ସୂର୍ଯ୍ୟୋପରାଗ ହେତୁ ଏଥର ଦୀପୋତ୍ସବ ୬ ଦିନ! ୨୭ ବର୍ଷ ପରେ ପଡ଼ିବାକୁ ଯାଉଛି ପରାଗର ଛାଇ…

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୀପୋତ୍ସବର ପର୍ବ ୫ ନୁହେଁ, ବରଂ ୬ ଦିନର ହେବ। ୨୭ ବର୍ଷ ପରେ ଏମିତି ହେବାକୁ ଯାଉଛି, ଯାହାର କାରଣ ହେଉଛି ଦୀପାବଳିରେ ସୂର୍ଯ୍ୟୋପରାଗ ପଡ଼ିବା। ଏହା ପୂର୍ବରୁ ବର୍ଷ ୧୯୯୫ରେ ଦୀପାବଳି ଅବସରରେ ସୂର୍ଯ୍ୟୋପରାଗ ଲାଗିଥିଲା। ଏଥର ଲାଗିବାକୁ ଥିବା ସୂର୍ଯ୍ୟୋପରାଗ ଦେଶର କିଛି ଭାଗରେ ଦୃଶ୍ୟମାନ ହେବ। ଏହାର ପ୍ରଭାବ ଲକ୍ଷ୍ମୀପୂଜାରୁ ଆରମ୍ଭ କରି ଦୀପୋତ୍ସବ ଦିନ ପର୍ଯ୍ୟନ୍ତ ରହିବ। ଆସନ୍ତୁ ଜାଣିବା, ଦୀପୋତ୍ସବ ପର୍ବରେ ସୂର୍ଯ୍ୟୋପରାଗର ପ୍ରଭାବ କ’ଣ ରହିବ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗ ଯୋଗୁ ଏଥର ଦୀପୋତ୍ସବ ୫ ନୁହେଁ, ବରଂ ୬ ଦିନ ହେବାକୁ ଯାଉଛି। ସୂର୍ଯ୍ୟୋପରାଗର ପ୍ରଭାବ ବଡ଼ ଦୀପାବଳିଠାରୁ ଆରମ୍ଭ କରି ଗୋବର୍ଦ୍ଧନ ପୂଜା ପର୍ଯ୍ୟନ୍ତ ରହିବ। ଏମିତିରେ ଦୀପାବଳିର ପରଦିନ କୌଣସି ବି ପ୍ରକାର ପୂଜା ହେବ ନାହିଁ। ହିନ୍ଦୁ ଶାସ୍ତ୍ର ମୁତାବକ, ସୂର୍ଯ୍ୟୋପରାଗର ସୁତକ ବା ହାଣ୍ଡିଛାଡ଼ ନୀତି ୧୨ ଘଣ୍ଟା ପୂର୍ବରୁ ଲାଗି ଯାଇଥାଏ। ନିୟମ ରହିଛି ଯେ ସୁତକ କାଳରୁ ସୂର୍ଯ୍ୟୋପରାଗର ମୋକ୍ଷ କାଳ ପର୍ଯ୍ୟନ୍ତ ପୂଜାପାଠ କିମ୍ବା ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହି କାରଣରୁ ଦୀପୋତ୍ସବକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦିଆଯାଇଛି, ଯେଉଁଥିପାଇଁ ଏହା ୫ ପରିବର୍ତ୍ତେ ୬ ଦିନର ହେବାକୁ ଯାଉଛି।
କେତେବେଳେ ଲାଗିବ ସୂର୍ଯ୍ୟୋପରାଗ
ଜ୍ୟୋତିଷଙ୍କ ଅନୁସାରେ, ଦୀପାବଳି ପର୍ବ ୨୪ ଅକ୍ଟୋବର, ୨୦୨୨ରେ ପାଳନ କରାଯିବ। ପରଦିନ ଅର୍ଥାତ୍ ୨୫ ଅକ୍ଟୋବର ମଙ୍ଗଳବାର, ଦ୍ୱିପ୍ରହର ୨ଟା ୨୯ରୁ ସୂର୍ଯ୍ୟୋପରାଗ ଲାଗିବ। ସୁତକ କାଳ ୧୨ ଘଣ୍ଟା ପୂର୍ବରୁ ଲାଗିବାର ନିୟମ ରହିଛି। ଏହି କାରଣରୁ ବଡ଼ ଦୀପାବଳିରେ ଲକ୍ଷ୍ମୀ ପୂଜା ପରେ ହିଁ ସୁତକ କାଳ ଲାଗିବ। ମଙ୍ଗଳବାର ଦ୍ୱିପ୍ରହର ୨ଟା ୨୯ରୁ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୨ ପର୍ଯ୍ୟନ୍ତ ରହିବ।
୨୫ ଅକ୍ଟୋବରରେ ହେବ ନାହିଁ ଧାର୍ମିକ କାର୍ଯ୍ୟ
୨୪ ତାରିଖରେ ଦୀପାବଳି ପର୍ବ ପାଳନ ପରେ ୨୫ ଅକ୍ଟୋବରରେ ସୂର୍ଯ୍ୟୋପରାଗ ଲାଗିବ। ଏହି କାରଣରୁ ୨୫ ତାରିଖରେ କୌଣସି ବି ପ୍ରକାରର ଶୁଭ କାମ ହେବ ନାହିଁ। ତେଣୁ ଗୋବର୍ଦ୍ଧନ ପୂଜା ୨୫ ପରିବର୍ତ୍ତେ ୨୬ ଅକ୍ଟୋବରରେ ହିଁ ପାଳନ କରାଯିବ ଏବଂ ଏହା ପରଦିନ ଭାଇ ଦୁଜ୍ ପର୍ବ ରହିବ। ଚଳିତ ବର୍ଷ ଧନତେରାସରେ ଶୁଭ ସଂଯୋଗ ପଡ଼ୁଛି। ଏମିତିରେ ଏହାକୁ ଦୁଇ ଦିନ ଧରି ପାଳନ କରାଯାଉଛି।
ଏହି ଦିନ ସୁନା, ଚାନ୍ଦି, ବାସନ, ଝାଡ଼ୁ ଆଦି କିଣିବା ଶୁଭ ମନାଯାଏ। ଏମିିତିରେ ଆପଣ ସନ୍ଧ୍ୟା ପରେ ତୁଳସୀ ଗଛ ଓ ଅଶ୍ୱତ୍ଥ ଗଛରେ ଘିଅ ଦୀପ ଜାଳି ପାରିବେ। ଖୁବ ଶୀଘ୍ର ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ। ମାତା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହେବ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଏହି ଦିନ କୁବେର ଦେବତା ଏବଂ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ।