ପାର୍କର ଭ୍ରମ ସୃଷ୍ଟି କରୁଛି ଏହି ବିଦ୍ୟାଳୟ, ଚାରିପଟେ ଲାଗିଛି ୫ଶହ ପ୍ରକାରର ବିଭିନ୍ନ ଗଛ

କଣ୍ଟାମାଳ : ଚକା ଚକ୍ ପରିବେଶ । ସୁନ୍ଦର ବଗିଚା । ଦେଖିଲେ ଲାଗୁଛି ଏହା ଏକ ସୁନ୍ଦର ପାର୍କ । ହେଲେ ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନଟି ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଣ୍ଢିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପ୍ରଧାନ ଶିକ୍ଷକ ନିଳାମ୍ବର ଖମାରୀଙ୍କ ଉଦ୍ୟମରେ ଆଜି ସ୍କୁଲଟି ଏହି ଭଳି ସୁନ୍ଦର ହୋଇଛି । କିଛି ବର୍ଷ ପୂର୍ବରୁ ସ୍କୁଲ ପରିବେଶ ଅତି କଦର୍ଯ୍ୟ ହୋଇପଡିରହିଥିଲା ।

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବହୁତ କମି କମି ହୋଇଯାଉଥିଲେ । ହେଲେ ବିଦ୍ୟାଳୟକୁ ନିଳାମ୍ବର ସାର୍ ଆସିଲା ପରେ ଧିରେ ଧିରେ ବଦଳିବାକୁ ଲାଗିଲା ଚିତ୍ର । ଦେଖୁ ଦେଖୁ କିଛି ମାସ ଭିତରେ ବିଦ୍ୟାଳୟକୁ ଚକା ଚକ୍ କରିଦେଲେ ନିଳାମ୍ବର ସାର୍ । ଆଉ ସାରଙ୍କ ପ୍ରଚେଷ୍ଟାରେ ଉତ୍ତମ ପରିବେଶ ଭିତରେ ପୁଣି ଉତ୍ତମ ଶିକ୍ଷାଦାନ ଯୋଗୁଁ ଏବେ ବିଦ୍ୟାଳୟରେ ପାଠପଢିବାକୁ ଧାଇଁ ଆସୁଛନ୍ତି ଅନେକ ଛାତ୍ରଛାତ୍ରୀ ।

ନିଳାମ୍ବର ସାରଙ୍କ ଉଦ୍ୟମରେ ବିଦ୍ୟାଳୟ କେବଳ ଚକା ଚକ୍ ହୋଇଛି ତାନୁହେଁ, ସ୍କୁଲ ପରିସରରେ ଲାଗିଛି ଅନେକ ପ୍ରକାର ଫୁଲ,ଫଲ ଓ ମେଡିସିନ୍ ଜାତୀୟ ଗଛ । ପାଖାପାଖି ୫ଶହ ପ୍ରକାର ବିଭିନ୍ନ ଗଛରେ ପୁରି ରହିଛି ସ୍କୁଲ ପରିସର । କେବଳ ସେତିକି ନୁହେଁ ରଙ୍ଗା ରଙ୍ଗ ସ୍କୁଲ ପରିସରରେ ଅନେକ ଶୈଖିକ କଥା ଲେଖା ହେବାସହ ଚିତ୍ରିତ ହୋଇଛି ବିଭିନ୍ନ ମନ୍ଦିର ଅଉ ପରିସରରେ ରହିଛି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ।

ପ୍ରତ୍ୟେକ ଦିନ ପିଲାଙ୍କୁ ଶିକ୍ଷାଦାନ ସହ ପୁଣି ସମୟ ବାହାର କରି ଏସବୁ ଗଛଲତା ଓ ପ୍ରତିମୂର୍ତ୍ତିର ଯତ୍ନ ନିଅନ୍ତି ନିଳାମ୍ବର ସାର୍ । ଯାହାଙ୍କ ଉଦ୍ୟମରେ ଏକ ସ୍ୱଚ୍ଛ ଓ ସୁନ୍ଦର ବାତାବରଣ ମଧ୍ୟରେ ପାଠପଢିବାକୁ ପସନ୍ଦ କରୁଛନ୍ତି ଛାତ୍ର ଛାତ୍ରୀ ।

ତେବେ ସାରଙ୍କ ଏଭଳି ମହାନ୍ ଉଦ୍ୟମ ପାଇଁ ପ୍ରଧାନ ଶିକ୍ଷକ ନିଳାମ୍ବର ଖାମରୀ ଏବଂ ବିଦ୍ୟାଳୟକୁ ଅନେକ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅନେକ ଥର ପୁରସ୍କୃତ ମଧ୍ୟ କରାଯାଇସାରିଛି । ସତ କହିବାକୁ ଗଲେ ଯଦି ଶିକ୍ଷକ ଏମିତି ହେବେ ତ ନିହାତୀ ବଦଳିବ ସବୁ ସରକାରୀ ସ୍କୁଲର ଚିତ୍ର ।