ଏତେ ଅବିବେକି ଏ ମଣିଷ, ଆଖି ଥାଇ ଯେମିତି କିଛି ଦେଖି ପାରୁନି…

ଉମରକୋଟ: ମନ୍ଦିର ବାହାରେ ପଣାର ବ୍ୟବସ୍ଥା ଆଉ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପଣା ପିଇବାରେ ବ୍ୟସ୍ତ । ଇଏ ହେଉଛି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନର କଥା । ଉମରକୋଟ ସହରର ପୁରୁଣା ବସଷ୍ଟାଣ୍ଡ ଥରେ ଥିବା ହନୁମାନ ମନ୍ଦିର ନିକଟରେ ପଣା ବଣ୍ଟନ କରାଯାଇ ଥିଲା । ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତମାନେ ପ୍ରଭୁ ହନୁମାନଙ୍କୁ ଦର୍ଶନ କରି ପଣା ସେବନ କରୁଥିଲେ । ଶହ ଶହ ଭକ୍ତ ମନ୍ଦିର ପ୍ରାଙ୍ଗଣରେ ପଣା ପିଉଥାନ୍ତି ଆଉ ଗ୍ଳାସ୍ ସବୁକୁ କିଭଳି ସେଇଠି ପକାଇ ଦେଉଥାନ୍ତି ।
ଯଦିଓ ପାଖରେ ଡଷ୍ଟବିନ୍ ରହିଥିଲା ତଥାପି ଯେଉଁଠି ପିଉଥିଲେ ସେଇଠି ହିଁ ଖାଲି ପ୍ଲାଷ୍ଟିକ ଗ୍ଲାସଗୁଡ଼ିକୁ ପକାଇ ଦେଉଥିଲେ । ଗ୍ଲାସ୍ ସବୁ ଗଦା ହୋଇ ରହିଥାଏ ସେଠି । ତେବେ ପଣାପ୍ରତି ଲୋଭ ହେଉ କିମ୍ବା ପଣା ସଂକ୍ରାନ୍ତିରେ ପଣା ପିଇବା କଥା ଉପରେ ବିଶ୍ବାସ ହେଉ ଲୋକେ କିନ୍ତୁ ପଣା ପିଇ ଚାଲିଥାନ୍ତି । ହେଲେ ଯେମିତି ଅନ୍ୟ କିଛି କଥାକୁ ସେମାନଙ୍କର ନିଘା ନଥିଲା । ପଣା ବଣ୍ଟନ ଜାଗାର ପାଖରେ ହିଁ କିଛି ଭିକ୍ଷୁକ ବସିଥାନ୍ତି । ସେଇମାନଙ୍କ ପାଖରେ ଗଦେଇ ହୋଇ ଯାଇଥିଲା ଅଇଁଠା ଗ୍ଲାସ ସବୁ । ହେଲେ ସେ ପ୍ରତି କାହାର ଯେମିତି ନଜର ହିଁ ନଥିଲା । ପିଇଦେଲେ ସେଇଠି ଫିଙ୍ଗି ଦେଲେ । ଟିକେ ଦେଖିଲେନି କି ପାଖରେ ଯେଉଁମାନେ ବସିଛନ୍ତି ଭିକ ସିନା ମାଗୁଛନ୍ତି ହେଲେ ସେମାନେ ତାଙ୍କରି ଭଳି ବି ମଣିଷ ।
ଏହା ଭିତରେ ଜଣେ ଯୁବକ ସାଗର ବେହେରା ନିଜ ହାତରେ ଅଇଁଠା ଗ୍ଲାସ ସବୁକୁ ଆଡ଼େଇ ଦେଉଥାନ୍ତି । ପୁଣି ଲୋକଙ୍କୁ କହୁଥାନ୍ତି ଏଠାରେ ଗ୍ଲାସ ନପକାଇବାକୁ । ଏକଥା ବି କହୁଥାନ୍ତି କି ଏଠାରେ ଲୋକ ବସିଛନ୍ତି । ଏହା ସହିତ ଡଷ୍ଟବିନ୍ ଦେଖାଇ ସେଥିରେ ବର୍ଜ୍ୟ ଜିନିଷ ପକାଇବାକୁ ବୁଝାଉଥାନ୍ତି । ହେଲେ ଲୋକେ ଯେମିତି ତାଙ୍କ କଥା ପ୍ରତି ଧ୍ୟାନ ଦେଉ ନଥାନ୍ତି । ସେମିତି ପଣା ପିଇ ସାରିବା ପରେ ଅଇଁଠା ଗ୍ଲାସକୁ ଫୋପାଡ଼ି ଦେଉଥାନ୍ତି ।
ଏପଟେ ଦୃଷ୍ଟିହୀନ ମଙ୍ଗୁଳୁ ଟାଇଁ ଟାଇଁ ଖରାରେ ଛତା ଧରି ଅପେକ୍ଷା କରିଥାନ୍ତି ଲୋକଙ୍କ ଦାନକୁ । ହେଲେ ଠାକୁରଙ୍କ ଭକ୍ତି କରି ନିଜର ଭକ୍ତ ପଣିଆ ଦେଖାଉଥିବା ଲୋକେ କିନ୍ତୁ ମଣିଷ ପଣିଆକୁ ଭୁଲି ଯାଉଥାନ୍ତି । ଏତେ ଭୁଲା ମନ ଯେ ସେମାନେ ଅସହାୟ ମଙ୍ଗୁଳୁର ଭିକ୍ଷା କେଟିଲ ଉପରେ ମଧ୍ୟ ଅଇଁଠା ଗ୍ଲାସ୍ ଫିଙ୍ଗୁଥିବା ଦେଖା ଯାଇଥିଲା । ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ଭଗବାନ ଆଖି ଦେଇ ନଥିବାରୁ ମଙ୍ଗୁଳୁ ସିନା ଦେଖି ପାରୁନି ହେଲେ ଏଇ ଆଖିଥିବା ଲୋକମାନେ କେମିତି କିଛି ଦେଖି ପାରୁ ନାହାନ୍ତି ?
କଣ ଇଏ ପ୍ରଭୁଙ୍କ ପ୍ରତି ଭକ୍ତି ଆଉ ମଣିଷ ପ୍ରତି ହୃଦୟହୀନତା ? ବିବେକ ଥିଲେ ଏଭଳି ଭୁଲ କିଏ କରିବ କି ? କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ହେଲେ ପଥରର ଠାକୁରଙ୍କୁ ପୂଜାର୍ଚ୍ଚନା କରି ଜୀବନ୍ତ ମଣିଷକୁ ଏଭଳି ବ୍ୟବହାର କରିବା କେତେଦୂର ଠିକ୍ ଆପଣମାନେ ହିଁ ବିଚାର କରନ୍ତୁ ।
ଆହୁରି ପଢନ୍ତୁ: ୯ବର୍ଷ ପରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କଲା ପୋଲିସ, ପୁଅ ରହିବ କାହା ପାଖରେ !