ହଜିଗଲାଣି ପ୍ରାଚୀନ ପାରମ୍ପରିକ ବାଦ୍ୟ, ହେଲେ ଏବେ ବି ଧୁଡୁକି ବଜାଇ ପେଟ ପୋଷୁଛି ମୁଣ୍ଡପୋତା ଯୁବକ
ଆଧୁନିକ ଦୁନିଆରେ ହଜିବାକୁ ବସିଲାଣି ଅନେକ ପୁରାତନ ଯୁଗର ସଂସ୍କୃତି ଓ ପରମ୍ପରା । ତା ଭିତରେ ସାମିଲ ହୋଇଛି ଧୁଡୁକି । ଆଉ ପ୍ରାୟତଃ ଶୁଣିବାକୁ ମିଳୁନି ଧୁଡୁକି ବାଜାର ସ୍ୱର । ଏ ବାଜାକୁ ଆପଣ ଜାଣନ୍ତି କି ? ହୁଏତ ପୁରୁଣା ଲୋକ କିଛି ଏହାକୁ ଚିହ୍ନି ପାରିବେ । ନୂଆ ପିଢ଼ି ଏଇଟା କଣ ବୋଲି ପଚାରିବେ । କିଛି ଲୋକ ତ ଆଦୌ ଜାଣି ବି ନଥିବେ ଧୁଡୁକି ବାଜା କ’ଣ! ତେବେ ଧୁଡୁକି ବାଜା ହେଉଛି ଓଡ଼ିଶାର ଏକ ପାରମ୍ପରିକ ବାଦ୍ୟ ଯନ୍ତ୍ର । ଏହାକୁ ଭିତ୍ତି କରି ପରିବେଷିତ ହେଉଥିବା ଲୋକକଳା ଧୁଡ଼ୁକି ନାଚ ନାମରେ ପରିଚିତ ।
ଧୁଡୁକିଆ ଶବର ତଥା ମୁଣ୍ଡପୋତା ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ ଲୋକମାନଙ୍କର ମନୋରଞ୍ଜନ କରନ୍ତି ଆଉ ଏହା ହିଁ ତାଙ୍କର ରୋଜଗାରର ପନ୍ଥା । ଦିନ ଥିଲା ଉଦୁଉଦିଆ ଖରାଦିନେ ମୁଣ୍ଡପୋତା ସମ୍ପ୍ରଦାୟର ଲୋକେ ଧୁଡୁକି ବାଜା ବଜାଇ ଗାଁ ଗାଁ ବୁଲି ନିଜ ସ୍ୱତନ୍ତ୍ର କଳା ପ୍ରଦର୍ଶନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏବେ ଡିଜିଟାଲ ଯୁଗରେ ମନୋରଞ୍ଜନ ପାଇଁ ଅନେକ କିଛି ଅତ୍ୟାଧୁନିକ ସୁବିଧା ମିଳୁଥିବା ବେଳେ ଲୋପ ପାଇବାରେ ଲାଗିଛି ମୁଣ୍ଡପୋତା ସମ୍ପ୍ରଦାୟର ଧୁଡୁକି ବାଜା ।
ଏବେ ପ୍ରାୟତଃ ମୁଣ୍ଡପୋତା ସମ୍ପ୍ରଦାୟ ନିଜ କୌଳିକ ବୃତ୍ତି ବଦଳାଇ ଅନ୍ୟ କାମ କଲେଣି । ତେଣୁ ନାଁ ସେମାନେ ମୁଣ୍ଡ ପୋତୁଛନ୍ତି ନା ଆଉ ବିଶେଷ ଭାବେ ଧୁଡୁକି ବଜାଉଛନ୍ତି । ତଥାପି ବାପା ଜେଜେ ଅମଳର ଏହି ବାଜା ଆଜିବି କିଛି ମୁଣ୍ଡପୋତାଙ୍କ ପାଇଁ ସାଜିଛି ରୋଜଗାରର ମାଧ୍ୟମ । ସେମାନେ ଛାଡ଼ି ପାରି ନାହାନ୍ତି ନିଜର ସଂସ୍କୃତିକୁ । ଆମ ନଜରକୁ ଆସିଥିଲେ କାମାକ୍ଷାନଗର ସହରରେ ଧୁଡୁକି ବଜାଇ ଏ ଦୋକାନରୁ ସେ ଦୋକାନ ବୁଲୁଥିବା ଜଣେ ଲୋକଙ୍କ ଉପରେ । ଯାହା କିଛି ମିଳୁଛି ସେଥିରେ ସେ ନିଜ ପରିବାର ଚଳାଉଛନ୍ତି । ସେ ହେଉଛନ୍ତି ତାଳଚେର ଅଞ୍ଚଳର ତୋଫାନ ।
କେତେବେଳେ ଭଜନ ତ ଆଉ କେତେବେଳେ ଆଧୁନିକ ଗୀତର ତାଳେତାଳେ ଧୁଡୁକି ବାଜା ବଜାଇ ଲୋକଙ୍କ ମନୋରଞ୍ଜନ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଉଛି ତୋଫାନ । ବାପା ଜେଜେଙ୍କ ଠାରୁ ଧୁଡୁକି ବଜାଇ ଶିଖିଥିବା ତୋଫାନଙ୍କ ଭଳି କେତେକ ମୁଣ୍ଡପୋତା ସମ୍ପ୍ରଦାୟ ଆଜି ବି ବଞ୍ଚାଇ ରଖିଛନ୍ତି ନିଜ କୌଳିକ ବାଜା ପରମ୍ପରା । ଦିନକୁ ଦୁଇ ମୁଠା ଆହାର ଯୋଗାଇବାକୁ ବହୁ ଲୋକ ବିଭିନ୍ନ ପନ୍ଥା ଧରିଥାନ୍ତି । କିଏ ବେପାର ବଣିଜ କରିଥାଏ ତ କିଏ ଚାଷ କାମ କରିଥାଏ ।
ହେଲେ ଏବେବି ଅନେକ ଲୋକ ନିଜ କୌଳିକ ବୃତ୍ତିକୁ ନଛାଡ଼ି ସେହିଥିରୁ ଘର ଚଳାଉଛନ୍ତି । ସେହିଭଳି ମୁଣ୍ଡପୋତା ସମ୍ପ୍ରଦାୟର ଲୋକେ ଧୁଡୁକି ବାଜା ବଜାଇ ଅନ୍ୟମାନଙ୍କ ମନୋରଞ୍ଜନ କରିବା ସହିତ ଏଥିରୁ ଯାହା ଯେତିକି ମିଳିଥାଏ ସେତିକିରେ ନିଜ ପେଟ ମଧ୍ୟ ପୋଷିଥାନ୍ତି । ତେବେ ଏଭଳି ପାରମ୍ପରିକ ବାଦ୍ୟ ଓ ଏହାର କଳାକାର ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏମାନଙ୍କୁ ପ୍ରୋତ୍ସାହନ ଦେଇ କଳାକୁ ବଞ୍ଚାଇ ରଖିବାର ପ୍ରୟାସ ହେବା ଦରକାର ।