ନିର୍ବାଚନୀ କୋଳାହଳ ଭିତରେ ୮୦ ବର୍ଷର ଝାମ୍ପି ମା’କୁ ନେଇ ଭାରି ଚର୍ଚ୍ଚା

ଭଞ୍ଜନଗର ବଜାରରେ ଜଣେ ୮୦ ବର୍ଷର ବୃଦ୍ଧା, ହାତରେ ଫୁଲମାଳ ଟିଏ ଧରି ଠିଆ ହୋଇଥିଲେ । କହୁଥିଲେ, ମୋ ପୁଅର ମଙ୍ଗଳ ପାଇଁ, ତାକୁ ଏ ଫୁଲମାଳ ଟି ପିନ୍ଧାଇ ଆଶୀର୍ବାଦ କରିବି । ବୁଝିବା ପରେ ଜଣା ପଡିଲା..

ଭଞ୍ଜନଗର(କେନ୍ୟୁଜ) : ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର । ଓଡ଼ିଶାକୁ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରୁଛନ୍ତି । ଏବେ ନିର୍ବାଚନକୁ ନେଇ ସବୁଠି ଲାଗିରହିଛି ଚର୍ଚ୍ଚା । ସଭା-ସମିତି, ପ୍ରଚାର ସାଙ୍ଗକୁ ରାଜନୀତି ତର୍କ-ବିତର୍କ । ଦଳୀୟ ପ୍ରିତୀ, ନିଜସ୍ଵ ନିର୍ବାଚନୀ ପ୍ରସ୍ତୁତି ଏବଂ ଭୋଟର୍ ଙ୍କୁ ନିଜ ସପକ୍ଷରେ ମନାଇବା ପାଇଁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି, ନେତା ଓ କର୍ମୀ ।

ଏପଟେ ଭୋଟର୍ ବି ବିଭିନ୍ନ ଦଳର ଚିନ୍ତାଧାରା, ନେତା ଓ କର୍ମୀଙ୍କ ଭାବମୂର୍ତ୍ତି ଏବଂ ଜନହିତକର କାର୍ଯ୍ୟକୁ ନେଇ, ମାନସ ମନ୍ଥନ କରୁଛନ୍ତି । ଏହାରି ଭିତରେ କିଛି ନିଃସ୍ଵାର୍ଥପର ମଣିଷ ରହିଛନ୍ତି, ଯେଉଁ ମାନେକି ନିର୍ବାଚନୀ କୋଳାହଳ ଭିତରେ, କିଛି ମଣିଷ ପଣିଆ ଚେହେରାକୁ ଖୋଜୁଛନ୍ତି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ନିର୍ବାଚନୀ ପ୍ରଚାର ବେଳେ, ଏମିତି କିଛି ଘଟଣା ନଜରକୁ ଆସିଥିଲା ।

ଭଞ୍ଜନଗର ବଜାରରେ ଜଣେ ୮୦ ବର୍ଷର ବୃଦ୍ଧା, ହାତରେ ଫୁଲମାଳ ଟିଏ ଧରି ଠିଆ ହୋଇଥିଲେ । କହୁଥିଲେ, ମୋ ପୁଅର ମଙ୍ଗଳ ପାଇଁ, ତାକୁ ଏ ଫୁଲମାଳ ଟି ପିନ୍ଧାଇ ଆଶୀର୍ବାଦ କରିବି । ବୁଝିବା ପରେ ଜଣା ପଡିଲା, ପ୍ରଚାର ରାଲିରେ ଆସୁଥିବା ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସେ ଅପେକ୍ଷା କରିଛନ୍ତି । ତାଙ୍କୁ ପୁଅ ବୋଲି ଧରିନେଇଛନ୍ତି, ବୃଦ୍ଧା ଜଣକ । କାରଣ ପୁଅର ସାଙ୍ଗ ସେ ମଧ୍ୟ ଜଣେ ପୁଅ ବୋଲି ବୁଝିଛନ୍ତି । ଏଣୁ ନିର୍ବାଚନ ରେ ତାଙ୍କର ମଙ୍ଗଳ ପାଇଁ, ଏ ଫୁଲହାର ଟି ତାଙ୍କୁ ପିନ୍ଧାଇବାକୁ ବଜାରରେ ଅପେକ୍ଷା କରିଥିଲେ ।

ନିଜେ ବଜାରରେ ବସି ଲେମ୍ବୁ ବିକ୍ରି କରୁଛନ୍ତି, ଗଲା କିଛି ବର୍ଷ ଧରି । ସରକାରୀ ଯୋଜନାରେ ସେ ଭତ୍ତା ପାଉଛନ୍ତି ଏବଂ ରାସନ୍ କାର୍ଡ ହିତାଧିକାରୀ ଅଛନ୍ତି । ଗରୀବ ଏବଂ ବୃଦ୍ଧବୃଦ୍ଧା ମାନେ ସରକାରୀ ସୁବିଧା ପାଉଥିବାରୁ, ସେ ଭାବପ୍ରବଣ ହୋଇ, ନିଜେ ଲେମ୍ବୁ ବିକ୍ରି କରୁଥିବା କିଛି ପଇସାରେ ଏଇ ଫୁଲମାଳ ଟିଏ କିଣିଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଝାମ୍ପି ମା’ ଭାବେ ପରିଚିତ । ତାଙ୍କର ଏଭଳି ଆବେଗ ଏବଂ ଖୁସିକୁ ପାଖରେ ଠିଆ ହୋଇଥିବା କିଛି ଲୋକ ଏବଂ ପ୍ରଚାର ରାଲିରେ ଯାଉଥିବା କର୍ମୀ ମାନେ ଉତ୍ସାହର ସହ ଦେଖୁଥିଲେ ।

ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରଚାର ଗାଡ଼ି ପାଖକୁ ଯାଇ, ବୃଦ୍ଧା ଜଣକ ଫୁଲମାଳଟି ପିନ୍ଧାଇଦେବା ପରେ ପ୍ରତିବଦଳରେ ଶ୍ରୀ ଆରୁଖ ମଧ୍ୟ ସର୍ବସମ୍ମୁଖରେ ବୃଦ୍ଧା ଜଣଙ୍କୁ ଉପଢୌକନ ଦେଇ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ତେବେ ଏପଟେ ଆମେ ଯାହା ଜାଣିବାକୁ ପାଇଲୁ, ଅବଶ୍ୟ ଏ ମା’ ଜଣକ କୌଣସି ରାଜନୈତିକ ଦଳ କ’ଣତାହା ବୁଝି ନାହାନ୍ତି, ଦଳୀୟ ଚିହ୍ନ କ’ଣ ଜାଣିନାହାନ୍ତି କିମ୍ବା ରାଜନୀତି କ’ଣ ତାହା ବି ଜାଣି ନାହାନ୍ତି । ହେଲେ ସେ କେବଳ ଏତିକି ଜାଣିଛନ୍ତି, ସେବା ଏବଂ ସମର୍ପିତ ଚିନ୍ତାଧାରା ଧାରା ରହିଥିବା ଜଣେ ମଣିଷକୁ ।

 

Leave A Reply

Your email address will not be published.