ଛତୁଆ ଓ ବାଦାମ ଲଡୁ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା, ଯାହା ଆଜି ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ

ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ହାତ ତିଆରି ଛତୁଆ ସହ ବିଭିନ୍ନ ଭୋଗ ସାମଗ୍ରୀର ବଢୁଛି ଚାହିଦା । ମହିଳାମାନେ କିପରି ନିଜ ଗୋଡ଼ରେ ନିଜେ ଠିଆ ହେବା ସହିତ ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସାଲେପୁର ବ୍ଲକ ଚନ୍ଦ୍ରଦେଇପୁର ଗାଁରେ ଗଢି ଉଠିଛି ଏହି ମହିଳା ଉଦ୍ୟୋଗ, ଯାହାର ନାମ ରହିଛି ବୈଦନାଥ ମହିଳା ଗ୍ରୁପ । ରାସ୍ତାରେ ଯିବା ଆସିବା ବ୍ୟକ୍ତି ଏହି ଛତୁଆ ପ୍ରସ୍ତୁତି ବାସ୍ନାରେ ଟିକେ ଅଟକି ଯାଆନ୍ତି, ଆଉ ଏହାର ମହକ ବେଶ୍ ଆକୃଷ୍ଟ କରିଥାଏ । ଅନେକ ପ୍ରକାରର କଞ୍ଚା ମାଲରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମା’ମାନେ ଲାଗି ପଡିଛନ୍ତି ଛତୁଆ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାରେ । ଆଉ ଏସବୁ ପ୍ରସ୍ତୁତ କରିବାରେ ମୁଖ୍ୟତଃ ଗହମ ବାଜରା, ଜଅ, ମାଣ୍ଡିଆ, ଖସା, ମୁଗ, ବିରି, ଗୁଡ଼, ଚିନି ସହ ଅନ୍ୟାନ୍ୟ ସାମଗ୍ରୀ ରହିଥାଏ । ମହିଳାମାନେ ଏସବୁ କଞ୍ଚା ମାଲରୁ ବିଭିନ୍ନ ପ୍ରକାର ଛତୁଆ ଖସା ଲଡୁ, ବାଦାମ ଲଡୁ, ବଡି ଭଳି ଭଳିକି ଭଳି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏବେ ଦୁଇ ପଇସା ରୋଜଗାର କରିବା ସହିତ ସ୍ୱାବଲମ୍ବୀ ହୋଇ ପାରିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ମହିଳା ।
କିଭଳି ଭାବେ ମହିଳାମାନେ ଏକାଠି ହୋଇ ଛତୁଆ ପ୍ରସ୍ତୁତ କରୁଛନ୍ତି ଟିକେ ଦେଖନ୍ତୁ । ପୁରା ସ୍ୱଚ୍ଛତାର ସହିତ କିଏ ଭଜା ଭଜି କରୁଛି ତ ଆଉ କିଏ ଗୁଣ୍ଡ କରୁଛି ଏବଂ ଆଉ କିଏ ପ୍ୟାକିଂରେ ଲାଗି ପଡିଛନ୍ତି । ପଣା ସଂକ୍ରାନ୍ତି ପାଇଁ ବିଭିନ୍ନ ପ୍ରକାର ଛତୁଆ ପ୍ରସ୍ତୁତ ହେଉଛି । ମହିଳାମାନେ ଏଭଳି ସ୍ୱାତିକ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଉ ଏମାନଙ୍କ ସହଯୋଗ କରୁଛନ୍ତି କିଛି ପୁରୁଷ । ସାଲେପୁରର ମହିଳାମାନଙ୍କ ପ୍ରସ୍ତୁତ ବେଶ୍ ଚାହିଦା ବଢ଼ିଛି । ସଂଘର୍ଷର ଅନ୍ୟ ନାମ ହେଉଛି ସଫଳତା । ମାତ୍ର ଅଳ୍ପ କିଛି ସାମଗ୍ରୀରୁ ଆରମ୍ଭ କରିଥିବା ଏହି ବୈଦ୍ୟନାଥ ମହିଳା ଉଦ୍ୟୋଗ ଗ୍ରୁପ କିଛି ବର୍ଷ ମଧ୍ୟରେ ବେଶ୍ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହାତ ତିଆରି ଏହି ସବୁ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଏବେ ବିଭିନ୍ନ ଆଡୁ ଏହି ଚନ୍ଦ୍ରଦେଇପୁର ଗାଁକୁ ବ୍ୟବସାୟୀ ଓ ଗ୍ରାହକମାନଙ୍କ ଭିଡ଼ ଜମୁଛି । ଘର କାମ ସହିତ ମହିଳାମାନେ ଏକାଠି ହୋଇ ଏହିସବୁ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବି ହୋଇପାରିଛନ୍ତି । ବର୍ତ୍ତମାନ ସମୟରେ ଯୁବକ ଯୁବତୀମାନେ ଚାକିରି ପଛରେ ନଗୋଡାଇ ଏହିଭଳି ଉଦ୍ୟୋଗ କଲେ ନିଶ୍ଚିତ ଭାବେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଆତ୍ମ ନିର୍ଭରଶୀଳ କରିପାରିବେ ବୋଲି କହିଛନ୍ତି ଏହି ଗ୍ରୁପର ମୁଖ୍ୟ ।
ଗୁଣବତ୍ତା ସ୍ବଚ୍ଛତା ଓ ଚାହିଦାକୁ ନେଇ ସାଲେପୁର ଚନ୍ଦ୍ରଦେଇପୁର ଗାଁର ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ଏହି ସୁସ୍ୱାଦୁ ଖାଦ୍ୟର ଆଦର ବଢ଼ୁଛି ।