ଦ୍ରାକ୍ଷା ମିଠା: ମହାପ୍ରଭୁଙ୍କ ନଅ ଦିନ ଯାତ୍ର ସମୟରେ ମିଳେ ଏହି ସୁଆଦିଆ ମିଠା

ବ୍ରହ୍ମପୁର: ଅନେକ ମିଠା ବିଷୟରେ ଆପଣମାନେ ଶୁଣିଥିବେ ଆଉ ଖାଇବି ଥିବେ । ହେଲେ ଦ୍ରାକ୍ଷା ମିଠା ବିଷୟରେ ଜାଣିଛନ୍ତି କି? ଯଦି ଜାଣିଛନ୍ତି ତାହା ହେଲେ ଭଲ କଥା । ଆଉ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ରଥ ଯାତ୍ରା ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମିଳିଥାଏ ଏହି ସ୍ୱତନ୍ତ୍ର ଦ୍ରାକ୍ଷା ମିଠା । ଯାହାକି ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । ରାଜ ଉଆସରେ ଥିବା ଜଗନ୍ନାଥ ମନ୍ଦିରରୁ ତିନି ଠାକୁର ରଥରେ ଗୁଣ୍ଡିଚା ମନ୍ଦିରକୁ ଆସିବା ପରେ ପ୍ରତ୍ୟହ ଭକ୍ତଙ୍କ ଭିଡ ହୁଏ ଦର୍ଶନ ପାଇଁ । ଏହି ସମୟରେ ଖୋଲିଥାଏ ବିଭିନ୍ନ ପସରା ଓ ଗୁଡ଼ିଆ ମାନଙ୍କ ମିଠା ଖଜା ଦୋକାନ । ତେବେ ଆକର୍ଷଣ ରହିଥାଏ ଦ୍ରାକ୍ଷା ମିଠା ।
ମୁଗ ବଟାଯାଇ କଢେଇରେ ଚାଞ୍ଚ ଦ୍ୱାରା ପକାଯାଇ ଭଜା ହେବା ପରେ ଚିନି ସିରାରେ ପକାଇ ପ୍ରସ୍ତୁତ କରାଯାଏ ଏହି ଦ୍ରାକ୍ଷା ମିଠା । ଏହାକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଗୁଡ଼ିଆ ଲୋକ ମାନେ ତିଆରି କରିଥାନ୍ତି । ଏହାକୁ ତିଆରି କରୁଥିବା ସୁରେନ୍ଦ୍ର ସାହୁଙ୍କ କହିବା କଥା, ମୁଗରେ ତିଆରି କରାଯାଏ ଏହି ମିଠା । ରଥ ଯାତ୍ରା ସମୟରେ ଏହି ମିଠା ଅର୍ଡର ଅଧିକା ମିଳିଥାଏ । ଜଗନ୍ନାଥଙ୍କର ଏହି ନଅ ଦିନ ଯାତ୍ରାରେ ଏହା ବିକ୍ରି କରାଯାଇଥାଏ ।
ଗୋସେଇଁ ବାପା ଅମଳରୁ ଏହି ମିଠା ତିଆରି ଚାଲିଆସୁଥିବା ବେଳେ ତାଙ୍କ ପତ୍ନୀ ତାଙ୍କୁ ଏଥିରେ ବହୁତ ସାହାଯ୍ୟ କରିଥାନ୍ତି । ବାଟିବା, ଭାଜିବା, ଚିନି ସିରା କଢେଇରେ ପକାଇବା ଏହି ସବୁ କାମ ଦୁହିଁଙ୍କ ଦ୍ୱାରା ହୋଇଥାଏ । ଶାଶୁ ଘରେ ଏହି ମିଠା କାମ କରି ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ସୁରେନ୍ଦ୍ରଙ୍କ ପତ୍ନୀ ।
ଦ୍ରାକ୍ଷା ତିଆରି ହେବା ପରେ ଗୁଡ଼ିଆ ମାନେ ଅସ୍ଥାୟୀ ଦୋକାନ ଅର୍ଥାତ୍ ଠେଲା ଗାଡ଼ି ଗୁଣ୍ଡିଚା ଛକରେ ଲଗାଇଥାନ୍ତି । ତିନି ଠାକୁର ରାଜ ଉଆସରୁ ରଥରେ ଆସି ଗୁଣ୍ଡିଚା ମନ୍ଦିରରେ ରହିବା ଅବସରରେ ଖଜା, ମିଠା ସହିତ ଦୋକାନରେ ମିଳିଥାଏ ଏହି ଦ୍ରାକ୍ଷା ମିଠା । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସହରବାସୀ । ଏହି ୯ଦିନ ଯାତ୍ରାରେ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରନ୍ତି ଆଉ ସାଙ୍ଗରେ ନେଇଯାନ୍ତି ଏହି ସ୍ୱତନ୍ତ୍ର ଦ୍ରାକ୍ଷା ମିଠା । ଯାହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେମିତି ସୁଆଦିଆ ।