ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ ସାଧାରଣ ମଣିଷର କଳ୍ପନା ବାହାରେ ରହିଛି ଏହି ଆମ୍ବର ଦାମ । ତେଣୁ ତ ଏହାକୁ ଦୁନିଆର ସବୁଠୁ ଦାମୀ ଆମ୍ବ କୁହାଯାଏ । ତେବେ ଆପଣ ନିଶ୍ଚୟ ଭାବୁଥିବେ ଏହି ଆମ୍ବରେ ଏମିତି କ’ଣ ଅଛି ଯେଉଁଥିପାଇଁ ଏହାର ଦାମ ଏତେ ଅଧିକ! ତେବେ ଆସନ୍ତୁ ଜାଣିବା ଏହା ବିଷୟରେ.. ଯେତେବେଳେ ବି ଦୁନିଆର ସବୁଠୁ ଦାମୀ ଆମ୍ବ ବିଷୟରେ ଆଲୋଚନା ହୁଏ, ମିୟାଜାକି ଆମ୍ବ ନାମ ପ୍ରଥମେ ଆସେ ।
ଏହି ଆମ୍ବ ସାଧାରଣତଃ ଜାପାନରେ ଚାଷ କରାଯାଏ । କିନ୍ତୁ ବର୍ତ୍ତମାନ ଭାରତରେ ମଧ୍ୟ କୃଷକମାନେ ଏହି ମିୟାଜାକି ଆମ୍ବ ଚାଷ କରିବା ଆରମ୍ଭ କରିଛନ୍ତି । ଏହି ଆମ୍ବ ଏହାର ସ୍ୱାଦ ଏବଂ ସୁଗନ୍ଧ ପାଇଁ ସାରା ବିଶ୍ୱରେ ବେଶ ଜଣାଶୁଣା । କିନ୍ତୁ ଏହାର ସବୁଠାରୁ ବଡ ସ୍ୱତନ୍ତ୍ରତା ହେଉଛି ଏହାର ଦାମ । ସାଧାରଣତଃ ଖରା ଦିନେ ଆମ୍ବ କେଜି ପିଛା ୨୦୦ ରୁ ୫୦୦ ଟଙ୍କା ମଧ୍ୟରେ ହୋଇଥାଏ । କିନ୍ତୁ ଏହି ମିୟାଜାକି ଆମ୍ବ କେଜି ପିଛା ୨.୫ ରୁ ୩ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ ।
ମିୟାଜାକି ଆମ୍ବ ମୂଳତଃ ଜାପାନର ମିୟାଜାକି ସହରରେ ଚାଷ କରାଯାଇଥିଲା ଏବଂ ଏହାର ନାମର ଉତ୍ପତ୍ତି ମଧ୍ୟ ଏହି ସହରର ନାମ ଅନୁସାରେ ହୋଇଥିଲା । ଏହି ଆମ୍ବ ସାଧାରଣତଃ ୩୫୦ ଗ୍ରାମରୁ ଅଧିକ ଓଜନର ହୋଇଥାଏ ଏବଂ ଏହା ଖାଇବାକୁ ଖୁବ ମିଠା ଲାଗିଥାଏ । ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆରେ ସାଧାରଣ ଆମ୍ବ ଅପେକ୍ଷା ଏହାର ରୂପ ଭିନ୍ନ ଏବଂ ଏହାର ରଙ୍ଗ ପାଇଁ ଏହି ଆମ୍ବ ଖୁବ୍ ଲୋକପ୍ରିୟ । ଆଜିକାଲି ଏହା ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚାଷ କରାଯାଉଛି । ଓଡ଼ିଶାର କଳାହାଣ୍ଡିରେ ମଧ୍ୟ ଜଣେ ଚାଷୀ ଏହି ଆମ୍ବ ଚାଷ କରିଥିଲେ ।
ଏହି ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ମାତ୍ରାରେ ରହିଛି ଏବଂ ଏଥିରେ ବିଟା-କାରୋଟିନ୍ ଏବଂ ଫଲିକ୍ ଏସିଡ୍ ଥିବା ମଧ୍ୟ କୁହାଯାଏ । ଯାହା ଆମ ଶରୀର ପାଇଁ ବେଶ ଲାଭଦାୟକ । ଏହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ ବୋଲି ବାଣିଜ୍ୟ ପ୍ରୋତ୍ସାହନ କେନ୍ଦ୍ର କହିଛି । ଏପଟେ ଏହି ଆମ୍ବ ଦୃଷ୍ଟି ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ଆମ୍ବର ଚୋପା ମଧ୍ୟ ଖାଇହେବ ଏବଂ ଏହାର ସ୍ୱାଦ ଏକଦମ ଜେଲି ଭଳି ଲାଗିଥାଏ ।
ମିୟାଜାକି ଆମ୍ବର ଏହି ସବୁ ଗୁଣ ଯୋଗୁଁ ହିଁ ଏହାର ଦାମ ଏତେ ଅଧିକ । ଏହାକୁ ନେଇ ଅନ୍ୟ ଏକ ବିଶେଷ କଥା ହେଉଛି କେବଳ ଦୁନିଆର ଧନୀ ଲୋକମାନେ ହିଁ ଏହାକୁ ଖାଆନ୍ତି । ଏହି ଆମ୍ବ ସାଧାରଣ ବଜାରରେ ବିକ୍ରି ହୁଏ ନାହିଁ, କିନ୍ତୁ ନିଲାମ କରାଯାଏ । ଏହି ଆମ୍ବର ଭିନ୍ନ ରଙ୍ଗ, ଆକାର, ଓଜନ ଏବଂ ସ୍ୱାଦ ଏହାର ମୂଲ୍ୟକୁ ଆହୁରି ବଢ଼ାଇଥାଏ ଏବଂ ଲୋକଙ୍କୁ ଆକର୍ଷିତ ମଧ୍ୟ କରିଥାଏ ।