୧୦୦ ବର୍ଷ ହେବ ଜନଶୂନ୍ୟ ଏହି ଗାଁ! ମଣିଷଙ୍କ ସ୍ଥାନ ନେଇଛନ୍ତି ଜୀବଜନ୍ତୁ ଓ ଗଛଲତା; ଏହି ବଡ଼ କାରଣରୁ ଚାଲି ଯାଇଛନ୍ତି ଲୋକେ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ମଣିଷ ରହୁୁ ନାହାନ୍ତି। କିନ୍ତୁ ଦିନେ ସେହି ସ୍ଥାନରେ ମଣିଷଙ୍କ ଚଳପ୍ରଚଳ ଲାଗି ରହିଥିଲା। ଏଠି ମଣିଷ ଅନେକ ଚିହ୍ନ ଛାଡି ଯାଇଛନ୍ତି, ଯାହା ଆଜି ଇତିହାସର ପୃଷ୍ଠା ମଣ୍ଡନ କରିଛି। ଏକଦା ମଣିଷ ବସବାସ କରୁଥିବା ଏହି ସ୍ଥାନ ଏବେ ନିଜ ବକ୍ଷରେ ଗଛଲତାମାନଙ୍କୁ ସ୍ଥାନ ଦେଇଛି। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, ସ୍ଥାନଟି କାହିଁକି ଜନଶୂନ୍ୟ ହୋଇଗଲା। ଆଜି ଆମେ ଆପଣଙ୍କୁ ଇଂଲଣ୍ଡର ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା ବିଗତ ୧୦୦ ବର୍ଷ ଧରି ଶୂନ୍‌ଶାନ ପଡ଼ି ରହିଛି।

ଏହି ଗାଁର ନାଁ କ୍ଲିକେଟ୍‌, ଯାହା ଇଂଲଣ୍ଡର ସୋମରସେଟରେ ଥିବା ବ୍ରେଣ୍ଡନ୍ ହିଲ୍‌ର ପୂର୍ବ କୋଣରେ ଅବସ୍ଥିତ। ବର୍ତ୍ତମାନ ଗାଁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ଯାଇଛି। ଏକଦମ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଏଠାକାର ପରିବେଶ। ଏଠାରେ କେହି ଜଣେ ହେଲେ ବି ମଣିଷ ବାସ କରୁ ନାହାନ୍ତି। କେବଳ ସେମାନଙ୍କ ସ୍ଥାନ ନେଇଛନ୍ତି, ପଶୁପକ୍ଷୀ ଓ ଗଛଲତା। ଉଦ୍ଭିଦ ଏବଂ ଗଛଗୁଡ଼ିକ ଯୋଗୁ ଗାଁରେ ଥିବା ଘର ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଜିନିଷ ସ୍ପଷ୍ଟ ଦେଖାଯାଉ ନାହିଁ।

ଏବେ ପ୍ରଶ୍ନ ଉଠୁଛି, ଗାଁ କିପରି ଜନଶୂନ୍ୟ ହୋଇଗଲା ଏବଂ ଲୋକମାନେ କାହିଁକି ଏଠାରୁ ଚାଲିଗଲେ। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପୁରାତନ କାଳରେ ଗାଁରେ ନା ଚର୍ଚ୍ଚ ଥିବ ନା ଦୋକାନ କି ବିଦ୍ୟାଳୟ। ଏହି ସମସ୍ତ ଜିନିଷ ନିକଟସ୍ଥ ଅନ୍ୟ ଗ୍ରାମଗୁଡିକରେ ହେଉଥିବ, ଯେଉଁ କାରଣରୁ ଲୋକମାନେ ସେହି ଗ୍ରାମକୁ ଯିବାଆସିବା କରୁଥିବେ। କୁହାଯାଉଛି କି, ଗାଁର ରାସ୍ତା ବହୁତ ଖାଲଖମା ଥିବାରୁ ହୁଏତ ଧୀରେ ଧୀରେ ଲୋକମାନେ ଗାଁରୁ କମିବା ଆରମ୍ଭ କରିଥିଲେ। ବଦଳ ଗାଡ଼ି ମାଧ୍ୟମରେ ଗାଁ ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ନାନା ଅସୁବିଧା ହେଉଥିଲା। ଏ ସବୁ ଅସୁବିଧାକୁ ସାମ୍ନା କରୁଥିବା ଲୋକମାନେ ସମୟ ସହିତ ଗାଁ ଛାଡି ଦେଇଥିଲେ। ବର୍ଷ ୧୯୦୧ରେ ଏହି ଗାଁରେ କେବଳ ୩ ଜଣ ଲୋକ ହିଁ ରହୁଥିଲେ ଏବଂ କିଛି ଦିନ ଗଲା ପରେ ସେମାନେ ମଧ୍ୟ ଗାଁ ଛାଡ଼ି ଦେଇଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ଗାଁ ବିଷୟରେ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳେ। ଗାଁ ଭିତରକୁ ଯିବା ବେଳେ ରାସ୍ତାରେ ଏକ ଓ୍ଵାଚ୍‌ ଟାଓ୍ଵାର ପଡ଼ିଥାଏ ଏବଂ କିଛି ଛୋଟ ଛୋଟ କାନ୍ଥ ମଧ୍ୟ ନଜର ଆସିଥାଏ। ଏହାଛଡ଼ା ଏଠାରେ ଅନେକ ଘର ଅତ୍ୟନ୍ତ ପରିତ୍ୟକ୍ତ ଏବଂ ଭଗ୍ନ ଅବସ୍ଥାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.