ପଦ୍ମଫୁଲ କଲା ଲକ୍ଷପତି: ମାସକୁ ୮୦ ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ

ପାଟଣାଗଡ଼ : ଆହା କି ସୁନ୍ଦର ଏଇ ଦୃଶ୍ୟ । ଯୁଆଡ଼େ ଦେଖିବେ ପଦ୍ମ ହିଁ ପଦ୍ମ । ମନ ମୁଗ୍ଧକାର ଏ ପରିବେଶ । ଦିନେ ଖାଲି ଥିବା ପୋଖରୀ ଆଜି ପଦ୍ମ ପୁଲରେ ପରିପୂର୍ଣ୍ଣ । ସତେ ଯେମିତି ସ୍ୱର୍ଗ ଭଳି ଲାଗୁଛି ସ୍ଥାନଟି । ଛୋଟିଆ ଡଙ୍ଗା ସାହାଯ୍ୟରେ ଫୁଲ ଗୁଡିକୁ ପୋଖରୀରୁ ସଂଗ୍ରହ କରାଯାଇ ଅଣାଯାଉଛି ବିକ୍ରି ନିମନ୍ତେ । ସତରେ ପରିଶ୍ରମର ଫଳ ସବୁବେଳେ ମିଠା । ଜଣେ ଯେକୌଣସୀ କାମକୁ ଯଦି ମନ ପ୍ରାଣ ଦେଇ କରିବ, ସେହି କାର୍ଯ୍ୟରେ ସେ ସଫଳତା ପାଇବାଟା ନିଶ୍ଚିତ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୋଲବନ୍ଦ ଗ୍ରାମପଞ୍ଚାୟତ ଝାରବନ୍ଧ ଗାଁର ସୁପାଳ ମାଝୀ । ସୁପାଳ ମାଝୀଙ୍କ ଗାଁ ମୁଣ୍ଡ ପୋଖରୀ ପାଖରେ ଗୋଟିଏ ଜମି ଥିଲା ଯାହାକୁ ସେ ମାଛ ଚାଷ କରିବା ପାଇଁ ଚିନ୍ତା କରି ମାଛ ଛାଡିଥିଲେ । କିନ୍ତୁ ଜଣେ ସାଙ୍ଗ ତାଙ୍କୁ ପଦ୍ମଫୁଲ ଚାଷ କରିବା ପାଇଁ କହିଥିଲେ । ହେଲେ ପଦ୍ମ ଚାଷ କରିବେ ନକରିବେ ଭାବି ଭାବି ଶେଷରେ ପଦ୍ମଫୁଲ ଚାଷ କରିବା ପାଇଁ ମନ କଲେ । ସାଙ୍ଗଙ୍କ ଜ୍ଞାନ କୌଶଳ ଓ ଆର୍ଥିକ ସହାୟତାରେ ଗତ ଏପ୍ରିଲ ମାସରୁ ପଦ୍ମଫୁଲ ଚାଷ କରିଥିବାବେଳେ ଅଗଷ୍ଟ ମାସରୁ ଫୁଲ ଅମଳ ଆରମ୍ଭ ହୋଇଥିବା ସହ ନଭେମ୍ବର ମାସ ପର୍ଯ୍ୟନ୍ତ ସେ ପାଖାପାଖି ୩ ଲକ୍ଷ ଟଙ୍କା ଲାଭ ପାଇସାରିଲେଣି । ଯାହାକୁ ନେଇ ସୁପାଳଙ୍କ ଖୁସି କହିଲେ ନସରେ ।

୧୦୮ ପାଖୁଡା ପଦ୍ମଫୁଲକୁ ଭୁବନେଶ୍ୱର, ପୁରୀ ଓ କଟକ କୁ ବିକ୍ରି ପାଇଁ ପଠାଉଥିବା ବେଳେ ପଦ୍ମଫୁଲ ଚାଷରେ ସେମିତି ବିଶେଷ ଖର୍ଚ୍ଚ ନଥିବା କହିଛନ୍ତି ଚାଷୀ । ପଦ୍ମଫୁଲ ଚାଷରେ ସୀମିତ କୀଟନାଶକ ଓ ହରମୋନ ଲାଗୁଥିବାରୁ ବିଶେଷ ଖର୍ଚ୍ଚ ହୋଇନଥାଏ । ଗାଁ ପାଖରେ ଥିବା ନଦୀରୁ ଇଲେକ୍ଟ୍ରିକ ମଟର ସହାୟତାରେ ପାଣି ଭର୍ତ୍ତି କରିଥାନ୍ତି ସୁପାଳ । ଫୁଲ ତୋଳିବା ପାଇଁ ଗୋଟିଏ ଡ଼ଙ୍ଗାର ବ୍ୟବହାର କରିବା ସହିତ ଦୁଇଜଣ ମଜୁରିଆ ମଧ୍ୟ ନିୟୋଜିତ କରିଥାନ୍ତି ।

ପଦ୍ମଫୁଲ ଚାଷ କରି ମାସକୁ ୮୦ ରୁ ୯୦ ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି ଚାଷୀ । ନିଜସ୍ୱ ଜ୍ଞାନ କୌଶଳରେ ପଦ୍ମଫୁଲ ଚାଷ କରୁଥିବାରୁ ସରକାରୀ ସ୍ତରରେ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେଲେ ସୁପାଳ ମାଝୀ ଅଧିକ ଉନ୍ନତି କରିପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।

majhi

ପଦ୍ମଫୁଲ ଚାଷ କରି ବେଶ ଭଲ ରୋଜଗାର କରୁଥିବା ବେଳେ ଯୁବସମାଜ ଚାକିରି ପଛରେ ନ ଦୌଡ଼ି ସୁବିଧା ଥିଲେ ଚାଷ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସୁପାଳ । ଏପଟେ ସରକାରୀ ସ୍ତରରେ କୌଣସି ସହାୟତାର ବ୍ୟବସ୍ଥା ନଥିବାବେଳେ,ସମସ୍ତ ବୈଷୟିକ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦେଶକ । ଏହାସହ ପାଟଣାଗଡ଼ ବିଡ଼ିଓ ସରକାରୀ ସ୍ତରରେ ଯାହା ସହାୟତା ହୋଇପାରିବ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।

ପଦ୍ମ ଫୁଲରେ ପରିପୂର୍ଣ୍ଣ ଏ ପୋଖରୀ । ଦେଖିଲେ ଲାଗୁଛି ସତେ ଯେମିତି ମାଆ ଲକ୍ଷ୍ମୀ ଆର୍ବିଭାବ ହୋଇଯିବେ । ପଦ୍ମ ଫୁଲର ମହାତ୍ମ୍ୟକୁ ନେଇ ରହିଛି ଅନେକ ପୈାରାଣିକ ଗାଥା ବି ରହିଛି । ଆଉ ସେଇଥିପାଇଁ ତ ସବୁ ପୂଜା ପବର୍ବାଣୀରେ ଖାସ୍ କରି ମାଆ କମଳାଙ୍କ ପୂଜା ପାଇଁ ଖୋଜା ପଡ଼ିଥାଏ ଏଇ ପଦ୍ମ ଫୁଲ ।