ପ୍ରକୃତରେ ଏମାନେ ହିଁ ବିପଦ ସମୟର ବନ୍ଧୁ, ଅନ୍ୟମାନଙ୍କୁ ପ୍ରେରଣା ଦେବ ଏମାନଙ୍କ କାର୍ଯ୍ୟ

ଭଞ୍ଜନଗର: କେତେବେଳେ, ଭରା ନଈ ପାର ହୋଇ ଟାଣି ଟାଣି ନେଉଛନ୍ତି ତ, ଆଉ କେତେବେଳେ ଉପାନ୍ତ ଅଞ୍ଚଳରୁ । ପୁଣି କେତେବେଳେ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରୁ ତ’ ଆଉ କେତେବେଳେ ରାସ୍ତାକଡ ପାନ୍ଥଶାଳାରୁ ଉଦ୍ଧାର କରି ଗାଡ଼ିରେ ବସାଉଛନ୍ତି । ବଡ ଅଜବ ଲାଗୁଥିଲା, ଏଦୃଶ୍ୟ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, ଏସବୁ କ’ଣ ହେଉଛି ।

ବୁଝୁ ବୁଝୁ ଜଣାପଡ଼ିଲା, ଅସହାୟ ଓ ମାନସିକ ବିକୃତଙ୍କୁ ଉଦ୍ଧାର କରାଯାଉଛି । ସେମାନଙ୍କୁ ନେଇ ସେବା ସୁଶୃସା ଓ ଚିକିତ୍ସା କରିବା ପାଇଁ, ଏକ ସ୍ଵେଚ୍ଛାସେବୀ ଆଶ୍ରମକୁ ନିଆଯାଉଛି । ଏଭଳି ଅସହାୟ ମାନଙ୍କୁ ଯେଉଁମାନେ ଉଦ୍ଧାର କରୁଛନ୍ତି, ସେମାନେ ହେଲେ “ବିପଦର ବନ୍ଧୁ” ନାମକ ସ୍ଵେଚ୍ଛାସେବୀ ସଂଗଠନର, ସଦସ୍ୟ ମାନେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଏବଂ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ ।

ବିପଦର ବନ୍ଧୁ, ସ୍ଵେଚ୍ଛାସେବୀ ସଂଗଠନ ଭଞ୍ଜନଗର ଶାଖାର ସଦସ୍ୟମାନେ ଏଭଳି ସେବା କାର୍ଯ୍ୟ ହାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି । “ମିଶନ୍ – ଆଶ୍ରା” ସଂଗଠନର ସହଯୋଗରେ ସଂପୃକ୍ତ ଅସହାୟଙ୍କୁ ଭଞ୍ଜନଗର ବସଷ୍ଟାଣ୍ଡ, ପରିବାର ବଜାର, ପାନ୍ଥଶାଳା, ବାଉଁଶଲୁଣ୍ଡି ଏବଂ ନିକଟସ୍ଥ ଗୋଲାପଡା ଗାଁ ରୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ସ୍ଵତନ୍ତ୍ର ବସ୍ ଯୋଗେ, ବ୍ରହ୍ମପୁର ସ୍ଥିତ ‘ମିଶନ୍ ଆଶ୍ରା” ଅନୁଷ୍ଠାନକୁ ପଠାଇଥିଲେ । ସେଠାରେ ସେମାନଙ୍କୁ ରଖି ସେବା ଓ ଚିକିତ୍ସା କରାଇଛନ୍ତି । ପୂର୍ବରୁ ମଧ୍ୟ ବହୁ ଅସହାୟ ଓ ମାନସିକ ବିକୃତଙ୍କୁ ଉଦ୍ଧାର କରି, ଚିକିତ୍ସା କରିବା ସହ ସେମାନଙ୍କୁ ସୁସ୍ଥ କରାଇଥିବା କୁହାଯାଇଛି ।

help

କେବଳ ଏହି କାର୍ଯ୍ୟ ନୁହେଁ, କରୋନା ସମୟରେ ପୀଡିତ ଓ ଅସହାୟ ମାନଙ୍କ ପାଖରେ ଯେତେବେଳେ କେହି ପହଞ୍ଚୁନଥିଲେ, ସେତେବେଳେ ବିପଦର ବନ୍ଧୁ ସଂଗଠନର ସଦସ୍ୟ ମାନେ ପହଞ୍ଚୁଥିଲେ । କରୋନା ଆକ୍ରାନ୍ତଙ୍କୁ ମେଡିକାଲ ନେବାସହ ମୃତଦେହ ସତ୍କାର କରିବାରେ, ନିଜକୁ ବାଜି ଲଗାଇ ଦେଇଥିଲେ । ଭୋକିଲାଙ୍କ ପାଖରେ ପହଞ୍ଚି, ରନ୍ଧା ଓ ଶୁଖିଲା ଖାଦ୍ୟ ଦେଉଥିଲେ ।

କୈାଣସି ସମୟରେ ରାସ୍ତାକଡରେ ଦୁର୍ଘଟଣା ଘଟିଲେ, ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ଭଳି ସେବା କାର୍ଯ୍ୟରେ ନିଜକୁ ସାମିଲ କରିଆସିଛନ୍ତି ‘ବିପଦର ବନ୍ଧୁ’ ସଦସ୍ୟ ମାନେ । ଏହାସହ ବିଭିନ୍ନ ସମୟରେ ରକ୍ତର ଦାନ, ଚକ୍ଷୁ ଚିକିତ୍ସା ଶିବିର, ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କାର୍ଯ୍ୟ କରିଆସୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ “ବିପଦର ବନ୍ଧୁ” ସଂଗଠନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଆଜିକାଲି ବନ୍ଧୁତ ଅନେକ ମିଳିବେ । ହେଲେ ବିପଦ ସମୟରେ ପାଖରେ ଠିଆ ହେଉଥିବା ବନ୍ଧୁଙ୍କ ସହଯୋଗ, ସବୁବେଳେ ସ୍ମୃତି ହୋଇ ରହିଯାଏ । ତେବେ ପ୍ରଶାସନର କୈାଣସି ଆର୍ଥିକ ସହାୟତା ଏବଂ ରାଜନୈତିକ ଚିନ୍ତାଧାରାରୁ ଉଚ୍ଚରେ ରହି, ସେବାକୁ ମୂଳମନ୍ତ୍ର କରି ନେଇଛନ୍ତି ଏହି ଯୁବଗୋଷ୍ଠି । ନିଜସ୍ଵ ଉଦ୍ୟମ ସହ ପକେଟ୍ ଖର୍ଚ୍ଚରୁ କିଛି କିଛି ଅର୍ଥ ସଂଗ୍ରହ କରି ଅନ୍ୟର ସେବା କରିବା ଭଳି ଉତ୍ସର୍ଗୀକୃତ ମାନସିକତା, ଦେଖିବାକୁ ମିଳିଛି । ଏମାନେ କେବଳ ବନ୍ଧୁ ନୁହଁନ୍ତି, ବରଂ ବିପଦ ସମୟର ବନ୍ଧୁ ଭଳି ଠିଆହୋଇ ଆସୁଛନ୍ତି । ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ, ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like