ଅବାଟରେ ଯାଉଥିବା ଯୁବପିଢ଼ିଙ୍କୁ ଏମାନଙ୍କ ଠାରୁ କିଛି ଶିଖିବା ଦରକାର

ଭୁବନେଶ୍ୱର: ଏ ଲୋକଟିକୁ ଟିକେ ଭଲ କରି ଦେଖନ୍ତୁ । ଭୁବନେଶ୍ବର ମାର୍କେଟ ବିଲଡିଂର ବଜ଼ାର ଭିତରର ଏ ଦୃଶ୍ୟ । ଯୁବକ ଜଣକ ଦୁଇ ହାତରୁ ନେଇ ବେକ ଯାଏ ବ୍ୟାଗ ଓହଳାଇଥାନ୍ତି । ପାଖାପାଖି ଶହେରୁ ଅଧିକ ବ୍ୟାଗ ଦେହ ସାରା ଓହଳିଥାଏ ସତେ ଯେମିତି ହ୍ୟାଙ୍ଗର । ଆଉ ବଜ଼ାର ଭିତରକୁ ଯେଉଁ ସବୁ ଗ୍ରାହକ ଆସନ୍ତି ସେମାନଙ୍କୁ ଦେଖି ‘‘ବ୍ୟାଗ ଲିଜିଏ ବାବୁ.. ମାଡ଼ମ.. ଆପକି କାମ ଆଏଗା ।ବାରିଷ ମେ ଭିଗେଗା ନେହିଁ । ଧୂପ ମେ ପୂରା ମଜା ହି ମଜ୍ଜା । ଏଇସା ବ୍ୟାଗ ଧୁଣ୍ଡନେ ମେଭି ନେହି ମିଲେଗା । ସିରଫ୍ ଶୋ ରୁପିୟା ମେଁ ଲିଜିଏ ’’।
ଏମିତି ଡାକି ଡାକି ରାସ୍ତା ଯାଉଥିବା ଗ୍ରାହକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରି ଗୋଟିଏ ଗୋଟିଏ ବ୍ୟାଗ ବିକ୍ରି କରୁଥାନ୍ତି । ଏମିତି ଅବସ୍ଥାରେ ବ୍ୟାଗ ଦେହ ସାରା ଓହଳାଇ ବିକ୍ରି କରିବା ସେପୁଣି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ । କଥାଟି ଟିକେ ଅଡୁଆ ଆଉ ଅବିଶ୍ୱାସ ଲାଗୁଥିଲେ ବି ଯେହେତୁ ଆଖି ଆଗରେ ଘଟୁ ଥିବା ନିଚ୍ଛକ ସତ ଥିଲା ତେଣୁ ମିଛ ଭାବିବେ ବା କେମିତି? ସାଧାରଣରେ ଆମେ ଦେଖିଥାଉ ଦୋକାନ, କେବିନ, ରାସ୍ତା, ଲୁହା କିମ୍ବା କାଠ କି ବାଉଁଶରେ ଏମିତି ଜିନିଷ ସଜେଇ ହୋଇ ରହିଥିବା ଆପଣଙ୍କ ଆଖିରେ ପଡିଥିବ ।
କିନ୍ତୁ ଏମିତି ଦେହରେ ଘଣ୍ଟା ଘଣ୍ଟା ଧରି ଓହଳାଇ ଧରି ରଖି ବେପାର କରିବା ଏତେ ସହଜ ନୁହେଁ । ତେବେ ଆସନ୍ତୁ ଜାଣିବା ଏମାନେ କିଏ କାହିଁକି ଦେହସାରା ବ୍ୟାଗ ପକାଇ ବ୍ୟବସାୟ କରୁଛନ୍ତି । ମାର୍କେଟ ବିଲଡିଂରେ ସବୁବେଳେ ଲୋକ ଗହଳି ଚହଳି ଲାଗି ରହିଥାଏ । କାହିଁକି ନା ଅନେକ ପ୍ରକାର ପୋଷାକ ଲୁଗା ପଟା ଦୋକାନ ସେଠାରେ ରହିଛି । ଏଠାକାର ଜୀବନ ଜୀବିକା ଆଜି ସମସ୍ତଙ୍କ ବଞ୍ଚିବା ବାଟ ପାଲଟିଛି । ସମସ୍ତେ ଏଠି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଜୀବିକାର ମାଧ୍ୟମ କିଏ କେମିତି ବାଛି ନିଏ ତାହା କେବଳ ସେହି ମଣିଷଟି ହିଁ କହିପାରିବ ।
କାରଣ କିଏ ପରିସ୍ଥିତି ଅନୁସାରେ ତ ଆଉ କିଏ ନିଜ ଇଚ୍ଛାରେ ଜୀବିକାକୁ ଆପଣେଇଥାନ୍ତି । ସେହିଭଳି ଏ ଯୁବକଙ୍କ ଘର ଛତିଶଗଡ଼ ଅଞ୍ଚଳରେ । ତେବେ ସେ ଭୁବନେଶ୍ୱର ରହି ଏହି ବ୍ୟାଗ ବ୍ୟବସାୟ କରନ୍ତି । ସକାଳୁ ଆସନ୍ତି ଦୁଇ ଶହରୁ ଅଧିକ ବ୍ୟାଗ ଧରି । କେଉଁଠି ରଖନ୍ତି ନାହିଁ କି ବସନ୍ତି ନାହିଁ । ନିଜ ଦେହରେ ଓହଳାଇ ରଖିଥାନ୍ତି ବ୍ୟାଗଗୁଡ଼ିକୁ । ଗୋଟିକୁ ଦେଢ଼ଶହ କି ଶହେ ଟଙ୍କାରେ ବିକ୍ରି କରନ୍ତି । ସେମିତି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଗ୍ରାହକର ରାହା ଦେଖୁଥାନ୍ତି । କେହି ବି ମାର୍କେଟକୁ କିଣିବା ପାଇଁ ଆସିଲେ ଏମାନେ ସେମାନଙ୍କୁ ବ୍ୟାଗ ବିଷୟରେ ବର୍ଣ୍ଣନା କରିଥାନ୍ତି ଆକର୍ଷଣୀୟ ଶୈଳୀରେ ।
ଆପଣମାନଙ୍କ ଧାରଣା ଆସୁଥିବ କି ଏମାନେ ନିଜେ ବୋଧେ ବ୍ୟାଗ ସବୁ କିଣି ଆଣି ବିକ୍ରି କରୁଥିବେ । ନାଇଁ ଆଜ୍ଞା.. ଏମାନେ ପର ପାଖରେ ରହି କାମ କରନ୍ତି । ଗୋଟିଏ ବ୍ୟାଗ ବିକିଲେ ଏମାନଙ୍କୁ ଦଶ କୋଡିଏ ଟଙ୍କା ପାଉଣା ମିଳେ । ତେଣୁ ଯେତେ ଅଧିକ ବ୍ୟାଗ ବିକିବେ ସେତେ ଅଧିକ ପଇସା ପାଇବେ । ତେବେ ଆପଣ ହିଁ ଭାବି ନିଅନ୍ତୁ ଏମାନଙ୍କର ଦିନକୁ କେତେ ବ୍ୟାଗ୍ ବିକ୍ରି ହେଉଥିବା ଆଉ ସେ କେତେ ରୋଜଗାର କରୁଥିବେ । ଏଥିରୁ ଖାଇ ପିଇ ବଞ୍ଚିବା ଆଉ ପରିବାର ଚଲାଇବା ଏମାନଙ୍କ ପାଇଁ ଭାରି କଷ୍ଟସାଧ୍ୟ ।
ହେଲେ ବି ଏମାନଙ୍କୁ ସୁଦୂର ଛତିଶଗଡ଼ରେ ନିଜ ଘର ପରିବାର ଛାଡି ଏଇଠି ଭୁବନେଶ୍ୱରରେ ସଂଘର୍ଷ କରି ବଞ୍ଚିବାକୁ ପଡୁଛି । ଜଣେ ଗ୍ରାହକ ଦେଖିକି କହୁଥିଲେ ସତରେ ମଣିଷ ହାରିବା କଥା ନୁହେଁ । କାହିଁକି ନା ଏହି ଯୁବକଙ୍କର ସଂଘର୍ଷ ଦୃଷ୍ଟାନ୍ତ ମୂଳକ । ଆଜିର ଯୁବପିଢ଼ି ଯେଉଁ ଭଳି ଅବାଟରେ ଯାଇ ମା ବାପାଙ୍କୁ ଦୁଃଖ କଷ୍ଟ ଦେଉଛନ୍ତି । ସେମିତି ନକରି ଏମାନଙ୍କ ଭଳି ପରିଶ୍ରମ କରି ବଞ୍ଚିଲେ ସମାଜ ନିଶ୍ଚୟ ଉନ୍ନତି କରିବ ।
Also read: ନଡିଆ ସଢ଼େଇରେ କ୍ରାନ୍ତିକାରୀ ସହିଦ୍ ମାନଙ୍କର ପ୍ରତିଛବି କରି ଚର୍ଚ୍ଚାରେ ବିଜୟ