ଚାଷୀ ଗିଳିଲେ ଜିଅନ୍ତା ସାପ! ଜିଭ ଓ ଗଳାକୁ କାମୁଡ଼ି ଦେବାରୁ ହରେଇବାକୁ ପଡ଼ିଲା ଜୀବନ
ସାପ କାମୁଡ଼ି ଦେଲେ କାହାର ବି ମୃତ୍ୟୁ ହୋଇପାରେ। ଏହା ସତ୍ତ୍ୱେ ଜଣେ ବ୍ୟକ୍ତି ଜିଅନ୍ତା ସାପକୁ ହିଁ ଗିଳି ଦେଇଛନ୍ତି। ଶୁଣିବାରେ ଏହା ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଯଦିଓ ଏହି ଷ୍ଟଣ୍ଟ ଉକ୍ତ ବ୍ୟକ୍ତିଙ୍କୁ ବହୁତ ଭାରି ପଡ଼ି ଯାଇଛି ଏବଂ ତାଙ୍କର ଏହି ହରକତର ମୂଲ୍ୟ ନିଜ ଜୀବନ ଦେଇ ଭରଣା କରିବାକୁ ପଡ଼ିଛି।
ରୁଷର ୫୫ ବର୍ଷୀୟ ଜଣେ ଚାଷୀଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ବ୍ୟକ୍ତି ଜଣକ ଏକ ଜିଅନ୍ତା ସାପକୁ ଗିଳୁଥିବାର ଦେଖିବାକୁ ମିଳୁଛି। ରିପୋର୍ଟ ମୁତାବକ, ବ୍ୟକ୍ତି ସାପକୁ ଗିଳିବା ପୂର୍ବରୁ ଦୁଇଥର ଚେଷ୍ଟା କରିଥିଲେ। ତୃତୀୟ ଥର ଯେତେବେଳେ ସେ ଗିଳିବାକୁ ଚେଷ୍ଟା କରୁଥିଲେ, ସେତିକି ବେଳେ ସାପଟି ତାଙ୍କ ଜିଭକୁ କାମୁଡ଼ି ଦେଇଥିଲା। ଏହାପରେ ବି ବ୍ୟକ୍ତି ନ ଅଟକିବାରୁ ସାପଟି ତାଙ୍କ ଗଳାକୁ ମଧ୍ୟ କାମୁଡ଼ି ଦେଇଥିଲା।
ଏହାର କିଛି ଘଣ୍ଟା ପରେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କହିଥିଲେ କି, ସାପ କାମୁଡ଼ି ଦେଇ ଥିବାରୁ ବ୍ୟକ୍ତିଙ୍କୁ ଆଲର୍ଜି ହୋଇ ଯାଇଛି। ତାଙ୍କ ଗଳା ଓ ଜିଭ ଭୟଙ୍କର ଭାବେ ଫୁଲି ଯାଇଛି। ତେବେ ଡାକ୍ତରଙ୍କ ମୁତାବକ, ବ୍ୟକ୍ତିଙ୍କୁ ଏନାଫିଲେକ୍ଟିକ୍ ଶକ୍ ଲଗାଯାଇଥିଲା। ସାପ କାମୁଡ଼ାରେ ତାଙ୍କ ଜିଭ ଓ ଗଳା ଏତେ ମାତ୍ରାରେ ଫୁଲି ଯାଇଥିଲା କି, ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଥାଉ କି, ଏହି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜିଅନ୍ତା ସାପ ଗିଳିବାକୁ ନେଇ ଏକ ପ୍ରଥା ରହିଛି। ଏଠାରେ ତରଭୂଜ କ୍ଷେତରେ ଷ୍ଟେପ୍ ଭାଇପର୍ ସାପ ଦେଖାଯାଇ ଥାଆନ୍ତି। ଏମାନେ ଅଧିକ ବିଷାକ୍ତ ହୋଇ ନ ଥାଆନ୍ତି। କିନ୍ତୁ ମଣିଷକୁ କ୍ଷତି ପହଞ୍ଚାଇ ଥାଆନ୍ତି।