କଣ୍ଟାବାଞ୍ଜି: ଗରିବଙ୍କ ପାଇଁ ସରକାଙ୍କ ଅନେକ ଯୋଜନା । ସବୁ ଯୋଜନା ଭିତରେ ଗରିବଙ୍କ ଟଙ୍କିକିଆ ଚାଉଳ ସରକାରଙ୍କୁ ବଡ ସଫଳତା ଦେଇ ଆସିଛି । କାରଣ ଗରିବ ଲୋକେ ହାତ ପାଆନ୍ତରେ ଟଙ୍କିକିଆ ଚାଉଳ ପାଉଛନ୍ତି । ହେଲେ ସରକାରଙ୍କ ଅନେକ ଯୋଜନା ଏମିତି ବି ଅଛି ଗରିବଙ୍କ ପାଖରେ ପହଁଚିନାହିଁ । ନିରିହ ଗରିବ ହଟହଟା ହୁଏ । ଯେମିତି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ବଡଡକଲା ପଂଚାୟତର ଥିବା ପାହାଡ ଜଙ୍ଗଲ ଘେରା ଡଙ୍ଗାମରା ଗାଁର ବାସିନ୍ଦା ।
ଆଜିକୁ ଦୀର୍ଘ ବର୍ଷ ତଳେ ଏହି ପଂଚାୟତ ତଥା ଏହାରଆଖପାଖ ଗାଁରୁ ଲୋକ ଆସି ଏଠାରେ ବସତି ସ୍ଥାପନ କରିଥିଲେ । ଡଙ୍ଗାମରା ଗାଁରେ ପ୍ରାୟ ୪୦ ପରିବାର ରହୁଛନ୍ତି । ଏଥି ମଧ୍ୟରୁ କିଛି ପହରିଆ ସଂପ୍ରଦାୟର ପରିବାର ଥିବାବେଳେ ବାକି ତକ ଆଦିବାସୀ ପରିବାର । ଗ୍ରାମବାସୀ ମାନେ ବିଭିନ୍ନ କିସମର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ଗାଁକୁ ଯିବାକୁ ହେଲେ ବଡଡକଲା ଗାଁରୁ ଡମନୀଚୁଆ ଗାଁ ରାସ୍ତା ଦେଇ ଜଙ୍ଗଲ ଭିତରେ, ଆଉ ଜଙ୍ଗଲି ରାସ୍ତା ଦେଇ ପାହାଡ ଉପରକୁ ଚାଲି ଚାଲି ଯିବାକୁ ପଡେ । ୩ କିମି ଜଙ୍ଗଲ ରାସ୍ତାରେ ଗଲା ପରେ ପାହାଡ଼ ଉପରେ ରହିଛି ଏହି ଡଙ୍ଗାମରା ଗାଁ ।
ପ୍ରଶାସନ ପକ୍ଷରୁ ଏହି ଗାଁକୁ ରାସ୍ତା ନିର୍ମାଣ କରାଯାଇନଥିବା ଯୋଗୁଁ ପାଦରେ ଚାଲିଚାଲି ଜମି ହିଡ ଏବଂ ନାଳ ପାର୍ କରି ଯିବାକୁ ପଡେ । ଗାଁକୁ ରାସ୍ତା ନଥିବାରୁ ବିଶେଷ କରି ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ୪କିମି ଦୂର ନୂଆପଡା ଜିଲ୍ଲାର ଭରୁଆମୁଣ୍ଡାକୁ ଭାରରେ ବୋହି ବୋହି ନେବା ପରେ ସେଠାରୁ ଗାଡି ମଟର ବ୍ୟବସ୍ଥା କରି କୋମନା ପ୍ରାଥମିକ ଚିକିତ୍ସାଳୟକୁ ନେଇଥାନ୍ତି । ଗାଁରେ ପିଲା ମାନଙ୍କ ପାଇଁ ଅଙ୍ଗନବାଡି ବା ବିଦ୍ୟାଳୟର ସୁବିଧା ନାହିଁ । ତେଣୁ ଏହି ଭରୁଆମୁଣ୍ଡାକୁ ଚାଲିଚାଲି କିଛି ପିଲା ଗାଁରୁ ଯାଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଲୋକେ ସରକାରଙ୍କ ଟଙ୍କିକିଆ ଚାଉଳ ପାଇଁ ୩ କିମି ପାହାଡ ଡେଇଁ ବହୁତ କଷ୍ଟରେ ବଡଡକଲା ପଂଚାୟତ ତଳକୁ ଆସିଲେ ଚାଉଳ ନେଇଥାନ୍ତି ।
ଖାଲି ଯେ ରାସ୍ତା ସମସ୍ୟା ତାହା ନୁହେଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏ ଗାଁ ଲୋକେ । ଗାଁ ରେ ନଳକୂପ ନାହିଁ ,ଆଲୋକ ନାହିଁ । ଆଜିର ଏହି ଆଧୁନିକ ଯୁଗରେ ବିଜୁଳି ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ପାଠ ପଢା ଠପ୍ ହୋଇଯାଇଛି । ରାସ୍ତା ଯୋଗୁଁ ପରିବାର ବର୍ଗ ପିଲା ମାନଙ୍କୁ ଛାଡୁ ନାହାନ୍ତି । ଫଳରେ ପିଲା ମାନଙ୍କ ଭବିଷ୍ୟତ ଅନ୍ଧାକାର ହୋଇପଡିଛି ।
ଡଙ୍ଗାମରା ବାସୀଙ୍କ କହିବା ଅନୁସାରେ ନିର୍ବାଚନ ବେଳେ ଅନେକ ନେତାଙ୍କ ଲୋକ ଗାଁକୁ ଯାଉଛନ୍ତି । ଭୋଟ୍ ପାଇଁ ଭିକ୍ଷା ମଧ୍ୟ କରୁଛନ୍ତି । ହେଲେ କିଛି ଫଳ ମିଳିନାହିଁ । ତେବେ ଏ ନେଇ ତୁରେକେଲା ବିଡିଓ ଙ୍କୁ ପଚାରିବାରୁ ସେ ଗା ର ସମସ୍ଯା ବିଷୟରେ ଅବଗତ ଥିବା ବେଳେ ଯାହା କିଛି ସରକାରୀ ସାହାଯ୍ୟ ସହଯୋଗ ହୋଇପାରିବ ତାହା କରାଯିବ ବୋଲି କହିଛନ୍ତି । ତେବେ ତୁରନ୍ତ ପ୍ରଶାସନ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।