‘କାର୍ଲ’ର ହତ୍ୟାରେ କାନ୍ଦିଲା ପୂରା ସହର…ଅଭିଯୁକ୍ତ ପୋଲିସ ଅଧିକାରୀ ଚାକିରିରୁ ବହିଷ୍କୃତ; କଠିନ ଦଣ୍ଡ ଦେବାକୁ ଲୋକେ କଲେ ଦାବି

ମିସିସିପିର ଏକ ଛୋଟିଆ ସହରରେ ଗୋଟିଏ କୁକୁଡ଼ାର ହତ୍ୟା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ପୂରା ସହରଟି ଶୋକରେ ବୁଡ଼ି ରହିଛି। କୁକୁଡ଼ା ହତ୍ୟା ଘଟଣାରେ ସ୍ଥାନୀୟ ବାସିନ୍ଦା ଜଣେ ମହିଳା ପୋଲିସ ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ ତୁରନ୍ତ ତାଙ୍କୁ କଠିନ ଦଣ୍ଡ ଦେବାକୁ ଦାବି ହେଉଛି। ମୃତ କୁକୁଡ଼ାର ନାଁ ‘କାର୍ଲ’ ଥିଲା। ସେ ସହରର ରାସ୍ତାଘାଟରେ ଦିନରାତି ବୁଲୁଥିଲା। ଏପରି କି, ଲୋକମାନେ ଦୋକାନ ଖୋଲିଲେ କାର୍ଲ ସକାଳୁ ସକାଳୁ ସେଠାରେ ଆସି ପହଞ୍ଚି ଯାଉଥିଲା।

କୁକୁଡ଼ାଟି ବହୁତ ଲୋକପ୍ରିୟ ଥିଲା। ସେ ଅନେକ ଦୋକାନକୁ ଯାଇ ପାଣି ପିଉଥିଲା। ଏପରି କି, ଫିଟନେସ୍ କ୍ଲାସରେ ବି ସାମିଲ ହେଉଥିଲା। କାର୍ଲ ଏତେ ବନ୍ଧୁତ୍ୱପୂର୍ଣ୍ଣ ଥିଲା ଯେ ଲୋକଙ୍କ ପାଖକୁ ଯାଇ ଫଟୋ ପାଇଁ ପୋଜ୍‌ ଦେଉଥିଲା ଏବଂ ସହରରେ ଲାଗିଥିବା ରେଲିଂରେ ବିଶ୍ରାମ ନେଉଥିଲା। ତେବେ ଖବର ମୁତାବକ, କିଛି ଦିନ ତଳେ କାର୍ଲ ହଠାତ୍‌ ନିଖୋଜ ହୋଇଗଲା। ତାକୁ କେହି ଅପହରଣ କରି ନେଇଗଲେ। ଅଭିଯୋଗ ମୁତାବକ, ଜଣେ ପୋଲିସ ଅଧିକାରୀ ତାକୁ ଜୀବନରୁ ମାରି ଦେଇଛନ୍ତି, ଯାହା ପରେ କାର୍ଲର ଶବର ଏ ପର୍ଯ୍ୟନ୍ତ ପତ୍ତା ମିଳି ନାହିଁ।

ସେପଟେ ଘଟଣା ପରେ କିଛି ପିଲା କାର୍ଲର ସ୍ମୃତିରେ ପ୍ରେମ ପତ୍ର ଲେଖି ତାହାକୁ ସହରର ବିଭିନ୍ନ ଜାଗାରେ ଲଗାଇ ଦେଇଛନ୍ତି। ସ୍ଥାନୀୟ କଳାକାର ମାନେ ମଧ୍ୟ କାର୍ଲର ଏକ ବିରାଟ ଚିତ୍ର ଆଙ୍କିଛନ୍ତି। ତେବେ କାର୍ଲ ଯେଉଁ ଟାଟୁ କଳାକାରଙ୍କ ପାର୍ଲରରେ ରହୁଥିଲା, ସେ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଏପ୍ରିଲ ୨୫ରେ ଏହି ଘଟଣା ଘଟିଛି। ଯେତେ ବେଳେ ସେ ସକାଳେ ଦୋକାନରେ ପହଞ୍ଚିଥିଲେ, ତ ସେଠି କାର୍ଲର କୌଣସି ପତ୍ତା ପାଇ ନ ଥିଲେ। ଏହାର ଅନେକ ଦିନ ପର୍ଯ୍ୟନ୍ତ ବି ସେ ଘରକୁ ଫେରି ନ ଥିଲା। ସିସିଟିଭି ଫୁଟେଜରୁ ଜଣା ପଡିଛି ଯେ ଏପ୍ରିଲ୍ ୨୪ ତାରିଖ ରାତି ୩ଟାରେ ତିନିଜଣ ପୁରୁଷଙ୍କ ସହ ଜଣେ ମହିଳା ସେଠାକୁ ଆସିଥିଲେ ଏବଂ ସେମାନେ କାର୍ଲକୁ ଧରି ନେଇ ଯାଇଥିଲେ।

ମହିଳାଙ୍କ ନାଁ କେନ୍ଦ୍ରା ଶାଫର୍‌, ଯିଏକି ଜୋନ୍ସ କାଉଣ୍ଟି ଜୁଭେନାଇଲ୍ ଡେଣ୍ଟେସନ ସେଣ୍ଟରର ଜଣେ ପୋଲିସ ଅଧିକାରୀ ବୋଲି ଜଣା ପଡ଼ିଛି। ସିସିଟିଭି ଫୁଟେଜରେ ଶାଫର୍ ପାଖାପାଖି ୧୫ ମିନିଟ୍‌ ପରେ କାର୍ଲର ମୃତଦେହ ଆଣି ପାର୍କିଂରେ ଫିଙ୍ଗି ଦେଉଥିବାର ଦେଖା ଯାଉଛନ୍ତି। ଏହି ଘଟଣାରେ ପୋଲିସ ବିଭାଗ ତରଫରୁ ପଶୁ କ୍ରୁରତା ପାଇଁ ଶାଫରଙ୍କୁ ନୋଟିସ ଜାରି କରାଯାଇ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ସିସିଟିଭି ଫୁଟେଜରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ମୃତ୍ୟୁର ପାଖା ପାଖି ଏକ ଘଣ୍ଟା ପରେ ସେଠି ପହଞ୍ଚୁଛନ୍ତି ଏବଂ କାର୍ଲର ଶବକୁ ଏକ ପଲିଥିନରେ ରଖିଦେଇ ଚାଲି ଯାଉଛନ୍ତି। ଯଦିଓ ପରେ କୁକୁଡ଼ାର ଶବ ଏ ପର୍ଯ୍ୟନ୍ତ ଗାଏବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.