ବିଲେଇକୁ ୪ ଲକ୍ଷ ଟଙ୍କାର ଉପହାର! ଚତୁର୍ଥ ଜନ୍ମଦିନରେ ଭେଟି ଦେଲେ ମାଲିକାଣି; ଲୋକେ ହୋଇଗଲେ ତାଜୁବ

ମଣିଷ ଓ ପଶୁ ଭିତରେ ଅଜବ ବନ୍ଧୁତା ରହିଥାଏ। ଅନେକ ବାର ମଣିଷ ଓ ପଶୁ ପରସ୍ପର ପାଇଁ ଏମିତି କିଛି କରି ଯାଆନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଆପଣଙ୍କ ଆଖପାଖରେ ବି ଏମିତି ପଶୁପ୍ରେମୀ ମଣିଷ ରହିଥିବେ, ଯେଉଁମାନେ ନିଜ ପୋଷା ଜୀବଜନ୍ତୁଙ୍କର ଅନେକ ଯତ୍ନ ନେଉଥିବେ। କିନ୍ତୁ କିଛି ଲୋକଙ୍କୁ ନିଜ ପୋଷା ଜୀବଜନ୍ତୁଙ୍କ ପ୍ରତି ଏତେ ଭଲ ପାଇବା ଆସି ଯାଇଥାଏ କି, ସେମାନେ ତାଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ମାମଲା ଚର୍ଚ୍ଚାକୁ ରହିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି।

ଏକ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ନିଜ ବିଲେଇ ପାଇଁ ଏତେ ଦାମୀ ଉପହାର କିଣିଥିଲେ ଯେ ଲୋକେ ଦେଖି ତାଜୁବ ହୋଇ ଯାଇଥିଲେ। ବାସ୍ତବରେ, ହଲିଜା ମୟସୁରୀ ନାମ୍ନୀ ମହିଳା ନିଜ ବିଲେଇ ପାଇଁ ଏକ ସୁନାର ଲକେଟ୍‌ କିଣିଥିଲେ, ଯାହାର ଦାମ୍‌ ପାଖାପାଖି ୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଯଦି କେହି ବ୍ୟକ୍ତି ନିଜ ପସନ୍ଦର ପ୍ରାଣୀ ଉପରେ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରିବ, ତ ତାହାକୁ ନେଇ ଚର୍ଚ୍ଚା ଲାଗି ରହିବା ସ୍ୱାଭାବିକ। ରିପୋର୍ଟରୁ ଜଣାପଡ଼ିଛି, ହଲିଜା ନିକଟରେ ନିଜ ବିଲେଇ ‘ମନି’ର ଚତୁର୍ଥ ଜନ୍ମଦିନ ପାଳନ କରିଥିଲେ। ବିଲେଇକୁ ସେ ଏକ ସୁନାର ଲକେଟ୍‌ ଦେଇଥିଲେ, ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା।

ହଲିଜା ଜଣେ ବିଜିନେସ୍‌ ଓ୍ଵିମେନ। ଏ ନେଇ ସେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କର ବିଲେଇ ପ୍ରତି ଗଭୀର ଭଲ ପାଇବା ରହିଛି। କେବଳ ଏତିକି ନୁହେଁ, ସେ ବିଲେଇ ପିଛା ମନିଇଚ୍ଛା ଟଙ୍କା ଖର୍ଚ୍ଚ କରନ୍ତି। ପ୍ରତିଦିନ ମନିକୁ ନୂଆ ନୂଆ କପଡ଼ା କିଣି ପିନ୍ଧାନ୍ତି। ଏଥି ସହିତ ବିଲେଇକୁ ସବୁଦିନ ପାର୍ଲର ନେଇ ଯାଆନ୍ତି। ତା’ର ସ୍ପା ଟ୍ରିଟ୍‌ମେଣ୍ଟ ମଧ୍ୟ ହୋଇଥାଏ। ହଲିଜା ଓ ତାଙ୍କ ସ୍ୱାମୀ ନିଜ ପୋଷା ବିଲେଇକୁ ପରିବାରର ସଦସ୍ୟ ବୋଲି ମାନି ଥାଆନ୍ତି। ସେପଟେ ଟିକ୍‌ ଟକରେ ବି ବିଲେଇ ବେଶ୍‌ ଲୋକପ୍ରିୟ ରହିଛି। ବିଲେଇର ଗୋଟିଏ ଗୋଟିଏ ଭିଡିଓରେ ଲକ୍ଷାଧିକ ଭ୍ୟୁଜ୍‌ ମିଳିଛି। ଏଥିପାଇଁ ତାଙ୍କ ବିଲେଇ ବି ଚର୍ଚ୍ଚାରେ ଛାଇ ରହିଥାଏ ବୋଲି ଦମ୍ପତି କହିଛନ୍ତି।

ସୋସିଆଲ ମିଡିଆରେ ହଲିଜାଙ୍କ ବିଲେଇର ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରେ ସେ ଏକ ସୁନା ଲକେଟ ପିନ୍ଧିଥିବାର ଦେଖା ଯାଉଛି। ଏହି ଲକେଟରେ ବିଲେଇର ନାମ ଏବଂ ଜନ୍ମ ତାରିଖ ଲେଖା ହୋଇଛି। ଆପଣଙ୍କୁ କହି ରଖୁଛୁ, ହଲିଜାଙ୍କ ପାଖରେ ଆହୁରି ଦୁଇଟି ବିଲେଇ ଅଛନ୍ତି। କିନ୍ତୁ ମନି ବିଲେଇ ପ୍ରତି ତାଙ୍କର ଅଧିକ ଭଲ ପାଇବା ରହିଛି। ଏହି କାରଣରୁ ମନିର ଚତୁର୍ଥ ଜନ୍ମଦିନରେ ଦମ୍ପତି ତା’ ପାଇଁ ଏତେ ମହଙ୍ଗା ଗିଫ୍ଟ କିଣିଥିଲେ।

Leave A Reply

Your email address will not be published.