ଅଜବ ସଉକ, ସଂଗ୍ରହ କରୁଛନ୍ତି ଦିଆସିଲି ଖୋଳ

ତେଲ ଲୁଣର ନିତିଦିନିଆ ଜୀବନରେ ଦିଆସିଲି ବହୁ ଦରକାର ହୋଇଥାଏ । ରୋଷେଇ ଘରଠୁ ଆରମ୍ଭ କରି ପୂଜା ଘର ପର୍ଯ୍ୟନ୍ତ ସବୁଠି ଦିଆସିଲିର ଏକ ବିଶେଷ ଚାହିଦା ଅଛି । କିନ୍ତୁ ଏହି ଦିଆସିଲି ଖୋଳ ଗୁଡିକୁ ଜଣେ ବ୍ୟକ୍ତି ଅତି ଆଦରର ସହ ସଂଗ୍ରହ କରି ରଖୁଛନ୍ତି ବୋଲି ଜାଣିଲେ ଆପଣ ବିସ୍ମିତ ହୋଇଯିବେ ନିଶ୍ଚିତ । ହଁ ଏମିତି ଏକ ଅଜବ ସଉକ ରଖିଛନ୍ତି ପଞ୍ଜାବ ରାଜ୍ୟର ସଙ୍ଗରୁରୁ ନିବାସୀ ହରବଂଶ ଲାଲ । ପ୍ରାୟ ୩୭ ବର୍ଷ ଧରି ସରକାରୀ ଚାକିରୀ କରିଥିବା ହରବଂଶ ନିଜ ଚାକିରୀ ଜୀବନର ଆରମ୍ଭରୁ ହିଁ ବିଭିନ୍ନ ଜିନିଷ ସଂଗ୍ରହ କରିବାର ସଉକ ରଖିଆସିଛନ୍ତି । କିନ୍ତୁ ୨୦୧୧ ମସିହାରେ ସାଙ୍ଗ ମାନଙ୍କ ସହ ମିଶି ଫୋଟୋ ଉଠାଇବା ବେଳେ ହିଁ ଦିଆସିଲି ଖୋଳ ସଂଗ୍ରହ କରିବାର ଏକ ଅଜବ ଆଗ୍ରହ ତାଙ୍କର ସୃଷ୍ଟି ହୋଇଥିଲା ।

ଏହା ପରେ ହିଁ ହରଵଂଶ ଦିଆସିଲି ଖୋଳ ସଂଗ୍ରହ କରିବା ଆରମ୍ଭ କରି ଦେଇ ଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଏହି ସଂଗ୍ରହ ଗୁଡିକ ବିଷୟରେ ବାହାରେ ପ୍ରକାଶ କରି ନାହାନ୍ତି ।ଏଯାବତ ସେ ପ୍ରାୟ ୫୦ ପ୍ରକାରର ୧୫୦୦୦ରୁ ଅଧିକା ଦିଆସିଲି ଖୋଳ ସଂଗ୍ରହ କରିସାରିଲେଣି । ଏଥିରେ ବିଭିନ୍ନ ପଶୁପକ୍ଷୀ, ଫଳ, ପନିପରିବା, ଖେଳ , ଧାର୍ମିକ ସ୍ଥଳୀ, ମହାଭାରତ, ହଲିଉଡ଼ ଓ ବଲିଉଡ ତାରକା, ଯାନ ବାହାନ, ଦକ୍ଷିଣ ଭାରତୀୟ ଫିଲ୍ମ ତାରକା, କୁଙ୍ଗ ଫୁ ଷ୍ଟାର , ଖେଳାଳି, ଇଣ୍ଡିଆନ ଏୟାରଫୋର୍ସର ଫୋଟୋ ଥିବା ଦିଆସିଲି ଖୋଳ ମାନ ସଂଗ୍ରହ କରିଛନ୍ତି । ଏହି ଦିଆସିଲି ଖୋଳ ଗୁଡିକୁ ସେ ଦିଲ୍ଲୀ, କଲିକତା,ହିସାର ,ବାଙ୍ଗାଲୋର, ମୁମ୍ବାଇ ସମେତ ଅନ୍ୟ ଦେଶ ଗୁଡ଼ିକରୁ ମଧ୍ୟ ସଂଗ୍ରହ କରିଛନ୍ତି । ଏ ଗୁଡିକ ସଂଗ୍ରହ କରିବାରେ ହରବଂଶ ପ୍ରାୟ ହଜାରେରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।

ଏହାସହ ପଢନ୍ତୁ:

ଲୋକଙ୍କୁ ଯୋଡିବା ପାଇଁ କାନ୍ଥକୁ ଦେଲେ ଏପରି ରୂପ, କାନ୍ଥ ହୋଇଗଲା ବହିଥାକ

 

ଭାରତୀୟ ହୋଟେଲ ଠାରୁ ଆରମ୍ଭ କରି ବିଦେଶର ବିଭିନ୍ନ ହୋଟେଲ ମାନଙ୍କର ଦିଆସିଲି ଗୁଡିକୁ ମଧ୍ୟ ସଂଗ୍ରହ କରିଛନ୍ତି । ଏହି ଖୋଳ ଗୁଡିକର ଆକାର, ରଙ୍ଗ ଆମେ ବ୍ୟବହାର କରୁଥିବା ସାଧାରଣ ଦିଆସିଲି ଖୋଳ ଗୁଡିକ ଠାରୁ କିଂଚିତ ଭିନ୍ନ ହୋଇଥାଏ । ବହୁ ପାଞ୍ଚ ତାରକା ହୋଟେଲ ଯେପରିକି ତାଜ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ,ଲୀଳା ହୋଟେଲ, ଓବରାଇ ଭଳି ବଡ ବଡ ହୋଟେଲର ଦିଆସିଲିର ସଂଗ୍ରହ ମଧ୍ୟ ସେ କରିଛନ୍ତି। ଖାଲି ଭାରତ ନୁହେଁ ଭାରତ ବାହାର ଦେଶ ଯେପରିକି ଦୁବାଇ, ଶ୍ରୀଲଙ୍କା, ଆମେରିକା, ସାଉଦି ଆରବ, ସାଉଥ ଆଫ୍ରିକା, ଅଷ୍ଟ୍ରେଲିଆ ସହ ଜଡିତ ଦିଆସିଲି ଖୋଳ ଗୁଡିକ ରଖିଛନ୍ତି । ଥଣ୍ଡା ସ୍ଥାନ ଗୁଡିକର ଦିଆସିଲି ଖୋଳ ସାଧାରଣଠୁ ସାମାନ୍ୟ ଭିନ୍ନ ହୋଇଥାଏ । ସେ ସ୍ଥାନ ଗୁଡି଼କରେ ଖୋଳ ଗୁଡିକ ସାଧାରଣତଃ କାଠ ଵା ଟିଣ ଵା ପ୍ଲାଷ୍ଟିକରେ ତିଆରି ହୋଇଥାଏ ।

ତେଣୁ ହରବଂଶ ଏହି ଜାତୀୟ ପ୍ରାୟ ୫୦ ବର୍ଷ ତଳର ପୂରୁଣା ଖୋଳ ମଧ୍ୟ ରଖିଛନ୍ତି । ଖାଲି ଖୋଳ ନୁହେଁ ହରବଂଶ ବହୁ ସଂଖ୍ୟକ ଦିଆସିଲି କାଠି ମଧ୍ୟ ସଂଗ୍ରହ କରିଛନ୍ତି । ଏକ ଇଞ୍ଚ ଆକାରରୁ ଆରମ୍ଭ କରି ଦଶ ଇଞ୍ଚ ପର୍ଯ୍ୟନ୍ତ ଆକାରର କାଠି ତାଙ୍କ ପାଖରେ ଅଛି । ହରବଂଶଙ୍କ ଏହି ଅଜବ ସଉକ ଯେ ତାଙ୍କୁ ଏକ ନୂତନ ପରିଚୟ ଦେଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।