ଖୁବ ନିଆରା ଦେବୀ ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଞ୍ଚଣା ରଥ, ଦୂର ହୁଏ ଅନେକ ରୋଗ

ଭକ୍ତ ଭଗବାନଙ୍କ ଅପୂର୍ବ ମିଳନର କେନ୍ଦ୍ରବିନ୍ଦୁ ପାଲଟିଛି ବ୍ରହ୍ମପୁର ଯାତ୍ରା ମଣ୍ଡପ । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା ବହୁ ପ୍ରାଚୀନ । ପ୍ରାୟ ଚାରି ଶହ ବର୍ଷ ତଳେ ତତ୍କାଳୀନ ମହୁରୀ ଗଡ଼ ରାଜାଙ୍କ ଦ୍ୱାରା ଏହି ଘଟ ପରମ୍ପରା ଯାତ୍ରା ଆନ୍ଧ୍ରପ୍ରଦେଶର ରାଜ ମହେନ୍ଦ୍ରିରୁ ଆସିଥିବା ବିଶ୍ୱାସ ରହିଛି । ଆଉ ସେବେଠାରୁ ପ୍ରତି ଦୁଇବର୍ଷକୁ ଥରେ ଦେଶି ବେହେରାଙ୍କ ଦ୍ୱାରା ବିଭିନ୍ନ ସାହି ବାସିନ୍ଦାଙ୍କ ସହ ଯୋଗରେ ଏହି ଯାତ୍ରା ଧୁମଧାମରେ ପାଳିତ ହୋଇ ଆସୁଛି ।

ସବୁଠୁ ଗୁରୁତ୍ୱପୂର୍ଣ ହେଲା ଆଜିବି ଯାତ୍ରାର ପ୍ରତିଟି ପରମ୍ପରା ଓ ନୀତିକାନ୍ତି ଅତୁଟ ରହିଛି । ଏହି ଯେପରିକି ଯାତ୍ରାର ଚତୁର୍ଦଶ ଦିବସରେ ମା’ ବାଚୁଆରୀ ସାହିରେ ବିଞ୍ଚଣା ରଥ ଓ କାଳୁପାତ୍ର ସାହିରେ ଜ୍ୱାଳାମୁଖୀ ରଥ ଉନ୍ମୋଚନ କରନ୍ତି । ଝିଅ ବାପ ଘରକୁ ଆସିଥିବାରୁ ତାର ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ବିଶେଷ କରି ପ୍ରଚଣ୍ଡ ରୌଦ୍ର ତାପରୁ ମୁକ୍ତି ପାଇଁ ବିଞ୍ଚଣା ରଥର ବ୍ୟବସ୍ଥା କରାଯାଇଥାଏ । ଆଉ ଏକ ବିଶ୍ୱାସ ମା ବିଞ୍ଚଣା ରଥକୁ ଆସି ଯିବା ପରେ ତାହା ସ୍ୱଚ୍ଛ, ପବିତ୍ର ଓ ନିରାମୟର ମାଧ୍ୟମ ପାଲଟିଯାଏ ।

ଏଥିପାଇଁ ଅସୁସ୍ଥ ପିଲାକୁ ଓ ଚର୍ମ ରୋଗରେ ପୀଡିତ ପିଲାକୁ ସେହି ରଥରେ ବସାଇ ବିଞ୍ଚଣାରେ ବିଞ୍ଚିଲେ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ମା’ଙ୍କ ଆଗମନରେ କୃଷ୍ଣ ଓ ରାଧା ବେଶରେ ସଜ୍ୱିତ ହୋଇ ପିଲାମାନେ ରଥରେ ବସିଥାନ୍ତି । ମା ବୁଢ଼ୀ ସାଆନ୍ତାଣୀ ଝିଅ ରୂପେ ବାପ ଘରକୁ ଆସିଥିବାରୁ ଝିଅର ଆମୋଦ ପ୍ରମୋଦ ପାଇଁ ସବୁ ପ୍ରକାରର ସେବା ଖଞ୍ଜି ଦିଆଯାଇଛି । ପରମ୍ପରା ପ୍ରକାରେ ମା’ ପ୍ରତି ରାତିରେ ମହୁରୀଗଡ଼ ରାଜବାଟି ଯାଇ ରାଜାଙ୍କୁ ଦର୍ଶନ ଦେବା ପରେ ନଗର ପରିକ୍ରମାରେ ଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦାଣ୍ଡକୁ ଯାଇଥାନ୍ତି ।

ହେଲେ ବିଞ୍ଚଣା ରଥ ଉନ୍ମୋଚନ ଦିନ ସେ ଏତେ ପ୍ରସନ୍ନ ଓ ଏତେ ବ୍ୟାକୁଳ ହୋଇ ଉଠନ୍ତି ଯେ ସେଦିନ ରାଜାଙ୍କୁ ଦର୍ଶନ ନ ଦେଇ ସିଧା ପହଞ୍ଚି ଯାଆନ୍ତି ବିଞ୍ଚଣା ରଥ ନିକଟରେ । ଆମର ସାମାଜିକ ଚଳଣିରେ ଏପରି ଭାବ ପ୍ରବଣତାକୁ ଅନେକ ସାମ୍ନା କରଥାନ୍ତି । ସେଦିନ ହିଁ କାଳୁପାତ୍ର ସାହିରେ ନିଜର ପ୍ରତୀକ ଜ୍ୱାଳାମୁଖୀଙ୍କୁ ସ୍ଥାପନ କରି ନିର୍ମାଣ ହୋଇଥିବା ରଥର ବି ଉନ୍ମୋଚନ କରି ସାହି ବାସିନ୍ଦାଙ୍କ ଭାଇ ଚାରାକୁ ସ୍ୱୀକୃତି ଦେବା ସହ ସେ ଏଠି ସେଠି ସବୁଠି ବୋଲି ବାର୍ତ୍ତା ଦେଇଥାନ୍ତି ।

Also read: ଭାଇଚାରାର ପର୍ବ ଦୟଣାଚୋରୀ ମେଲଣ, ୧୪ ଶହ ଖ୍ରୀଷ୍ଟାବ୍ଦରୁ ହିନ୍ଦୁ ମୁସଲମାନ ଏକାଠି ପାଳି ଆସୁଛନ୍ତି ଏହି ପର୍ବ