ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଗୋଟିଏ ପାର୍ଶ୍ୱରେ ଭକ୍ତ ଆଉ ଶ୍ରଦ୍ଧାଳୁ । ଅନ୍ୟ ପାର୍ଶ୍ୱରେ କାଉଡିଆ ଭକ୍ତଙ୍କ ଲମ୍ବା ଧାଡି, ଅପେକ୍ଷା କରିଥାନ୍ତି ଲିଙ୍ଗରାଜଙ୍କୁ ଟିକେ ଦର୍ଶନ କରିବା ପାଇଁ । ଏହି ସମୟରେ ଲିଙ୍ଗରାଜ ମନ୍ଦିରର ଦୁଆର ମୁହଁ ଟିକେ ଭିଡ଼ ଥାଏ । ସକାଳ ସମୟ ହୋଇଥାଏ, ସେହି ଭିଡ଼ ଭିତରେ ଧସେଇ ପଶି ଆସିଲା ଗୋଟିଏ ଦୁଇ ଚକିଆ ଗାଡି । ଗାଡିଟିରେ ବସିଥାନ୍ତି ଜଣେ ଯୁବକ ଏବଂ ଗାଡିଟିର ଆଗରେ ପଛରେ ଓହଳେଇ ଥାନ୍ତି ଛଅ ସାତୋଟି ବଡ଼ ବ୍ୟାଗ । ସେହି ବ୍ୟାଗରେ ଭର୍ତ୍ତି ହୋଇଥାଏ ବେଲପତ୍ର ।
ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ସାଙ୍ଗକୁ ବ୍ୟାଗରେ ସବୁଜ ସବୁଜ ବେଲପତ୍ର ଖୁବ୍ ସୁନ୍ଦର ଲାଗୁଥାଏ । ଯେତେବେଳେ ଗାଡି ଆସି ଲାଗିଲା ଠିକ୍ ସେତିକି ବେଳେ ଜଣେ ଯୁବକ ଆମ କ୍ୟାମେରା ଦେଖି ଗାଡି ଉପରେ ବସିଥିବା ଯୁବକଙ୍କ ସହିତ ଥଟା ମଜାରେ ହାତ ଉଠାଇ ସତେଯେମିତି ବାଡେଇ ଦେବେକି ସେହି ଭଳି ଅଭିନୟ କଲେ । ଆଉ ତାରି ଭିତରେ ଅଳ୍ପ ବୟସ୍କ ଲୋକ ଜଣେ ଆସି ପହଞ୍ଚିଲେ ଗାଡିଟି ପାଖରେ ଏବଂ ଗୋଟି ଗୋଟି କରି ସେହି ଦୁଇ ଚକିଆ ଗାଡିରୁ ବାହାର କରି ଆଣିଲେ ବେଲପତ୍ର ଭର୍ତ୍ତି ବ୍ୟାଗ ସବୁ ।
ତାପରେ ସେସବୁ ବ୍ୟାଗକୁ ନେଇ ଥୋଇଲେ ନିକଟରେ ଥିବା ମନ୍ଦିର ବେଢାର ବାଡ଼ ଉପରେ । ସେହି ସବୁ ବ୍ୟାଗ ଗୁଡିକ ମଧ୍ୟରୁ ଦୁଇ ଦୁଇଟି ଲେଖାଏଁ ବ୍ୟାଗ ଦୁଇ ହାତରେ ରଖି ମୁଣ୍ଡରେ ଟିକେ ଅଲଗା ଢଙ୍ଗରେ ମୁଣ୍ଡରେ ହାତ ରଖି ଦୁଇ ପାର୍ଶ୍ୱରେ ଓହଳାଇ ଲିଙ୍ଗରାଜ ମନ୍ଦିର ଭିତରକୁ ବୋହି ନେବାକୁ ଆରମ୍ଭ କଲେ । ଭାରି କୌତୁହଳ ଥିଲା ସେହି ବ୍ୟକ୍ତିଙ୍କର ବେଲପତ୍ର ବ୍ୟାଗ ବୋହି ନେବା ଶୈଳୀ । ଆଉ ସେହି ବେଲପତ୍ର ଭର୍ତ୍ତି ବ୍ୟାଗ ଗୁଡିକ ଭାରି ଓଜନ ଥିବା ଭଳି ଅନୁମେୟ ହେଉଥିଲା । ସବୁ ବ୍ୟାଗ ଗୁଡିକୁ ବିଭିନ୍ନ ମାର୍ଗ ଦେଇ ଲିଙ୍ଗରାଜ ମନ୍ଦିର ଭିତରକୁ ନେଇ ଥୋଇ ଦେଇ ଆସିଲେ । ଆମ ମନରେ ଉତ୍ସାହ ଆସିଲା ସେହି ବ୍ୟକ୍ତି ଜଣଙ୍କୁ ପାଖକୁ ଡାକି
ପଚାରିଲୁ ।
ନାମଟି ତାଙ୍କର ଈଶାନ ଝାନ୍ସୀ । ଘର ସୁଦୂର ମଧ୍ୟପ୍ରଦେଶ ରାଜ୍ୟର କେଉଁ ଏକ ଉପାନ୍ତ ଗାଁରେ । ଈଶାନ ଆଜକୁ ୩୫ବର୍ଷ ତଳେ ଭୁବନେଶ୍ୱର ଛୁଟି ଆସିଥିଲେ ରୋଜଗାର କରି ନିଜର ପେଟ ପୋଷିବା ଆଶାରେ । ଆଉ କେହି ଜଣେ ବେଲ ପତ୍ରକୁ ପ୍ରତିପୋଷଣର ମାଧ୍ୟମ କରିବାକୁ ବାଟ ବତେଇଥିଲେ ତାଙ୍କୁ । ସହରରେ ଯିଏ ଯାହାର ନିଜ ନିଜ ବ୍ୟବସାୟ ଆପଣେଇ ଥିଲା ବେଳେ ଈଶାନ ବେଲପତ୍ରଟିକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥିଲେ । ସେହି ଦିନ ଠାରୁ ଦୀର୍ଘ ୩୫ବର୍ଷ ହେଲାଣି ଲିଙ୍ଗରାଜ ମନ୍ଦିରକୁ ବେଲ ପତ୍ର ଯୋଗାଇ ଆସୁଛନ୍ତି । ସକାଳ ହେଲେ ଈଶାନ ବାହାରି ଯାଆନ୍ତି ଭୁବନେଶ୍ୱରର ବିଭିନ୍ନ ଅଂଚଳକୁ ବେଲ ପତ୍ର ସଂଗ୍ରହ କରିବାକୁ । ବେଲପତ୍ର ଗଛରୁ ତୋଳି ବ୍ୟାଗରେ ଫୁଲ୍ କରି ଆଣି ଲିଙ୍ଗରାଜ ମନ୍ଦିରକୁ ଯୋଗାଇ ଥାଆନ୍ତି ।
ବର୍ଷ ସାରା ସବୁ ଦିନ ବେଲପତ୍ର ତୋଳି ଆଣି ମନ୍ଦିର ପାଇଁ ଯୋଗାଇ ଥାନ୍ତି । ସେଥିରୁ ଯେଉଁ ଦୁଇ ଟଙ୍କା ବାହାରେ ସେଥିରେ ପରିବାର ପ୍ରତି ପୋଷଣ କରନ୍ତି । କେବେବି କିଛି ଅଘଟଣ କି ଅସୁବିଧା ଉପୁଜିନାହିଁ ତାଙ୍କର । ପଚାରିବାରୁ କୁହନ୍ତି ଲିଙ୍ଗରାଜ ବାବା ଅଛନ୍ତି । ସେବେ ଆଉ ଏବେ ଭିତରେ ବହୁତ ଫରକ । ବେଶ ଖୁସିରେ ବଞ୍ଚିଛି । ପରିବାର ପୋଷିବାକୁ ବେଲ ପତ୍ର ଅଛି । ତେବେ ସମସ୍ୟା ଅସୁବିଧାରେ ଲିଙ୍ଗରାଜ ବାବା ଅଛନ୍ତି ଆଉ କଣ ଦରକାର ବୋଲି ସେ କହିଛନ୍ତି ।