ସରପଞ୍ଚ ଆମ ହିରୋ, କନ୍ଧମାଳ ବି.ରାଣୀପାଙ୍ଗା ଗାଁ ଲୋକଙ୍କୁ ଏକାଠି କରି ପାହାଡ଼ି ଝରଣାରୁ କଲେ କେନାଲ

ବାଲିଗୁଡା(କେନ୍ୟୁଜ୍) : ଆମେ ଆଉ ଦାଦନ ଖଟିବାକୁ ଯିବା ନାହିଁ । ନିଜ ଗାଁରେ ରହି ପେଟ ପୋଷିବା । ଆଉ ଏଥିପାଇଁ ନିଜକୁ ହିଁ କିଛି ବାଟ ଖୋଜିବାକୁ ପଡ଼ିବ । ଏଭଳି ଏକ ମହତ୍ ଚିନ୍ତା ଆଜି ବିରାଟ ଯୋଜନାରେ ପରିଣତ ହୋଇଛି । ଆମ ରାଜ୍ୟର ଜଣେ ଯୁବ ସରପଞ୍ଚଙ୍କ ନେତୃତ୍ୱରେ ଗାଁ ଲୋକେ ଏକ ଅତ୍ୟନ୍ତ କଷ୍ଟକର କାମ କରି ପାରିଛନ୍ତି । ଅପହଞ୍ଚ ଓ ଦୁର୍ଗମ ଗାଁର ବାସିନ୍ଦାଙ୍କୁ ଚାଷ କାମ ପାଇଁ ଆକୃଷ୍ଟ କରିବା ଏବଂ ରାଜ୍ୟ ବାହାରକୁ ଯାଇ ଦାଦନ ନଖଟିବା ଲାଗି କରିଛନ୍ତି ଅଭିନବ ପ୍ରୟାସ । ଏଥିପାଇଁ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଥିବା ଦୁଇଟି ବିରାଟକାୟ ପାହାଡ଼ରେ ପ୍ରବାହିତ ଝରଣା ଜଳକୁ ରାସ୍ତା ଦେଖାଇ ଗାଁରେ ପହଁଚାଇବାରେ ସଫଳ ହୋଇଛନ୍ତି ।

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ବନ ପାହାଡ଼ ଘେରା ଦୁର୍ଗମ ଓ ବିଚ୍ଛିନ୍ନ ଅଂଚଳ ରୂପେ ଜଣା ରାଣୀପାଙ୍ଗା ପଂଚାୟତ । ଏହି ପଂଚାୟତର ବି.ରାଣୀପାଙ୍ଗା ଗ୍ରାମରେ ବସବାସ କରନ୍ତି ୭୭ ଆଦିବାସୀ ପରିବାର । ଏମାନଙ୍କ ମୁଖ୍ୟ ଜୀବିକା ହେଲା କୃଷି । ଏହି ଗ୍ରାମର ଲୋକେ ବାହାରକୁ ଦାଦନ ଖଟିବାକୁ ନ ଯାଇ ସବୁବେଳେ ଚାଷ ଉପରେ ମନ ବଳାଇଥାନ୍ତି । କିନ୍ତୁ ପାଣି ଅଭାବରୁ ଅନେକ ସମସ୍ୟା ହୁଏ । କେବଳ ବର୍ଷକ୍ଷ ଜଳ ଉପରେ ହିଁ ନିର୍ଭର କରି ଚାଷ କାର‌୍ୟ୍ୟ କରିଥାନ୍ତି ଏଠାକର ଲୋକ । ଯାହା ଫଳରେ ହେକ୍ଟର ହେକ୍ଟର ଚାଷ ଜମି ବହୁ ବର୍ଷ ହେଲା ପଡିଆ ପଡି ଆସୁଛି ।

water pahadaଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଗକୁ ପାଦ କାଢିଲେ ଯୁବ ସରପଞ୍ଚ । ପାହାଡ଼ ମୁଣ୍ଡରେ ଥିବା ଝରଣାରୁ ପ୍ରବାହିତ ଜଳକୁ ସଂରକ୍ଷଣ କରି ଗାଁକୁ ପହଁଚାଇବା ନେଇ ଗ୍ରାମବାସୀଙ୍କୁ କହିଲେ । ତାପରେ ଗ୍ରାମବାସୀଙ୍କ କଠିନ ପରିଶ୍ରମ ଫଳରେ ଶେଷରେ ଏବେ ଦୁଇ କିଲୋମିଟରରୁ ଅଧିକ ବାଟ ପାହାଡ଼ ଖୋଳି, ପଥର ଫଟାଇ ତିଆରି କଲେ କେନାଲ । ସେହି କେନାଲ ମାଧ୍ୟମରେ ପାଣି ଆଣିବାରେ ସଫଳ ହୋଇଛନ୍ତି ବି.ରାଣୀପାଙ୍ଗା ଗ୍ରାମବାସୀ କ୍ଷ ଫଳରେ ଗାଁରେ ଜଳକଷ୍ଟ ଦୂର ହୋଇଛି ତା ସହିତ ସବୁଠାରୁ ବଡ଼ ସହାୟତା ମିଳିଛି ଚାଷ କାମ ପାଇଁ ।

ପାହାଡ଼ର ଶକ୍ତ ପଥର କାଟି କେନାଲ ଖୋଳିବା ସହଜ ନଥିଲା । କଠୋର ପରିଶ୍ରମ ବଳରେ ବିରାଟକାୟ ପାହାଡ଼କୁ ଦୁଇ କିମି ଯାଏ ଖୋଳି କେନାଲ ମାଧ୍ୟମରେ ପାଣି ଆଣି ପାରିଛନ୍ତି । ସରପଞ୍ଚଙ୍କ କଥା ମାନି ଏକାଠି ହୋଇଥିଲେ ଗ୍ରାମବାସୀ । ପୁରୁଷ ମହିଳା ସମସ୍ତେ ଶ୍ରମଦାନ କଲେ । ହାତକୁ ହାତ ମିଶାଇ, କାନ୍ଧକୁ କାନ୍ଧ ଯୋଡ଼ି ନିଜ ଭାଗ୍ୟ ନିଜେ ଗଢ଼ିଛନ୍ତି ।

villagersବି.ରାଣୀପାଙ୍ଗା ଗାଁଟି ଅତ୍ୟନ୍ତ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ । ଗାଁ ନିକଟରେ ଥିବା ଦୁଇଟି ପାହାଡ଼ ନେତଡ଼ବାଲି ଓ ସୁପେଞ୍ଜି ଉପରେ ରହିଛି ଦୁଇ ଦୁଇଟି ଝରଣା । ବର୍ଷା ହେଲେ ଝରଣା ପାଣି ସବୁ ପ୍ରବାହିତ ହୋଇ ନଷ୍ଟ ହୋଇଯାଏ । ଏହି ନଷ୍ଟ ହୋଇଯାଉଥିବା ପାଣିକୁ କିଭଳି କାମରେ ଲଗା ଯାଇ ପାରିବ ସେ ନେଇ ଚିନ୍ତା କରି ଏକ ବାଟ ବାହାର କଲେ ସରପଞ୍ଚ । ଗ୍ରାମବାସୀଙ୍କ ସହ ମିଶି କେନାଲ ମାଧ୍ୟମରେ କିପରି ଜଳକୁ ଗାଁକୁ ଆଣିହେବ ତାହାକୁ ବୁଝାଇଥିଲେ । ପଡିଆ ପଡୁଥିବା ଜମି ଏହା ଦ୍ୱାରା ଶସ୍ୟ ଶ୍ୟାମଳା ହୋଇ ପାରିବ କହି ଗ୍ରାମବାସୀଙ୍କ ମନବଳକୁ ଦୃଢ଼ କରିଥିଲେ ସରପଞ୍ଚ ଯୋହନ ପ୍ରଧାନ ।

ଖାଲି ସେତିକି ନୁହେଁ, ମନରେଗା ଯୋଜନାରେ ଗ୍ରାମବାସୀଙ୍କୁ କାମ କରିବାକୁ ଦେଇଥିଲେ ପରାମର୍ଶ । ଗ୍ରାମବାସୀ ଏକତ୍ରିତ ହୋଇ ମନରେଗା ଯୋଜନାରେ କାର‌୍ୟ୍ୟ କରିବା ସହ ପାହାଡ଼କୁ ଖୋଳି ଦୁଇ କିଲୋମିଟର ପର୍ବତ କାଟି ଗାଁକୁ ପାଣି ଆଣିଛନ୍ତି । ଏଥିପାଇଁ ଗ୍ରାମବାସୀ ସରପଞ୍ଚଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

waterଏହି ଲକ୍‌ଡାଉନ୍ ସମୟରେ ଘରକୁ ଫେରି ଆସିଥିବା ହଜାର ହଜାର ପ୍ରବାସୀ ଓଡ଼ିଆ ଏବେ କାମଧନ୍ଦା ଓ ଅନ୍ନ ଚିନ୍ତାରେ ଥିବେ । ତେବେ ସରପଞ୍ଚ ଯୋହନ ପ୍ରଧାନଙ୍କ ଭଳି ନିଆରା ପଦକ୍ଷେପ ଏପରି ପ୍ରବାସୀଙ୍କ ପାଇଁ ଏକ ବଡ଼ ଉଦାହରଣ ହୋଇଛି । ଉପାୟ ବଳରେ ଓ ସମସ୍ତେ ଏକାଠି ହେଲେ ସବୁ ସମସ୍ୟାର ସମାଧାନ କରିହେବ ବୋଲି ଜଣାଇ ଦେଇଛନ୍ତି ବି.ରାଣୀପାଙ୍ଗା ଗାଁର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.