କଣ୍ଟେଇପଲ୍ଲୀ ଗାଁ ଲୋକଙ୍କ ନିଆରା ପ୍ରୟାସ, ପାଳିକରି ହାତରେ ଠେଙ୍ଗା ଧରି ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ

ହାତରେ ଠେଙ୍ଗା ଧରି, ମୁହଁରେ କିଏ କିଏ ବୋଲି ରଡ଼ି ଛାଡୁଛି ଏ ବୁଢ଼ୀ ମାଉସୀ ଜଣକ । ଏ ଦୃଶ୍ୟ ଦେଖିଲେ ଯେକେହି ବି’ ଭାବିବ ତାଙ୍କର ବ୍ୟକ୍ତିଗତ ଭାବେ କିଏ କିଛି କ୍ଷତି କରୁଛି ବୋଧହୁଏ । ସେଥିପାଇଁ ଏ ମାଉସୀ ଜଣକ ଏମିତି ପାଟି କରୁଛି । କିନ୍ତୁ ପ୍ରକୃତ କଥା ହେଲା, ଗାଁ ଜଙ୍ଗଲକୁ ଜଗିବା ଏବଂ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ, କାଳେ କିଏ ନିଆଁ ଲଗାଇ ଦେବ ସେଥିପାଇଁ ସେ ଏମିତି ପାଟି କରୁଛନ୍ତି ।

କେବଳ ସେ ଏକା ନୁହନ୍ତି । ଗାଁର ପ୍ରତ୍ୟେକ ପୁରୁଷ ଓ ମହିଳା ମାନେ ପାଳିକରି ହାତରେ ଠେଙ୍ଗା ଧରି ଜଙ୍ଗଲ ଜଗୁଛନ୍ତି । ଯାହାର ନା ହେଉଛି “ଠେଙ୍ଗା ପାଳି” । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗାଁ ଲୋକଙ୍କ ନିଆରା ପ୍ରୟାସ । ଭଞ୍ଜନଗର – ବ୍ରହ୍ମପୁର ରାସ୍ତାର କଣ୍ଟେଇପଲ୍ଲୀକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲଟି, ପ୍ରଥମେ କାଠ-ମାଫିଆଙ୍କ ଦ୍ଵାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

କିନ୍ତୁ ୧୯୯୦ ମସିହା ପରଠାରୁ ବନବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ଚାରା ରୋପଣ କରାଗଲା । ଆଉ ଏ ହେଉଛି ତାହାର ବାସ୍ତବ ଦୃଶ୍ୟ । ବନ ସୁରକ୍ଷା ସମିତି ଗଠନ କରି କଣ୍ଟେଇପଲ୍ଲୀ ଗାଁ ଲୋକେ ଜଙ୍ଗଲର ସୁରକ୍ଷା ଦାୟିତ୍ବ ଏବେ ନିଜ ହାତକୁ ନେଇଛନ୍ତି । ବିଶେଷ କରି ଖରାଦିନେ ଜଙ୍ଗଲ ନିଆଁ ପ୍ରତି ଯଥେଷ୍ଟ ଆଶଙ୍କା ରହିଥାଏ । ତେଣୁ ଗାଁ ଲୋକେ ପ୍ରତିଦିନ ପାଳିକରି ଜଙ୍ଗଲ ଜଗି ଆସୁଛନ୍ତି । କଣ୍ଟେଇପଲ୍ଲୀ ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ ପ୍ରଶଂସା କରୁଛନ୍ତି ।

ଦୀର୍ଘ ବର୍ଷ ହେବ ବିନା ପାରିଶ୍ରମିକରେ ନିରନ୍ତର ଭାବେ ଜଙ୍ଗଲ ଜଗି ଆସୁଛନ୍ତି ଗାଁ ଲୋକେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ । କଣ୍ଟେଇପଲ୍ଲୀ ଗ୍ରାମବାସୀଙ୍କୁ ଯେତେ ପ୍ରଶଂସା କଲେବି ଉଣା ହେବ ନିଶ୍ଚୟ । କାରଣ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏଭଳି ପ୍ରୟାସ ଆଜିର ଦିନରେ ଖୁବକମ୍ ଗ୍ରାମବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଯାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

 

You might also like