ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାର ଯେଉଁ ନିଆରା ପଦକ୍ଷେପ, ଅନ୍ୟଙ୍କ ପାଇଁ ଉଦାହରଣ

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଚରମ୍ପା ପଞ୍ଚାୟତରେ ରହିଛି ଥୋରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୫୮ ମସିହାରେ ଏହି ବିଦ୍ୟାଳୟକୁ ଗ୍ରାମବାସୀ ମାନେ ପ୍ରତିଷ୍ଠା କରିଥିଲେ । ପ୍ରଥମେ ଚାଳ ଘରେ ଶିକ୍ଷାଦାନ ହେଉଥିବା ବେଳେ ଏବେ ପକ୍କା ଘର ଭିତରେ ଶିକ୍ଷାଦାନ କରାଯାଉଛି । କିନ୍ତୁ ଏହାର ପରିବେଶକୁ ଏପରି ଭାବେ ସୁସଜ୍ଜିତ କରି ରଖାଯାଇଛି ଯେ ତାହାର ବିଭୀଦତା ଯେକେହି ବାସ୍ତବରେ ନ ଦେଖିବ ସହଜରେ ଜାଣି ପାରିବନାହିଁ । ଏହି ବିଦ୍ୟାଳୟକୁ ପ୍ରବେଶ କରୁ କରୁ ପାଇବେ ଆକର୍ଷଣୀୟ ଝୋଟି ଚିତ୍ର । ଯାହାକୁ ଆଙ୍କନ୍ତି ଛାତ୍ରଛାତ୍ରୀ । ପ୍ରବେଶ ପଥର ଉଭୟ ପାର୍ଶ୍ଵରେ ଲାଗିଛି ଫଳକ ପରେ ଫଳକ । ଆଉ ସବୁ ଫଳକରେ ପାଠ୍ୟକ୍ରମର ବିଷୟବସ୍ତୁକୁ ଅଙ୍କାଯାଇଛି । ଯେମିତି କି ଗୋଟିଏ ଅକ୍ଷରକୁ ନୂଆ ଢଙ୍ଗରେ ଲେଖାଯାଇଛି । ଯାହାକି ଛାତ୍ରଛାତ୍ରୀଙ୍କୁ ବୁଝିବା ସହଜ ଓ ସରଳ ହୋଇପାରିବ ।

ବିଦ୍ୟାଳୟକୁ ଯେ କେହି ବି ପ୍ରବେଶ କରିବ ଏହି ଫଳକର ସମସ୍ତ ବିଷୟବସ୍ତୁ ବୁଝାଇଥାନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପୋଷଣ ବଗିଚା ସହ ଔଷଧୀୟ ବଗିଚା ମଧ୍ୟ ରହିଛି । ସବୁ ଗଛରେ ନାମ ଲେଖାଯାଇଛି । ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସବୁର ଉପକରିତା ବିଷୟ ରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏହି ବିଦ୍ୟାଳୟରେ ପୂର୍ବରୁ ମାତ୍ର ୩୪ରୁ ଅଧିକ ଛାତ୍ରଛାତ୍ରୀ ଥିଲେ, କିନ୍ତୁ ଏବେ ଏହା ବଢ଼ି ବଢ଼ି ୧୨୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପୋଷଣ ବଗିଚା ଓ ଔଷଧୀୟ ବଗିଚାରେ ଛାତ୍ରଛାତ୍ରୀ ମାନେ ନିଜେ ଘରୁ ଆଣିଥିବା ଚାରା ରୋପଣ କରିଛନ୍ତି । ଏହି ବଗିଚା ରୁ ଉତ୍ପନ୍ନ ହେଇଥିବା ପନିପରିବାକୁ ମଧ୍ୟାନ୍ନ ଭୋଜନରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଇଥାଏ ।

ସେହିପରି ଔଷଧୀୟ ବଗିଚାରୁ ଉତ୍ପନ୍ନ ହଳଦୀ, ଅଁଳା , ବେଲ ଆଦିକୁ ଛାତ୍ରଛାତ୍ରୀ ଙ୍କୁ ଦିଆଯାଇଥାଏ । ସବୁଠାରୁ ମୁଖ୍ୟ କଥାରେ ଏହି ବିଦ୍ୟାଳୟରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ସାନିଟେସନ ନ୍ୟାପକିନ ବ୍ୟବହାର ପରେ ଏଣେ ତେଣେ ନ ଫିଙ୍ଗି ସେ ସବୁ କୁ ନଷ୍ଟ କରାଯାଉଛି । ବ୍ୟବହୃତ ନ୍ୟାପକିନ ଗୁଡିକୁ ଭସ୍ମକ କୁଣ୍ଡରେ ପକାଇ ପରେ ଜଳାଇ ଦିଆଯାଉଛି । ସେହିପରି ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପ୍ରଧାନ ଶିକ୍ଷକ ସଞ୍ଜୟ ଦାସ ଏପରି ବ୍ୟବସ୍ଥା ବିଦ୍ୟାଳୟ ମଧ୍ୟରେ କରି ଦେଖାଇଛନ୍ତି ଯେ ତାହା କେବଳ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିନାହିଁ ଗାଁ ଲୋକ ଓ ଶିକ୍ଷା ବିଭାଗକୁ ଚକିତ କରିଛି ।

ସେହିପରି ଭାବେ ଏହି ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି । ପ୍ରଧାନଶିକ୍ଷକଙ୍କ ସହ ଦୁଇ ଜଣ ସହକାରୀ ଶିକ୍ଷୟତ୍ରୀ ଅଛନ୍ତି । ବିଦ୍ୟାଳୟରେ ତେଲ, ସାବୁନ, ପାନିଆ ସହ ସମସ୍ତ ପ୍ରସାଧନ ସାମଗ୍ରୀ ରହିଛି । ଯେଉଁ ପିଲା ନଖ କାଟି ନଥିବେ, କିମ୍ବା ମୁଣ୍ଡ କୁଣ୍ଢେଇ ନଥିବେ, ସେମାନଙ୍କୁ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି ରେ ଏହି ସାମଗ୍ରୀ ବ୍ୟବହାର କରିବା ପାଇଁ ଦିଆଯାଇଥାଏ । ଏହି ବିଦ୍ୟାଳୟର ଆଦର୍ଶ ଶିକ୍ଷାଦାନ ପଦ୍ଧତି ପାଇଁ ରାଜ୍ୟର ପ୍ରମୁଖ ବିଦ୍ୟାଳୟ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି ଥୋରଦା ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟ ।

ପ୍ରଧାନଶିକ୍ଷକ ସଞ୍ଜୟ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ତେବେ ଏହି ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଠାରୁ ଆରମ୍ଭ କରି ବିଦ୍ୟାଳୟର ମୁକ୍ତ ଆକାଶ ଶିକ୍ଷାଦାନ ବ୍ୟବସ୍ଥା ଓ ଶୈକ୍ଷିକ ବାତାବରଣକୁ ଏଭଳି ଭାବେ କରାଯାଇଛି ଯେ ଏହା ଏକ ଗୁରୁକୁଳ ଆଶ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ସମସ୍ତେ ପ୍ରଧାନ ଶିକ୍ଷକଙ୍କ ଅଭିନବ ପରିକଳ୍ପନାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାର ଯେଉଁ ନିଆରା ପଦକ୍ଷେପ ନିଆଯାଇଛି ତାହା ନିଶ୍ଚୟ ଅନ୍ୟ ବିଦ୍ୟାଳୟ ମାନଙ୍କ ପାଇଁ ଉଦାହରଣ । ତେବେ ସରକାର ଏହି ବିଦ୍ୟାଳୟର ଯେଉଁ ଶିକ୍ଷକ ଅଭାବ ଏବଂ ଶ୍ରେଣୀ ଗୃହର ଅଭାବ ରହିଛି ସେ ବିଷୟରେ ସରକାର ଟିକେ ଦୃଷ୍ଟି ଦେବର ଆବଶ୍ୟକତା ରହିଛି ।

ଆହୁରି ପଢନ୍ତୁ: ଶ୍ମଶାନରୁ ମରଶରୀର ଗାଏବ, କିଛି ଅଜବ ଘଟଣା ନା ମୃତଦେହ ଚୋରି ?