ରାତିରେ ଗାଡି ନେଇ ବାହାରିଯାଆନ୍ତି ଏହି ଯୁବତୀ, KFC ରାଇଡର ଭାବେ କରୁଛନ୍ତି ନାଇଟ୍‌ ଡ୍ୟୁଟି

କିଏ କହିଲା ପୁଅ ଆଉ ଝିଅ ମଧ୍ୟରେ ଫରକ ନାହିଁ। ପୁଅ ଓ ଝିଅ ଭିତରେ ଆଜିକାଲି ଆଉ କିଛି ଫରକ ନାହିଁ ବୋଲି ଆମେ ଯେତେ କହିଲେ ବି କେଉଁଠି ନା କେଉଁଠି ସେ ଫରକ ଦିଶି ଯାଇଥାଏ। ମାତ୍ର ଯୁଗ ବଦଳୁଛି। ଧୀରେ ଧୀରେ ପୁଅ ଓ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ବି କମିବାରେ ଲାଗିଛି। ଯୁଗ ବଦଳୁଛି ବୋଲି ତ ଗୋଟେ ଝିଅ ଆଜି ଶୂନଶାନ୍‌ ରାସ୍ତାରେ ବାହାରି ପଡୁଛି ଲୋକଙ୍କୁ ଡେଲିଭରୀ ଯୋଗାଇବାରେ। ଏବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଝିଅଟିର କାହାଣୀ ଆବସ୍ତବ ଲାଗୁଥିଲେ ବି ବାସ୍ତବ। ଆଉ ବିଶ୍ୱାସ କରନ୍ତୁ ଏ ଝିଅଟିର କାହାଣୀ ଶୁଣିବାକୁ ଆପଣଙ୍କ ନିଶ୍ଚିତ ମନ କହିବ।

ପାକିସ୍ତାନର ଜଣେ ଝିଅ ବିଳମ୍ବିତ ରାତିରେ KFC ର ଡେଲିଭରି ଏଜେଣ୍ଟ୍ ଭାବେ ଲୋକଙ୍କ ପାଖରେ ପହଁଚାଉଛନ୍ତି ସେମାନଙ୍କ ବରାଦ। ଏହି ପାକିସ୍ତାନୀ ଯୁବତୀଙ୍କ ନାମ ମିରାବ। ତାଙ୍କ ବିଷୟରେ ଫିଜା ଲିଜାଜ୍ ନାମକ ଜଣେ ଗ୍ରାହକ ତାଙ୍କ ଲିଙ୍କ୍ଡିନ୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିବା ପରେ କଥାଟି ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ତାଙ୍କ ପ୍ରୋଫାଇଲରେ ଲେଖିଛନ୍ତି ଯେ କେଏଫସିରୁ ବରାଦ ଦେବା ବେଳେ ଅପର ପକ୍ଷରୁ ଜଣେ ମହିଳାଙ୍କ କଣ୍ଠସ୍ବର ଶୁଣି ସେ ପ୍ରଥମେ ଚକିତ ହୋଇଗଲେ। ତା’ପରେ ମିରାବ ବରାଦ ନେଇ ଦୁଆରେ ପହଞ୍ଚିବା ପରେ ମହିଳା ଗ୍ରାହକ ଓ ତାଙ୍କର ଜଣେ ବନ୍ଧୁ ଉକ୍ତ ଡେଲିଭରି ଏଜେଣ୍ଟଙ୍କ ସହ ୧୦ ମିନିଟ୍ କାଳ କଥା ହେବା ପରେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ତାଙ୍କ ଜୀବନର ସଂଘର୍ଷ ପଛର କାହାଣୀ।

ତାପରେ ସେ ମିରାବଙ୍କ ବିଷୟରେ ନିଜ ଆକାଉଣ୍ଟରେ ସେୟାର୍ କରିଥିଲେ। ମହିଳା ଗ୍ରାହକଙ୍କ ଉକ୍ତ ପୋଷ୍ଟରେ ଏବେ ସୁଦ୍ଧା ୫୨ ହଜାର ଲାଇକ୍ ମିଳି ସାରିଲାଣି। କେବଳ ସେତିକି ନୁହେଁ, ଅନେକ କମେଣ୍ଟ୍ ବି ମିଳିଛି। ମିରାବଙ୍କୁ ତାଙ୍କ ସାହସ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ତେବେ ଜଣେ ପାକିସ୍ତାନ ଯୁବତୀଙ୍କ ପାଇଁ ରାତିରେ ଏପରି ଭାବେ ବୁଲି ବୁଲି ଡେଲିଭରୀ ବୟ ଭାବେ କାମ କରିବା ନିହାତି ଭାବେ ଅବିଶ୍ୱନୀୟ। ଆଉ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.