୨୦୦ ଏକରରୁ ଅଧିକ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ୩୦ ଆଦିବାସୀ ପରିବାର

ଦଶପଲ୍ଲା: ଆମେ ସମସ୍ତେ ଜାଣିଛେ ଜଙ୍ଗଲର ଉପକାରିତା । ତେଣୁ କରି ସବୁବେଳେ ଆମେ କହିଥାଉ “ଜଙ୍ଗର ସୁରକ୍ଷା, ଜୀବନ ରକ୍ଷା ” । ତେବେ ଜଙ୍ଗଲ ପ୍ରତି ଗ୍ରାମବାସୀଙ୍କ ନାହିଁ ନଥିବା ମମତା । ପ୍ରାୟ ୨୦୦ ଏକରରୁ ଅଧିକ ଜଙ୍ଗଲର ସୁରକ୍ଷା ଦାୟୀତ୍ୱ ନେଇଛନ୍ତି ଗ୍ରାମବାସୀ । ଅଗ୍ନିକାଣ୍ଡ ରୋକିବା ସହ ଜଗୁଛନ୍ତି ଜଙ୍ଗଲ । ଏଭଳି ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତର ମୁଣ୍ଡୁଳି ଗାଁରେ ।
ଏହି ଗ୍ରାମର ଗ୍ରାମବାସୀଙ୍କ ଜଙ୍ଗଲ ସୁରକ୍ଷା ଉଦ୍ୟମକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ମାଫିଆଙ୍କ କବଳରୁ ରକ୍ଷାକରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ମୁଣ୍ଡୁଳୀ ଗ୍ରାମବାସୀ । ସୂଚନା ଅନୁସାରେ ଗ୍ରାମରେ ରୁହନ୍ତି ୩୦ ଆଦିବାସୀ ପରିବାର । ଗତ କିଛି ବର୍ଷତଳେ ତାଙ୍କର ନିଜସ୍ଵ ଚିନ୍ତା,ଚେତନା କୁ ପ୍ରୟୋଗ କରି ଏଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ଗ୍ରାମବାସୀ । ପ୍ରତ୍ୟେକ ଦିନ ସକାଳ ହେଲେ ଗ୍ରାମରୁ ୫ ଜଣ ଲେଖାଏଁ ହାତରେ ଠେଙ୍ଗା ,ଗୋଡ଼ରେ ଜୋତା,ମୁଣ୍ଡରେ ଟୋପି ପିନ୍ଧି ବାହାରି ପଡନ୍ତି ଜଙ୍ଗଲକୁ ସୁରକ୍ଷା ଦେବା ନିଶାରେ । ଜଙ୍ଗଲ ସୁରକ୍ଷା କୁ ନେଇ ଗ୍ରାମରେ ଏକ ସ୍ଵତନ୍ତ୍ର କମିଟି ଗଠନ କରି ଚଳାଇଛନ୍ତି ଉଦ୍ୟମ ।
ପାଇହାତୈଳା,ଆମ୍ବଦମକ , ମଝୁରମାଟୁ, ତାବେଡା ଠେସେରା, ଟାଙ୍ଗିରୀ, ଛଣତୈଳା, ଭାଲୁତଲି, ସାଗଧାର ଭଳି ୨୦୦ ରୁ ଅଧିକ ଏକର ଜଙ୍ଗଲର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଛନ୍ତି ମୁଣ୍ଡୁଳୀ ଗ୍ରାମବାସୀ । ସୂଚନା ଥାଉକି ଜଙ୍ଗଲ ସୁରକ୍ଷା କଥା ଯେତେବେଳେ ମନକୁ ଆସିଥିଲା ଗ୍ରାମବାସୀ ଏକ ବୈଠକ କରି କିଛି ଅର୍ଥ ଚାନ୍ଦା କରି ଖାତା,କଲମ, ଷ୍ଟାମ୍ପ ଭଳି କିଛି ଆବଶକୀୟ ସାମଗ୍ରୀ କିଣି ଜଙ୍ଗଲ ସୁରକ୍ଷା କାର୍ଯ୍ୟ ହାତକୁ ନେଇଛନ୍ତି ।
ଜଙ୍ଗଲରେ ଆବାଧ ପ୍ରବେଶ ,ନିଆଁ ଦାଉରୁ ରକ୍ଷା ସହ ମୃତ୍ତିକା ସଂରକ୍ଷଣକୁ ବଞ୍ଚେଇ ରଖିବା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇଛନ୍ତି । ତାହା ସହିତ ତାଙ୍କ ଜଙ୍ଗଲ ରୁ ଯିଏ ବାଉଁଶ ଗୋଟେ ଆଣିବ ସେ ନେଇ ତାକୁ କିଛି ଅର୍ଥ ଦେବାକୁ ପଡ଼ିବ ଭଳି ଅନେକ ନିୟମ କରି ଜଙ୍ଗଲ ର ସୁରକ୍ଷା କରୁଛନ୍ତି ଗ୍ରାମବାସୀ ।ଏଥିପାଇଁ ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟି ଯାଇଛନ୍ତି ମୁଣ୍ଡୁଳୀ ଗ୍ରାମବାସୀ ।
ବହୁଦିନ ପୂର୍ବରୁ ଏଭଳି ଏକ ମହତ୍ ପୂର୍ଣ୍ଣ କାର୍ଯ୍ୟରେ ଗ୍ରାମବାସୀ ନିଜକୁ ସାମିଲ କରିଥିବାବେଳେ ବନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ କରି ଗ୍ରାମବାସୀଙ୍କୁ ଉତ୍ସାହିତ କରାଯାଉଛି।ଗ୍ରାମବାସୀ ଙ୍କ କହିବା ମୁତାବକ ଯଦି ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହଯୋଗ ଯୋଗାଇ ଦିଆଯାଆନ୍ତା ତେବେ ସେ ଆହୁରି ଉତ୍କଣ୍ଠା ର ସହିତ ଅତି ସହଜରେ ଏହି କାର୍ଯ୍ୟକୁ କରିପାରନ୍ତେ ।
ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା । ଜଙ୍ଗଲ ସୁରକ୍ଷା ନିମନ୍ତେ ସମସ୍ତେ ସଚେତନ ହୋଇ ଯଦି ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଜକୁ ସାମିଲ କରିବେ, ତେବେ ନିଶ୍ଚିନ୍ତ ରୂପେ ପରିବେଶ ତଥା ଏଇ ଜୀବ ଜଗତର ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।