ବାଛୁରୀ ଓ ମଣିଷର ନିବିଡ଼ ସମ୍ପର୍କ । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ପଚାରୁନି ଏଭଳି ପରିସ୍ଥିତିରେ ଗୋଟିଏ ଜୀବ ପ୍ରତି ଏମିତି ଭଲ ପାଇବା ଖୁବ କମ ଦେଖିବାକୁ ମିଳିଥାଏ । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଏହା ଦେଖି ଆପଣ ନିଶ୍ଚୟ ଭାବୁଥିବେ ଏ ବାଛୁରୀଟି ସୋରୁମ ଭିତରେ କ’ଣ କରୁଛି? ଆଉ ଯଦି ଭୁଲରେ ପସିଯାଇଯାଇଛି ତାକୁ କେହି ବାହାର କରୁନାହାନ୍ତି କାହିଁକି? ଏ ଜଣେ ଗ୍ରାହକ ନା ଏ ସୋରୁମର ମାଲିକ । ଏଭଳି ଅନେକ ପ୍ରଶ୍ନ ଆମ ମନରେ ବି ଆସିଥିଲା । ଏ ଦୃଶ୍ୟ ଦେଖି ଘଡ଼ିଏ ଅଟକି ଯାଇଥିଲୁ ସେଠାରେ… ତାପରେ ଜାଣିବାକୁ ପାଇଲୁ ଯେ ଏ ବାଛୁରୀଟି ପ୍ରତିଦିନ ଏଠାକୁ ଆସେ ।
ଯେତେ କଷ୍ଟମର ଥିଲେ ମଧ୍ୟ ଦୋକାନଭିତରକୁ ପସିଯାଏ । ଆଉ ସିଧା ଯାଇ ପହଞ୍ଚେ ମାଲିକର ଚେୟାର ପାଖରେ । ଟିକେ ଗେଲ ହେବାକୁ ସିଧା ନେଇ ମୁଣ୍ଡଟିକୁ ମାଲିକର କାନ୍ଧ ଉପରେ ରଖିଦିଏ । ହଁ ଆଜ୍ଞା ଆମେ କହୁଛୁ ଫୁଲବାଣୀ ସହରରେ ବୁଲୁଥିବା ଏକ ୪ ବର୍ଷର ନାଲି ରଙ୍ଗର ବୃଷବ କାଶୀ କଥା । ପ୍ରତିଦିନ ଆସେ ଫୁଲବାଣୀର ପ୍ରତିଷ୍ଠିତ ଉମା ଶଙ୍କରଙ୍କ ଷ୍ଟୋରକୁ । ମାଲିକ ଉମା ଶଙ୍କରଙ୍କ ସହ ଟିକେ ଗେଲ ହେବାକୁ । ପ୍ରତିଦିନ ଆସିବ ଗୋଟିଏ କଦଳୀ ଖାଇବ, ତା’ ପରେ ଯାଇ ସୋରୁମର ମଝିରେ ଶୋଇବ । ସତେ ଯେମିତି ସୋରୁମଟି ତା’ର । ତାର ଖାତିର ନଥାଏ କଷ୍ଟମର ଥାନ୍ତୁ କି ନଥାନ୍ତୁ ।
ଘଣ୍ଟାଏ ପରେ ଉଠି ମାଲିକ ହାତରୁ ବିସ୍କୁଟ ଖାଇ ପୁଣି ବଜାରକୁ ବୁଲିବାକୁ ପଳାଏ । କିଏ କହୁଛି ପଶୁ ସମ୍ପର୍କ କ’ଣ ଜାଣେନି! ମଣିଷ ସିନା ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ, କିନ୍ତୁ ପଶୁ ପକ୍ଷୀମାନଙ୍କୁ ଟିକିଏ ସ୍ନେହ ଦେଲେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଆମକୁ ଭଲ ପାଉଥିବେ । ଇଏ ହେଉଛି ମଣିଷ ଓ ପଶୁ ମଧ୍ୟରେ ନିବିଡ଼ ସମ୍ପର୍କର । ଯେଉଁଠି ସ୍ନେହ ସେଇଠି ପ୍ରେମ । ଆପଣ ମଣିଷ ଓ ପଶୁ ଭିତରେ ଥିବା ବନ୍ଧନର ଅନେକ କାହାଣୀ ଶୁଣିଥିବେ । ଯାହା କେବେ ଆଖିରେ ନ ଦେଖିବା ଯାଏଁ ବିଶ୍ଵାସ ହୁଏ ନାହିଁ । କିନ୍ତୁ ଉମା ଓ କାଶୀ ଏହାର ଜ୍ୱଳନ୍ତ ଉଦାହରଣ ।
ତେବେ ଏହି ପ୍ରେମ ଆଜିର ନୁହେଁ, ଦୀର୍ଘ ୪ ବର୍ଷର । ବୃଷବ କାଶୀକୁ ଜନ୍ମ ହେବାର ୧୫ ଦିନ ହୋଇଥିଲା ସେ ଉମାଙ୍କ ସୋରୁମକୁ ଆସୁଛି । ଆଜିକୁ ୪ ବର୍ଷ ହୋଇଗଲା ହେଲେ କାଶୀ ଦିନେ ବି ଉମାଙ୍କ ଷ୍ଟୋରକୁ ଆସିବା ବନ୍ଦ କରିନି । ଠିକ ସେହିଭଳି ମାଲିକ ଉମା ମଧ୍ୟ ଆଜି ପର୍ଯ୍ୟନ୍ତ କେବେ ବି କାଶୀକୁ ଘଉଡ଼େଇନାହାନ୍ତି ତେଣିକି ତାଙ୍କ ଷ୍ଟୋର ଯେତେ ବି ଗହଳି ଥାଉ ନା କାହିଁକି । ସେ ପଶୁ ହେଉ କିମ୍ବା ମଣିଷ, ଟିକିଏ ଭଲ ପାଇବା ପାଇଁ ସବୁବେଳେ ସମସ୍ତେ ଚେଷ୍ଟା କରନ୍ତି । ଆଉ ଯେଉଁଠୁ ଟିକିଏ ସ୍ନେହ ଆଦର ମିଳିଥାଏ, ସେଠି ସମ୍ପର୍କ ନିବିଡ଼ ହେଇଯାଏ ।