ପଶ୍ଚିମଘାଟ ପର୍ବତମାଳାରେ ଭୂସ୍ଖଳନ ହେବା ପଛର ଏହା ହିଁ ବଡ କାରଣ

ଭୂସ୍ଖଳନକୁ ବତିଲାଣି ତିନି ଦିନ । ମାଟିତଳୁ ଜୀବନର ସନ୍ଧାନ ଚାଲିଛି। ଶୋଇଥିବା ଅବସ୍ଥାରେ କିଏ ଭାସିଗଲା ତ କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । ଏବେ ବି ସରୁନି ଉଦ୍ଧାର କାର୍ଯ୍ୟ । ଉଦ୍ଧାରକାରୀ ଟିମଙ୍କ କହିବା ଅନୁଯାୟୀ ଦେଢ଼ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି । ୨୦୦ରୁ ଅଧିକ ଲୋକ ଉଦ୍ଧାର ପରେ ଚିକିତ୍ସିତ ହେଉଛନ୍ତି । ଏବେ ବି ୨୨୫ ରୁ ଅଧିକ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ି ୨୭୬ରେ ପହଞ୍ଚିଛି । ଆଗକୁ ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା । ସବୁ ବ୍ରିଜ୍ ଧୋଇ ଯାଇଥିବାରୁ ଉଦ୍ଧାରକାରୀ ଟିମ୍ ଅନେକ ସ୍ଥାନରେ ପହଞ୍ଚି ପାରୁନାହାନ୍ତି । ବଡ଼ ବଡ଼ ଯନ୍ତ୍ରପାତି ମଧ୍ୟ ପହଞ୍ଚି ପାରୁନି। ବିଛିନ୍ନାଞ୍ଚଳକୁ ସଂଯୋଗ ପାଇଁ ବେଲି ବ୍ରିଜ୍ ତିଆରି ହେଉଛି । ଏହି ବ୍ରିଜ୍ ନିର୍ମାଣ ପରେ ବଡ଼ବଡ଼ ଯନ୍ତ୍ରପାତି ଭୂସ୍ଖଳନ ଅଞ୍ଚଳରେ ପହଞ୍ଚି ପାରିବ ଓ ଉଦ୍ଧାର କାର୍ଯ୍ୟ ହୋଇ ପାରିବ ।

ଅନ୍ୟପଟେ ପାଗ ଅନୁକୂଳ ନଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇଛି । ୱାୟନାଡ଼ ସମେତ କେରଳର ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ସ୍ଥାନୀୟ ଲୋକଙ୍କୁ ଅଧିକ ଛାନିଆ କରିଛି । ଏବେ ୩୯ଟି ରିଲିଫ୍ କେନ୍ଦ୍ରରେ ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ମୃତକଙ୍କ ସ୍ମୃତିରେ ଆଜିଠୁ କେରଳରେ ଦୁଇ ଦିନିଆ ଶୋକ ପାଳନ କରାଯାଉଥିବାବେଳେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।

କଣ କାରଣ ଏହି ଭୂସ୍ଖଳନର ?

ତେବେ ଜାଣିଛନ୍ତି କଣ କାରଣ ଏହି ଭୂସ୍ଖଳନର? ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା ପଶ୍ଚିମଘାଟ ପର୍ବତମାଳାରେ ଭୂସ୍ଖଳନ ପଛର କାରଣ କଣ । ତେବେ ପଶ୍ଚିମଘାଟ ପର୍ବତମାଳାରେ ଥିବା କେରଳର ଅଧିକାଂଶ ଜିଲ୍ଲା ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିଥାନ୍ତି । ଏହି ପର୍ବତମାଳାରେ ପ୍ରାୟତଃ ପାଗରେ ପରିବର୍ତ୍ତନ ଦେଖାଦେଇଥାଏ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଗତବର୍ଷ ଜାରି ସୂଚନା ଅନୁସାରେ ଭାରତରେ ଭୂସ୍ଖଳନ ପ୍ରବଣ ୩୦ ଜିଲ୍ଲା ମଧ୍ୟରୁ କେବଳ କେରଳରେ ରହିଛି ୧୦ଟି ଜିଲ୍ଲା । ଆଉ ୱାୟନାଡ ଏହି କ୍ରମରେ ୧୩ତମ ସ୍ଥାନରେ ରହିଛି । କେରଳ ସମେତ ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ପଶ୍ଚିମଘାଟ ଓ କୋଙ୍କଣ ପର୍ବତମାଳା ଅଂଚଳରେ ଅବସ୍ଥିତ । କେରଳର ପଶ୍ଚିମଘାଟ ଘନ ଜଙ୍ଗଲରେ ଭରପୂର ଥିଲା ।

୧୯୫୦ରୁ ୨୦୧୮ ଭିତରେ ଓ୍ଵାୟନାଡ଼ ଜିଲ୍ଲା ତାର ୬୨ ପ୍ରତିଶତ ଜଙ୍ଗଲ ହରାଇ ସାରିଛି:

ତେବେ ୧୯୫୦ରୁ ୨୦୧୮ ଭିତରେ ଓ୍ଵାୟନାଡ଼ ଜିଲ୍ଲା ତାର ୬୨ ପ୍ରତିଶତ ଜଙ୍ଗଲ ହରାଇ ସାରିଛି । ସର୍ଭେ ଅନୁସାରେ ବୃକ୍ଷରୋପଣ ହୋଇଥିବା ଅଞ୍ଚଳରେ ହିଁ ୫୯ ପ୍ରତିଶତ ଭୂସ୍ଖଳନ ହୋଇଛି । ଆରବ ସାଗରରେ ଉତ୍ତାପ ବଢୁଥିବା ଯୋଗୁଁ କେରଳରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ପାଗରେ ପରିବର୍ତ୍ତନ ଯୋଗୁଁ ଗଭୀର ବାଦଲ ବା ଡିପ୍‌ କ୍ଲାଉଡ୍‌ ସୃଷ୍ଟି ହେଉଛି । ଯାହାଫଳରେ ପ୍ରବଳ ବର୍ଷାର ପ୍ରଭାବରେ ଭୂସ୍ଖଳନ ହେଉଛି ।

ଆହୁରି ମଧ୍ୟ ବର୍ଷା ବିତରଣର ଢାଞ୍ଚାରେ ପରିବର୍ତ୍ତନ ମଧ୍ୟ ଭୂସ୍ଖଳନକୁ ବଢ଼ାଇ ଦେଇଛି । ପଶ୍ଚିମ ଘାଟରେ ଏଭଳି ସ୍ଥିତି ବିଷୟରେ ବିଶେଷଜ୍ଞମାନେ ୧୪ ବର୍ଷ ତଳୁ ସତର୍କ କରାଇଥିଲେ । ଏମିତିକି ଏଭଳି ବିପଦକୁ ରୋକିବା ପାଇଁ କଣ କରାଯାଇ ପାରେ ତାହା ମଧ୍ୟ ଜଣାଇଥିଲେ । ହେଲେ ସେ ସବୁ କାର୍ଯ୍ୟକାରୀ କରାଯାଇ ନାହିଁ । ଏସବୁ ଅଞ୍ଚଳକୁ ସମ୍ବେଦନଶୀଳ ବୋଲି ଘୋଷଣା କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ । ଏଠାରେ ଖଣି ଉତ୍ତୋଳନ କାର୍ଯ୍ୟ ଏବଂ ବୃହତ୍‌ ପ୍ରକଳ୍ପ ନକରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ପାଳନ କରାଯାଇନାହିଁ ।

You might also like