ଦୁଇ ବିଶ୍ୱଯୁଦ୍ଧ ସହିତ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କରାଯାଇଛି ଆଶ୍ଚର୍ଯ୍ୟଜନକ ସମୀକରଣ!, ହିସାବ ଦେଖିଲେ ଆପଣ ବି ଘାବରେଇ ଯିବେ

ବିଶ୍ୱଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏକ ପୋଷ୍ଟ, ଯାହାକୁ ଖୁବ୍‌ ମାତ୍ରାରେ ସେୟାର କରାଯାଉଛି। ଏଥିରେ ଦାବି କରାଯାଉଛି ଯେ ଯେଉଁ ତାରିଖରେ ଦୁଇଟି ବିଶ୍ୱଯୁଦ୍ଧ ହୋଇଥିଲା ଏବଂ ଏବେ ଯେଉଁ ତାରିଖରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଛି, ଏହି ତିନୋଟି ଯାକ ତାରିଖର ଢାଞ୍ଚା ସମାନ ରହିଛି। ଅର୍ଥାତ୍‌ ପ୍ରତ୍ୟେକ ତାରିଖର ସମୀକରଣର ଫଳାଫଳ ସମାନ ଆସୁଛି। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ପ୍ରକୃତ ସତ୍ୟାସତ୍ୟ।

ଦେଖିବାକୁ ଗଲେ, ପୋଷ୍ଟରେ ଦର୍ଶାଯାଇଥିବା ପ୍ରଥମ ବିଶ୍ୱଯୁଦ୍ଧର ତାରିଖ ଠିକ୍ ନାହିଁ। ପ୍ରଥମ ବିଶ୍ୱଯୁଦ୍ଧ ଜୁନ୍‌ ୨୮, ୧୯୧୪ରେ ହୋଇଥିଲା କିନ୍ତୁ ଏଠି ତାରିଖ ଜୁଲାଇ ୨୮ ରହିଛି। ଆହୁରି ମଧ୍ୟ ଶେଷ ଗଣନାକୁ ଟିକିଏ ଗୋଳମାଳିଆ କରାଯାଇଛି। ଅର୍ଥାତ୍‌ ୨୪ ତାରିଖକୁ ଅଲଗା ଅଲଗା ଭାବରେ ବା ‘D + D’ ଢାଞ୍ଚାରେ ଦର୍ଶାଯାଇ ନାହିଁ, ଏହାକୁ ‘DD’ ଭାବରେ ନିଆଯାଇଛି। ତେଣୁ ଏହି ପୋଷ୍ଟ ମାଧ୍ୟମରେ କରାଯାଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଲାଗୁଛି।

ପୋଷ୍ଟରେ ଦିଆଯାଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ତାରିଖ ଏବଂ ରୁଷ-ୟୁକ୍ରେନ ଯୁଦ୍ଧର ତାରିଖ ଠିକ୍‌ ରହିଛି। ଯଦିଓ ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଲାଗି ରହିଥିଲା, କିନ୍ତୁ ୨୪ ଫେବୃଆରୀ ୨୦୨୨ରେ ହିଁ ପୁଟିନ ୟୁକ୍ରେନ ବିରୋଧରେ ‘ବିଶେଷ ସୈନ୍ୟ ଅଭିଯାନ’ ଘୋଷଣା କରିଥିଲେ।

ପୋଷ୍ଟରେ କରାଯାଇଥିବା ସମୀକରଣକୁ ଦୁଇଟି ପଦ୍ଧତିରେ ଦର୍ଶାଯାଇଛି। ପ୍ରଥମ ପଦ୍ଧତିରେ ଦିନ (DD), ମାସ (MM) ଏବଂ ବର୍ଷ (YYYY)କୁ DD + MM + YY + YY ରୂପେ ସମୀକରଣ କରାଯାଇଛି। ଏହାର ଫଳାଫଳ ଦିଆଯାଇଛି ୬୮। ଦ୍ୱିତୀୟରେ D + D + M + M + Y + Y + Y ପଦ୍ଧତିରେ ସମୀକରଣ କରାଯାଇଛି, ଯାହାର ଫଳାଫଳ ୩୨ ବୋଲି ଦର୍ଶାଯାଇଛି। ତେବେ ଦୁଇଟି ବିଶ୍ୱଯୁଦ୍ଧର ସମୀକରଣକୁ ଠିକ୍‌ ଉପାୟରେ ଦିଆଯାଇଥିବା ବେଳେ ରୁଷ-ୟୁକ୍ରେନ ଯୁଦ୍ଧ ତାରିଖର ପଦ୍ଧତିକୁ ସାମାନ୍ୟ ଏପଟ ସେପଟ କରାଯାଇଛି। ୨ + ୪ + ୦ + ୨ + ୨ + ୦ + ୨ + ୨ = ୧୪ ସମୀକରଣ ପରିବର୍ତ୍ତେ ଏଠି ୨୪+ ୦ + ୨ + ୨ + ୦ + ୨ + ୨ = ୩୨ ବୋଲି ଲେଖା ଯାଇଛି। କାହିଁକି ନା, ୨+୪ ପଦ୍ଧତିରେ ସମୀକରଣର ଫଳାଫଳ ୧୪ ଆସୁଥିବାରୁ ଏହାକୁ ୩୨ କରିବା ପାଇଁ ୨୪ ରୂପରେ ନିଆଯାଇଛି।

ସେପଟେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ନୋଷ୍ଟ୍ରାଦମସ୍‌ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହାକୁ ମଧ୍ୟ ଏହି ଗଣନାରେ ଯୋଡ଼ା ଯାଇଛି। ନୋଷ୍ଟ୍ରାଦମସ୍‌ଙ୍କ ଅନୁସାରେ, ୨୦୨୨, ମାର୍ଚ୍ଚ ୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହେବ। ତେଣୁ ଏଠି ୨୩+୩+୨୦+୨୨=୬୮ ବୋଲି ଦର୍ଶାଯାଇଛି ଏବଂ ୨୩+୩+୨+୨+୨=୩୨ ବୋଲି ଉଲ୍ଲେଖ ରହିଛି। ତେବେ ନୋଷ୍ଟ୍ରାଦମସ୍‌ଙ୍କ ଏହି ଭବିଷ୍ୟବାଣୀ ଦେଖିଲେ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଆଉ ମାତ୍ର ୨୦ ଦିନ ଅର୍ଥାତ୍‌ ପାଖାପାଖି ୫୦୦ ଘଣ୍ଟା ବାକି ରହିଛି।