ବହୁତ ସୁନ୍ଦର ଭାବେ ମୃଦଙ୍ଗ ବଜାଉଛନ୍ତି ଏହି କୁନି କୁନି ପିଲାମାନେ, ଦେଖନ୍ତୁ ଭିଜୁଆଲ୍

ବ୍ରହ୍ମପୁର : ମୃଦଙ୍ଗ ଆମ ଧର୍ମୀୟ ଭାବନା ଏବଂ କଳା ସଂସ୍କୃତିର ଏକ ଅଙ୍ଗ । ଦିନ ଥିଲା ମୃଦଙ୍ଗ ବଜାଇବା ପାଇଁ ବୟୋଜ୍ୟେଷ୍ଠ କଳାକାରଙ୍କ ଠାରୁ ସାନ ମାନେ ମୃଦଙ୍ଗ ବଜାଇବାର କୌଶଳ ଶିଖୁଥିଲେ । ମଠ, ମନ୍ଦିରରେ ମୃଦଙ୍ଗର ଶବ୍ଦ ଶୁଣିବାକୁ ମିଳୁଥିଲା । ଗାଁରେ କୀର୍ତ୍ତନ ହେଲେ କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ମୃଦଙ୍ଗ ବଜାଇବା ପାଇଁ ପ୍ରତିଯୋଗିତା ଲାଗି ରହୁଥିଲା । କିନ୍ତୁ ଧିରେ ଧିରେ ମୃଦଙ୍ଗ ବଜାଇବା କୌଶଳ କମିଯିବାକୁ ବସିଛି ।

ସତ କହିବାକୁ ଗଲେ ଓଡିଶାର ଗାଁ ମାଟିରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାର ବିବିଧ ପରିଚୟ ରହିଛି । ଏହି ବିରଳ ଏବଂ ଲୁପ୍ତ ପ୍ରାୟ କଳା ସଂସ୍କୃତି ପରମ୍ପରା ପୁନରୁଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହି କଳାତ୍ମକ ପରିଚୟ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ।

ଏହିପରି ସ୍ଥଳେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ମାଟିଆବୋରେଇ ଗାଁର କିଛି ବ୍ୟକ୍ତି ଆଗେଇ ଆସିଛନ୍ତି ଗାଁର କୁନି କୁନି ପିଲା ମାନଙ୍କୁ ମୃଦଙ୍ଗ ବଜାଇବାର କୌଶଳ ଶିଖେଇବା ପାଇଁ । ଗାଁର ପ୍ରାୟ ଦଶ ଜଣ ପିଲା ମଧ୍ୟ ବେଶ ସୁନ୍ଦର ଭାବେ ବଜାଉଛନ୍ତି ମୃଦଙ୍ଗ।

 

ମୃଦଙ୍ଗ ବଜାଇବା ଏକ କୌଶଳ । ସଙ୍ଗୀତ ଏବଂ ଗିନି ବା ଝାଞ୍ଜର ତାଳରେ ମୃଦଙ୍ଗ ବଜାଇବା କୌଶଳ ଶିଖାଇ ଆତ୍ମ ତୃପ୍ତି ପାଇଛନ୍ତି ଗୁରୁ । ନିଜେ ଆଠ ଗୋଟି ମୃଦଙ୍ଗ କିଣି ପିଲାଙ୍କୁ ଶିଖାଇବା ବ୍ୟବସ୍ଥା କରିଛନ୍ତି ଗାଁର ପ୍ରକାଶ ସ୍ୱାଇଁ । ଦିନକୁ ଦିନ ଯୁବ ପୀଢ଼ି କଳା ସଂସ୍କୃତିରେ ମୃଦଙ୍ଗ ବଜାଇବା ପାଇଁ ଆଉ ଆଗ୍ରହ କରୁନଥିବା ବେଳେ ଏହି ପରି ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ଗ୍ରାମବାସୀ ।

 

You might also like