ଏହି ମହିଳା ମାନେ ପାଲଟିଛନ୍ତି ସବୁ ନାରୀଙ୍କ ପାଇଁ ଉଦାହରଣ

ସାଲେପୁର: ମହିଳା ମାନେ କିପରି ନିଜ ଗୋଡ଼ରେ ନିଜେ ଠିଆ ହେବା ସହିତ ସ୍ଵାବଲମ୍ବୀ ହୋଇପାରିବେ ସେଥିପାଇଁ ସାଲେପୁର ବ୍ଲକ ସିଶୁଆ ପଞ୍ଚାୟତ କଲ୍ୟାଣପୁର ଗାଁରେ ଗଢି ଉଠିଛି ଏକ ମହିଳା ଉଦ୍ୟୋଗ । ରାସ୍ତାରେ ଯିବା ଆସିବା ବ୍ୟକ୍ତି ଧୂପ କାଠିର ବାସ୍ନାରେ ଏଠାରେ ଟିକେ ଅଟକି ଯାଆନ୍ତି । ଆଉ ଏହାର ମହକ ବେଶ୍ ଆକୃଷ୍ଟ କରିଥାଏ ସମସ୍ତଙ୍କୁ । ପ୍ରାୟ ୪୦ ରୁ ଊର୍ଦ୍ଧ୍ଵ ମାଆ ମାନେ ଲାଗି ପଡିଛନ୍ତି ଧୂପ ପ୍ରସ୍ତୁତ କରିବାରେ ଆଉ ଏସବୁ ପ୍ରସ୍ତୁତ କରିବାରେ ମୁଖ୍ୟତଃ କାଠି ସହ ରଙ୍ଗ ସେଣ୍ଟ ଝୁଣା ଗୁଣ୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଦରକାର ହୋଇଥାଏ । ମହିଳାମାନେ ଏସବୁ ତିଆରି କରିବାର ପ୍ରଣାଳୀ ଶିଖି ଏବେ ଦୁଇ ପଇସା ରୋଜଗାର କରିବା ସହିତ ସ୍ୱାବଲମ୍ବୀ ହୋଇପାରିଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି ।
ଖାଲି ସେତିକି ନୁହେଁ ତୁଳା, ବତି, ମହମବତି ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । ଆଉ ଏଥିରେ ସହଯୋଗ କରୁଛନ୍ତି କିଛି ପୁରୁଷ । ପଲିଶ୍ରୀ ମେଳା ହେଉବା ଅନ୍ୟାନ୍ୟ ବଡ଼ ବଡ଼ ମେଳା ମହୋତ୍ସବ ପୂଜା ପର୍ବରେ, ସାଲେପୁରର ମହିଳା ମାନଙ୍କ ପ୍ରସ୍ତୁତ ସାମଗ୍ରୀର ବେଶ ଚାହିଦା ବଢ଼ିଛି । ଖୁବ୍ କମ୍ ଦିନ ମଧ୍ୟରେ ଏହି ପୂଜା ସାମଗ୍ରୀ ପ୍ରସ୍ତୁତ କରି ସଫଳତା ପାଇଛନ୍ତି ଏହି ମହିଳା ମାନେ । ହାତ ତିଆରି ଏହି ଧୂପ କାଠି କିଣିବା ପାଇଁ ଏବେ ବିଭିନ୍ନ ଆଡୁ ଏହି ପଞ୍ଚାୟତକୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଭିଡ଼ ଜମୁଛି । ଘର କାମ ସହିତ ମହିଳା ମାନେ ଏକାଠି ହୋଇ ଏସବୁ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ଵାବଲମ୍ବୀ ହୋଇପାରିଛନ୍ତି । ଆଉ କିଛି ମହିଳା ଏଠାରୁ ତିଆରି କିପରି ହେଉଛି ତାହା ଶିଖି ଦି ପଇସା ରୋଜଗାର କରୁଛନ୍ତି ।
କଠିନ ପରିଶ୍ରମ ଓ ଦୃଢ ମନବଳରେ ଶିଖର ଛୁଇଁହୁଏ । ସେହିପରି ଆଜି ନିଜେ ପରିଶ୍ରମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା । ବିଭିନ୍ନ ବ୍ୟବସାୟ ମାଧ୍ୟମରେ ନିଜେ ପରିଶ୍ରମ କରି ରୋଜଗାରକ୍ଷମ ହେଉଛନ୍ତି । ତେବେ ସତ କହିବାକୁ ଗଲେ ଏମାନଙ୍କୁ ଦେଖି ଅନ୍ୟ ମହିଳା ମାନେ ମଧ୍ୟ ଅନୁପ୍ରାଣିତ ହେଉଛନ୍ତି ।