ଏଠାରେ ଅପରାଧ କମୁଛି ହେଲେ ଅପରାଧିଙ୍କ ପତ୍ତା ମିଳୁନି: ନେଦରଲ୍ୟାଣ୍ଡ

ନେଦରଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ସୁନ୍ଦର ଦେଶ ବୋଲି କୁହାଯାଏ । ସେଥିପାଇଁ ତ ଏହି ଦେଶକୁ ଥରେ ହେଲେ ଭ୍ରମଣ କରିବା ପାଇଁ ସମସ୍ତେ ଚାହାନ୍ତି କିନ୍ତୁ ବର୍ତ୍ତମାନ ଏହି ଦେଶ ନିଜର ସୁନ୍ଦରତା ଠାରୁ ଅନ୍ୟ ଏକ କାରଣ ପାଇଁ ଲୋକଙ୍କ ପାଖରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଅପରାଧ ପାଇଁ ବିଶ୍ୱର ପ୍ରାୟ ସବୁ ଦେଶ ଚିନ୍ତାରେ ପଡ଼ିଛନ୍ତି ସେଠି କିନ୍ତୁ ନେଦରଲ୍ୟାଣ୍ଡ ପୋଲିସ୍‌କୁ ବେଶ୍‌ ଆରାମ ମିଳେ । କାରଣ ଏ ଦେଶରେ ଅପରାଧ କମିବାରେ ଲାଗିଛି । ଅପରାଧ ସଂଖ୍ୟା ଏତେ କମିଛି ଯେ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଜେଲ ଗୁଡିକ ଖାଲି ପଡିଛି । ଯାହା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ ।

ସୂଚନା ଅନୁସାରେ ୨୦୧୩ ମସିହାରୁ ନେଦରଲାଣ୍ଡରେ ଜେଲ ଗୁଡିକୁ ବନ୍ଦ କରାଯାଉଛି । ୨୦୧୯ ମସିହାରେ ମଧ୍ୟ ଏଠାରେ କିଛି ଜେଲରେ ତାଲା ପଡ଼ିଥିଲା । ଅନ୍ୟ କିଛି ଜେଲକୁ ଶରଣାର୍ଥୀଙ୍କ ପାଇଁ ସ୍ଥାୟୀ ଆବାସ କରାଗଲା । ଆଉ ଜେଲ ବନିଗଲା ଆଶ୍ରୟସ୍ଥଳୀ । ସାରା ୟୁରୋପରେ ଏଠାରେ କଏଦୀଙ୍କ ସହିତ ହେଉଥିବା ବ୍ୟବହାରକୁ ନେଇ ଚର୍ଚ୍ଚା ହେଉଛି  । ବିଶେଷଜ୍ଞଙ୍କ ମତରେ ନେଦରଲ୍ୟାଣ୍ଡ ସରକାର ଯେଉଁଭଳି ଭାବରେ ଅପରାଧକୁ ରୋକିବା ପାଇଁ ସମର୍ଥ ହୋଇଛନ୍ତି । ଯେଉଁ ନୀତି ଆପଣାଇଛନ୍ତି, ଏହା ଅନ୍ୟ ଦେଶ ପାଇଁ ବଡ ଉଦାହରଣ ।

europe country
pc: india today

ତେବେ ଏଠାରେ କେବଳ ଅପରାଧ ହାର କମି ନାହିଁ, ଯେଉଁଭଳି ଭାବେ କଏଦୀଙ୍କ ସହିତ ଭଲ ବ୍ୟବହାର କରାଯାଉଛି ତାହା ମଧ୍ୟ ଅପରାଧର ସ୍ଥିତିକୁ ବଦଳାଇବାରେ ଅଧିକ ସାହାଯ୍ୟ କରୁଛି । ଏହାଛଡା ଏଠାରେ ମାନସିକ ରୋଗ ଗ୍ରସ୍ତ କଏଦୀଙ୍କର ଅଧିକ ଧ୍ୟାନ ଦିଆଯାଏ । ଏଠାରେ ଡଚ୍‌ ଜଷ୍ଚିସ ସିଷ୍ଟମରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କର ବହୁତ ଯତ୍ନ ନିଆଯାଏ । ଯାହା ସେମାନଙ୍କ ମାନସିକତାକୁ ପରିବର୍ତ୍ତନ କରିବାରେ ସହାୟକ ହେଉଛି । ନେଦରଲ୍ୟାଣ୍ଡରେ ଯେଉଁ ବ୍ୟକ୍ତି କୌଣସି ଅପରାଧ କରେ,ତାକୁ ଦୋଷ ମୁତାବକ ଦଣ୍ଡ ଦିଆଯାଏ । ତା ସହିତ ମନୋବିଜ୍ଞାନୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକ୍ରମରେ ସେମାନେ ଯୋଗ ଦିଅନ୍ତି । ଯେଉଁ କଏଦୀ ଅନେକ ସମୟ ଧରି ଜେଲରେ ସମୟ କାଟିସାରିଥାଏ, ତାଙ୍କ ପାଇଁ ଦଣ୍ଡ କମ କରି ଦିଆଯାଏ । ପ୍ରଥମରେ ଦାରିଦ୍ର୍ୟ କମିବା ସହ ଦ୍ୱିତୀୟରେ ସମାଜ ମଙ୍ଗଳ ଯୋଜନା ସବୁ ବିଶେଷ ଭାବେ ଅପରାଧ କମ୍‌ କରିବାରେ ସହାୟକ ହେଉଛି ।

ତେବେ ନେଦରଲ୍ୟାଣ୍ଡରେ ଅପରାଧର ମାତ୍ରା କମିଥିବା ବେଳେ ଏହର ପଡୋଶୀ ରାଷ୍ଟ୍ର ନରେଓ୍ଵରେ ଅପରାଧ ବଢ଼ିବାରେ ଲାଗିଛି । ଏମିତିକି ୨୦୧୫ ମସିହାରେ ନରେଓ୍ଵ ଜେଲଗୁଡିକରେ ଏତେ କଏଦୀ ଥିଲେ ଯେ ଶେଷରେ ସେମାନଙ୍କୁ ନରେଓ୍ଵରୁ ନେଦରଲ୍ୟାଣ୍ଡ ପଠା ଯାଇଥିଲା । ନେଦରଲ୍ୟାଣ୍ଡରେ କଏଦୀଙ୍କୁ ଅତି ଯତ୍ନର ସହ ରଖାଯାଇଥାଏ । ଏମିତିକି ସେମାନଙ୍କ ପାଇଁ ଭଲ ଖାଇବା ପିଇବାର ବନ୍ଦୋବସ୍ତ କରାଯାଏ । ସେମାନେ କିପରି ଭଲ ଭାବେ ଶୋଇ ପାରିବେ ତାହା ମଧ୍ୟ ନଜର ରଖାଯାଏ । ସେମାନେ ଯେମିତି ମାନସିକ ଚାପର ବଶବର୍ତ୍ତୀ ନହୁଅନ୍ତି ଖାସ କରି ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଏ । ଯାହାଫଳରେ ଅପରାଧୀଙ୍କ ମନରେ ପରିବର୍ତ୍ତନ ଆସୁଛି ।

କହିବାକୁ ଗଲେ ଏଠି ମାନବାଧିକାରକୁ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଥାଏ । କଏଦୀ ହେଲେ ମଧ୍ୟ ସେମାନଙ୍କୁ ସାଧାରଣ ମଣିଷ ଭଳି ବ୍ୟବହାର କରାଯାଇଥାଏ । ଅବଶ୍ୟ ଏଠାକାର ସରକାର ତାଙ୍‌କ ଦେଶର ଅପରାଧର ପ୍ରକୃତ ହାରକୁ ଲୁଚାଉଛନ୍ତି ବୋଲି ମଧ୍ୟ ଅଭିଯୋଗ ଉଠିଛି । ହେଲେ ସେ ନେଇ କୌଣସି ଠୋସ ପ୍ରମାଣ କାହା ପାଖରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.