ଗଧ ପିଠିରେ ବସି ପୂରା ଗାଁ ବୁଲନ୍ତି ଜ୍ୱାଇଁ! ହୋଲିର ସବୁଠୁ ନିଆରା ପରମ୍ପରା

ରଙ୍ଗର ପର୍ବ ହୋଲି। ହୋଲିରେ ରଙ୍ଗ ଖେଳ ସାଙ୍ଗକୁ ଥଟ୍ଟାମଜା ବି ବହୁତ ଚର୍ଚ୍ଚାରେ ରହିଥାଏ। ଲୋକେ ହୋଲିରେ ଖୁବ୍‌ ଏନଞ୍ଜୟ କରନ୍ତି। ଅନେକ ସ୍ଥାନରେ ନାଚ, ଗୀତର ପସରା ଜମେ। କିନ୍ତୁ ଆଜି ଆମେ ଆପଣଙ୍କୁ ହୋଲିର ଏକ ବିଚିତ୍ର ପରମ୍ପରା ବିଷୟରେ କହିବୁ, ଯେଉଁଠି ଘରର ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ଗାଁ ବୁଲାଯାଇଥାଏ। ଆସନ୍ତୁ ଜାଣିବା କାହିଁକି ଏମିତି ହୋଇଥାଏ। ହୋଲିରେ ସାଙ୍ଗସାଥୀ, ପ୍ରିୟ ପରିଜନ ବହୁତ ମଜା, ମସ୍ତି କରି ଥାଆନ୍ତି। ଏଥିପାଇଁ ତ କୁହଯାଏ ‘ବୁରା ନ ମାନୋ ହୋଲି ହୈ’। କିନ୍ତୁ ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରେ ଟିକିଏ ନିଆରା ଢଙ୍ଗରେ ହୋଲି ପାଳିତ ହୋଇଥାଏ। ଏହି ଦିନ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ହୋଲି ରଙ୍ଗରେ ଭିଜାଇ ଦିଆଯାଏ।

ବାସ୍ତବରେ, ଏହି ନିଆରା ପରମ୍ପରା ପଛରେ ରହିଛି ଏକ ଚିରାଚରିତ କାହାଣୀ। ବିଡ୍‌ ଜିଲ୍ଲାରେ ପାଖାପାଖି ୮୦ ବର୍ଷ ତଳେ ଏକ ଘଟଣା ଘଟିଥିଲା। ଏଠାରେ ଭିଡା ୟେବତା ଗାଁର ଦେଶମୁଖ ପରିବାରର ଜ୍ୱାଇଁ ଥରେ ହୋଲି ଖେଳିବାକୁ ଅର୍ଥାତ୍‌ ରଙ୍ଗ ଲଗାଇବାକୁ ମନା କରି ଦେଇଥିଲେ। ଆଉ ଏହାପରେ ତାଙ୍କ ଶ୍ୱଶୁର ଅନନ୍ତରାଓ ଦେଶମୁଖ ଜ୍ୱାଇଁ ପାଇଁ ଫୁଲରେ ସଜା ହୋଇଥିବା ଏକ ଗଧ ମଗାଇଥିଲେ ଏବଂ ଜ୍ୱାଇଁଙ୍କୁ ରଙ୍ଗ ବୋଳି ଗଧ ପିଠିରେ ବସାଇ ଗାଁ ବୁଲାଇଥିଲେ। ଜ୍ୱାଇଁକୁ ମିଠା ଖୁଆଯାଇଥିଲା ଏବଂ ମନପସନ୍ଦର ପୋଷାକ ମଧ୍ୟ ଦିଆଯାଇଥିଲା।

ସବୁଠାରୁ ଖାସ୍‌ କଥା ହେଉଛି, ଏହା ଧୀରେ ଧୀରେ ଚଳଣୀରେ ବଦଳି ଯାଇଥିଲା। ୮ ଦଶକ ପରେ ବି ଆଜି ପୂରା ଉତ୍ସାହର ସହିତ ଏହି ପରମ୍ପରା ପାଳିତ ହୋଇ ଆସୁଛି। ଯଦି ସେହି ସମୟରେ ଗାଁରେ କେହି ଜ୍ୱାଇଁ ଉପସ୍ଥିତ ନ ଥାଆନ୍ତି, ତ କାହାକୁ ବି ଏହାର ଉପାଧି ଦିଆଯାଇଥାଏ। ଯେମିତି ପରମ୍ପରାରେ କୌଣସି ବାଧା ସୃଷ୍ଟି ନ ହେବ। ହୋଲି ପୂର୍ବରୁ ହିଁ ଜ୍ୱାଇଁ ଖୋଜା ଆରମ୍ଭ ହୋଇଯାଏ। ସେପଟେ ଗଧକୁ ବି ସଜେଇ ଏବଂ ମାଳା ପିନ୍ଧାଇ ପ୍ରସ୍ତୁତ କରାଯାଏ।

Leave A Reply

Your email address will not be published.