ଢ଼କ ଢ଼କ କରି କୋଲ୍ଡ ଡ୍ରିଙ୍କସ୍ ପିଇଯାଉଛି ଷଣ୍ଡ, ଖାଉଛି ପାନ

ସାଲେପୁର: ଢ଼କ ଢ଼କ କରି କୋଲ୍ଡ ଡ୍ରିଙ୍କସ୍ ପିଇଯାଉଛି ଷଣ୍ଡ । ଆଖି ପିଛୁଳାକେ ବୋତଲ ବୋତଲ କୋଲ୍ଡ ଡ୍ରିଙ୍କସ୍ ସଫା କରିଦେଉଛି । ଖାଲି ସେତିକି ନୁହେଁ ମଣିଷ ଭଳି ପାନ ବି ଖାଉଛି । କଦଳୀ ଠାରୁ ଆରମ୍ଭ କରି ପାଉଁରୁଟି, ବିସ୍କୁଟ୍ ସବୁ ଖାଇବାରେ ସେ ଉସ୍ତାଦ । ଷଣ୍ଡ ହୋଇ ଜନ୍ମ ନେଇଛି ସତ ହେଲେ ସ୍ୱଭାବ ପୁରା ମଣିଷ ଭଳି । ଖୁସି ଥିଲେ ଗେଲ କରି ପକାଉଛି, ଆଉ ଦୁଃଖରେ ଆଖିରୁ ଲୁହ ବି ଗଡାଉଛି ।

ନା ହେଉଛି ତାର ଶଙ୍କର । ଶଙ୍କର ବୋଲି ଡାକିଦେଲେ ଦୌଡ଼ି ଆସେ ସମସ୍ତଙ୍କ ପାଖକୁ । ଯିଏ ଆସେ ତାକୁ ଗେଲ କରିପକାଏ ଶଙ୍କର । ଏଠାରେ ତାର ଆଦର ଭାରି । ଶଙ୍କର ବି ସେମିତି ସମସ୍ତଙ୍କୁ ଭାରି ଭଲପାଏ । ତେବେ ଏ ଶଙ୍କର ହେଉଛି ଏକ ଛୁଆ ଷଣ୍ଢ । ଯିଏ ଭାରି ଚର୍ଚ୍ଚିତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ ଛକରେ । ଦେଖୁନାହାନ୍ତି କେମିତି ଦୋକାନରେ ଯାଇ ତାର ପସନ୍ଦିଆ ଖାଦ୍ୟ ଖାଇବାକୁ ଅନେଇ ରହିଛି ଶଙ୍କର ।

ତେବେ ଯାହା କୁହାଯାଉଛି କି ତାର ସବୁଠୁ ପ୍ରିୟ ଖାଦ୍ୟ ହେଉଛି ପାନ ଆଉ କୋଲ୍ଡ ଡ୍ରିଙ୍କସ୍ । ପାନ ଆଉ କୋଲ୍ଡ ଡ୍ରିଙ୍କସ୍ ଦେଖିଲା ମାତ୍ରକେ ସେ ଦୌଡ଼ି ଆସେ ପାଖକୁ । ଆଉ ଅଳି କରେ ଖାଇବାକୁ । ଆପଣ ଦେଖିପାରୁଥିବେ କେମିତି କୋଲ୍ଡ ଡ୍ରିଙ୍କସ୍ ବୋତଲ ଟିକୁ କେଇ ସେକେଣ୍ଡ ଭିତରେ କେମିତି ଢ଼କ ଢ଼କ କରି ପିଇ ଯାଉଛି ଶଙ୍କର ।

ଯାହା ସୂଚନା ମିଳିଛି, ଛୁଆଟି ବେଳୁ କେହି ଜଣେ ଏଇ ଛୁଆ ଷଣ୍ଢଟିକୁ ଛାଡି ଦେଇଯାଇଥିଲା ନିଶ୍ଚିନ୍ତକୋଇଲି ବ୍ଳକ ଛକରେ । ସେତେବେଳେ ସେ ଠିକ୍ ରେ ଚାଲି ବି ପାରୁନଥିଲା । ନା ଖାଉଥିଲା ନା ପିଉଥିଲା । ଖାଲି ଏତେ ତେଣେ ବିକଳ ହୋଇ ବୁଲୁଥିଲା । ତେବେ ସମୟ କ୍ରମେ ଧିରେ ଧିରେ ଏଇ ଛକ ହିଁ ପାଲଟିଗଲା ତାର ପରିଚୟ । ଛୁଆ ଷଣ୍ଢଟିକୁ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ତାକୁ ଅତି ଆଦର ଓ ଯତ୍ନ କଲେ । ସ୍ନେହରେ ତା ନା ଦେଲେ ଶଙ୍କର । ଶଙ୍କରକୁ ସେବେଠାରୁ ଆଜି ପର୍ଯ୍ୟନ୍ତ ପାଳିଛନ୍ତି ଏଠାରେ ଦୋକାନ କରିଥିବା ବ୍ୟବସାୟୀମାନେ । ଶଙ୍କରକୁ ସାନ ଭାଇ ବୋଲି ମାନିଛନ୍ତି ।

ତାକୁ ଭୋକ ହେଲେ ତା ପେଟକୁ ଦିମୁଠା ଖାଇବାକୁ ଦିଅନ୍ତି, ଆଉ ଶୋଷ ହେଲେ ମଣିଷ ଭଳି ବୋତଲରେ ପାଣି ଆଣି ପିଆନ୍ତି । ମଣିଷ ଭଳି ସବୁ ପ୍ରକାରର ରଙ୍ଗ ଢଙ୍ଗରେ ଜୀବନ ବିତାଉଛି ଶଙ୍କର । ଯିଏ ବି ଏହି ବାଟ ଦେଇ ଯାଏ ଶଙ୍କରକୁ ଆଦର କରିବା ସହ ତାକୁ ଗୋଟେ କୋଲ୍ଡ ଡ୍ରିଙ୍କସ୍ ପିଆଇବାକୁ ଭୁଲେନାହିଁ । ଶୁଣନ୍ତୁ ଶଙ୍କରକୁ ନେଇ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଏଠାକାର ଦୋକାନୀ ।

ପଶୁ ହେଲେ ବି ସମସ୍ତଙ୍କୁ ସ୍ନେହ ମମତାରେ ସେ ବାନ୍ଧି ରଖିଛି । ମାଲିକ ସିନା ପର କରିଦେଲା ତାକୁ, ସେ କିନ୍ତୁ ଏଠି ସମସ୍ତଙ୍କୁ ନିଜର କରିଛି । ତେବେ ଏକଥା ସତ ଯିଏ ଅନ୍ୟ ଦୁଃଖରେ ଦୁଃଖୀ ଓ ଅନ୍ୟ ସୁଖରେ ସୁଖୀ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ ହୋଇଥାଏ । ପଶୁ ହେଉ କି ମଣିଷ ଯିଏ ନିଜ କଷ୍ଟକୁ ଭୁଲି ଅନ୍ୟର କଷ୍ଟକୁ ଲାଘବ କରେ ସେହିଁ ଦେଇଥାଏ ମାନବିକତାର ପରିଚୟ । ଯାହାକୁ ପ୍ରମାଣ କରିଛନ୍ତି ଏହି ବ୍ୟବସାୟୀ ଭାଇ ମାନେ । ଯେଉଁ ଷଣ୍ଢଟି ଠିକ୍ ଭାବରେ କଷ୍ଟ ପାଇ ଦିନେ ଚାଲି ପାରୁନଥିଲା ଆଜି ସେ ସମସ୍ତଙ୍କର ପ୍ରିୟରର ଶଙ୍କର । ଏଭଳି ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

ଆହୁରି ପଢନ୍ତୁ: ଫଣା ଟେକି ଫଁ ଫଁ ଗର୍ଜନ କରି ମାଡି ଆସିଲା ୨୦ଫୁଟିଆ ଅହିରାଜ, ଧରିବାକୁ ନାକେଦମ୍ ସ୍ନେକ ହେଲ୍ପଲାଇନ ସଦସ୍ୟ