର ସଫେଇ ଦାୟିତ୍ୱ ନିଜ ମୁଣ୍ଡରେ ବୋହୁଥିବା କର୍ମଚାରୀଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଜୀବନ କଟୁଛି ଖୋଲା ଆକାଶ ତଳେ । ତେଣୁ ଯେତେ ଶୀଘ୍ର ଏମାନଙ୍କ ଉପରେ ସରକାର ଦୃଷ୍ଟି ଦେବା ସହ ଏମାନଙ୍କ ସମସ୍ୟାର ସମାଧାନ କରିବାକୁ ଦାବି ଜୋର ଧରିଛି ।