ଅଣ୍ଡା ଫୁଟାଇବା ପାଇଁ ଆଉ ଦରକାର ପଡିବନି କୁକୁଡା, ଆଦିବାସୀ ଯୁବକ ଆରମ୍ଭ କରିଛନ୍ତି ଏହି ଖାସ ମେସିନ

ଆନନ୍ଦପୁର (କେନ୍ୟୁଜ) : କରୋନା ଲକଡାଉନ କାହା ଜୀବନ ଜୀବିକା ଛଡାଇ ନେଇଥିବାବେଳେ ଆଉ କାହାକୁ କରିଛି ରୋଜଗାରକ୍ଷମ। ପୁଣି କାହାକୁ କିଛି ନୂଆ ଉଦଭାବନ କରିବାର ରାସ୍ତା ବି ଦେଖାଇଛି । ତାଲାବନ୍ଦରେ ଘରେ ରହି କିଛି ଲୋକ ନିଜର ପ୍ରତିଭାକୁ ପରିପ୍ରକାଶ କରିବାରେ ସଫଳ ହୋଇ ପାରିଛନ୍ତି। ଯେମିତି ଏହି ଆଦିବାସୀ ଯୁବକ ନିଜ ବୁଦ୍ଧିରେ ଆରମ୍ଭ କରିଛନ୍ତି ଏକ ନିଆରା ପ୍ରୟାସ।
ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଦେଶୀ ଇନକ୍ଯୁବେଟର୍ ମେସିନ୍ । ଯେଉଁଥିରେ ଅଣ୍ଡା ଫୁଟାଇବା ଠାରୁ ଆରମ୍ଭ କରି କୁକୁଡା ଚିଆଁ ବଢିବା ପର୍ଯ୍ଯନ୍ତ ରହିଛି ବ୍ଯବସ୍ଥା । ଏ ମେସିନ ଲଗାଇଲେ ଅଣ୍ଡା ଫୁଟାଇବା ପାଇଁ ଆଉ କୁକୁଡାର ଆବଶ୍ୟକ ପଡିବନାହିଁ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ନାନୀକାବାହାଳି ଗାଁ । ଏଇ ଗାଁର ବାସିନ୍ଦା ହେଉଛନ୍ତି ଦର୍ଶନ ମୁଣ୍ଡା। ଯିଏ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଏକ ଦେଶୀ ଇନକ୍ଯୁବେଟର୍ ମେସିନ୍।
ସୋଲରେ ତିଆରି ଏହି ଇନକ୍ଯୁବେଟର୍ ମେସିନର ତଳେ ରହିଛି ପାଣି । ଉପରେ ଅଛି ଅଣ୍ଡା ରଖିବା ପାଇଁ ଟ୍ରେ । ଭିତର ତାପମାତ୍ରାକୁ ସୁପରିଚାଳିତ କରିବା ପାଇଁ ଖଞ୍ଜା ଯାଇଛି ସ୍ୱୟଂଚାଳିତ କଣ୍ଟ୍ରୋଲର୍ । ୨ଟି ଇଲେକ୍ଟ୍ରିକ୍ ବଲବ ଦ୍ଵାରା ଅଣ୍ଡାକୁ ଉପଯୁକ୍ତ ତାପମାତ୍ରା ମିଳୁଥିବା ବେଳେ ୨୧ଦିନ ପରେ ଅଣ୍ଡାରୁ ଚିଆଁ ବାହାରୁଛନ୍ତି । ଏହାପରେ ମା ନଥିବା ଚିଆଁମାନଙ୍କୁ ଅନ୍ଯ ୨ଟି ମେସିନ୍ ରେ ବଢିବା ପାଇଁ ଛାଡି ଦିଆଯାଏ। ସେଠାରେ ସଠିକ୍ ତାପମାତ୍ରା ସହିତ ଚିଆଁମାନଙ୍କୁ ଖାଦ୍ୟ ମିଳିଥାଏ।
କଳାରେ ଡିଗ୍ରୀ ପାସ୍ କରିଥିବା ଦର୍ଶନ ଲକ୍ ଡାଉନ୍ ସମୟରେ ଚାକିରୀ ହରାଇଥିଲେ । ଏହାପରେ ସେ ସୋସିଆଲ୍ ମିଡିଆ ମାଧ୍ୟମରେ କୁକୁଡା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ କରି ଆଧୁନିକ ଜ୍ଞାନକୌଶଳ ବ୍ଯବହାର କଲେ । ଲଗାଇଲେ କିଛି ପୁରୁଣା ସରଞ୍ଜାମ । ବାସ୍ ତିଆରି ହୋଇଗଲା ଇନକ୍ଯୁବେଟ୍ ମେସିନ୍ । ଏହି ପ୍ରଣାଳୀରେ ଅଧିକ କୁକୁଡା ଚିଆଁ ଉତ୍ପାଦନ କରି ଆଗକୁ ସେ ଜଣେ ସଫଳ କୁକୁଡା ଚାଷୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ଯୁବପିଢ଼ି ଯେଭଳି ବେକାରୀ ସମସ୍ଯା ସହ ଯୁଝି ହେଉଛନ୍ତି ସେମିତି ସ୍ଥିତିରେ ଜଣେ ଗରିବ ଆଦିବାସୀ ଯୁବକଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କୁ ବାଟ ଦେଖାଇଛି । ବିନା କୁକୁଡାରେ ଅଣ୍ଡା ଫୁଟାଇବା ମେସିନ୍ ନିହାତି ଭାବରେ ଏକ ବହୁତ ଭଲ ଆବିଷ୍କାର।