ଏବେ ସ୍ୱାବଲମ୍ବୀ ଏହି ଗାଁର ମହିଳାମାନେ, ଏବେ ଭଲ ରୋଜଗାର କରି ଚଳାଉଛନ୍ତି ପରିବାର

କଣ୍ଟାମାଳ: କଠିନ ପରିଶ୍ରମ ଓ ଦୃଢ ମନବଳରେ ଶିଖର ଛୁଇଁହୁଏ । ସେହିପରି ଆଜି ନିଜେ ପରିଶ୍ରମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା । ବିଭିନ୍ନ ବ୍ୟବସାୟ ମାଧ୍ୟମରେ ନିଜେ ପରିଶ୍ରମ କରି ରୋଜଗାରକ୍ଷମ ହେଉଛନ୍ତି । ନିଜ ପ୍ରଚେଷ୍ଟା ଓ ସାଧନା ବଳରେ ଆଜି ନିଜ ଅଞ୍ଚଳର ଜଣେ ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।
ସୁବର୍ଣ୍ଣପାଲି ଗ୍ରାମର ମହିଳା ମାନେ ଏବେ ପାଲଟିଛନ୍ତି ଉଦାହରଣ । ଯେଉଁମାନେ ଦିନେ ଥିଲେ ବେରୋଜଗାର । ପରେ ସୁବର୍ଣ୍ଣପାଲି ମହାଲକ୍ଷ୍ମୀ ଏସଏଚଜିରେ ଯୋଗ ଦେଇ ପ୍ରଥମେ ୧୦ ହଜାର ଋଣ ଆଣି କିଛି ସିଲେଇ ମେସିନ୍ କିଣି ସବୁ ସଦସ୍ୟ ମିଶି ଆରମ୍ଭ କଲେ ସିଲେଇ କାମ । ନିଜେ ସିଲେଇ କରି ରୋଜଗାର କରିବା ସହ ଅନ୍ୟ ସଦସ୍ୟଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରାଇଲେ । ସିଲେଇ ମେସିନକୁ ମାଧ୍ୟମ କରି ସ୍ଵାବଲମ୍ବୀ ହେବାକୁ ପ୍ରୟାସ କରିଛନ୍ତି ଏମାନେ ।
ତେବେ ୨୦୧୬ରେ ୧୦ ଜଣ ମହିଳାଙ୍କୁ ନେଇ ଗଢ଼ି ଉଠିଥିବା ମା’ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ । ମାତ୍ର ୧୦ ହଜାର ଟଙ୍କା ଋଣ କରି ବ୍ଲାଉଜ, ସାୟା ଏବଂ ଆକର୍ଷଣୀୟ ଏମ୍ବୋଡରି କାମ କରି ୨ ବର୍ଷ ମଧ୍ୟରେ ସିଲେଇ ବ୍ୟବସାୟରେ ଭଲ ଅର୍ଥ ଉପାର୍ଜନ କରି ନିଜର ଜୀବିକା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ୨୦୨୦ରେ ନିଜ ଉପାର୍ଜିତ ଅର୍ଥରୁ ୫ଗୋଟି ସିଲେଇ ମେସିନ ଆଣି ୧୦ ଜଣ ମହିଳାଙ୍କୁ ପ୍ରଥମେ ତାଲିମ ଦେଇଥିଲେ । ବର୍ତମାନ ତାଙ୍କ ମା’ ଲଷ୍ମୀ ଏସଏଚଜି ସହ ଏବେ ମୀରାବାଇ ସ୍ଵୟଂସହାୟକ ଗୋଷ୍ଠୀ ଓ ମା ସନ୍ତୋଷୀ ଗ୍ରୁପ ମିଶି ପ୍ରାୟତଃ ୩୦ ରୁ ଅଧିକ ସଦସ୍ୟ ଏହି ସମୟରେ ସ୍କୁଲ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ପୋଷାକ ତିଆରି ଓ ଅନ୍ୟାନ୍ୟ ଡ୍ରେସ ତିଆରି କରି ବେଶ୍ ଦୁଇପଇସା ଉପାର୍ଜନ କରୁଛନ୍ତି ସେ ଓ ସମସ୍ତ ସଦସ୍ୟ ।
ଏହା ସହ ବର୍ତମାନ ପଡ଼ୋଶୀ କପାସିରା ଗ୍ରାମରେ ତାଲିମ କେନ୍ଦ୍ର ଖୋଲି ତାଲିମ ଦେଉଛନ୍ତି । ଏଠାରେ କାମ କରି ଭଲ ଅର୍ଥ ରୋଜଗାର କରି ନିଜର ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି ବୋଲି କହିଛନ୍ତି ଏଠାକାର ସଦସ୍ୟ ମାନେ । ସେହିପରି ଏମାନଙ୍କ ଟ୍ରେନିଙ୍ଗ ପାଇଁ ସ୍କୁଲ ଘରଟେ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଲେ ଏମାନେ ଆହୁରି ଆଗକୁ ବଢ଼ି ପାରନ୍ତେ ବୋଲି କହିଛନ୍ତି । ସିଲେଇ ତାଲିମ ଦେଇ ଖୁସିରେ ପରିବାର ଚଳାଇ ପାରିବା ସହ ଅନ୍ୟକୁ ରୋଜଗାର ଦେଇ ବେଶ ଖୁସି ଥିବାବେଳେ ଏମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିଲେ ଏମାନେ ଆହୁରି ଆଗକୁ ବଢନ୍ତେ ନିଶ୍ଚିତ ।